Unknown

 

 

 

 

 

 

 

 

 

 

ଚଉତିଶା ହାର (ଦ୍ୱିତୀୟ ଭାଗ)

ଶ୍ରୀ ବିହାରୀ ଦାସ ମହନ୍ତ ମହାରାଜା

 

ବନ୍ଦନା

 

ଭାବକୁ ଭାବି ହେଲି ମୁଁ ନାଶ

ଭ୍ରମଇଁ ଭବକି ନାହିଁ ମୋ ବାସରେ [ଘୋଷା]

 

ଭଗବାନ ମୁଁ ତବ ଦାସ ନିଜର

ଭାବ ବନ୍ଧୁହୁଅ ଦାସ ଉପର ।। ୧ ।।

 

ଭାବି ବ୍ରହ୍ମଭୂୟ ବ୍ରହ୍ମର୍ଷିଗଣ

ଭଜି ଭବୁ ପାର ଲଗାଇ ଧ୍ୟାନ ।। ୨ ।।

 

ଭାଗ୍ୟବତୀ ବ୍ରହ୍ମବେଦ ସୁଜ୍ଞାନୀ

ଭାଗ୍ୟରେ ଦିଅମା ଶବ୍ଦକୁ ଆଣି ।। ୩ ।।

 

ଭକ୍ତିଉରେ ଧ୍ୟାୟେଁ ଆହେ ଗଣେଶ

ଭାବ ମୁରିକର ପଦ ପ୍ରକାଶ ।। ୪ ।।

 

ଭୟାନକ ଭାବ ଭବେ ଭବକି

ଭବାର୍ଣ୍ଣାବ ଚିତ୍ର ଦେଖିବି ମୁଁ କି ।। ୫ ।।

 

ଭବାର୍ଣ୍ଣବେନାବ ଭସାଇ ଦେଲି

ଭାଗ୍ୟଫଳ ଦଶା କେଣେ ଥୋଇଲି ।। ୬ ।।

 

ଭାଗ୍ୟବାନ ହେବାକୁ ଭାବି ସ୍ୱଚିତ୍ତ

ଭଲା ଭୁତାଶ୍ରୟ ଅନୁବରତ ।। ୭ ।।

 

ଭାବୁକା ଖୋଜିଣ ଭବେ ହତାଶ

ଭାବବନ୍ଧୁ ହରା ହୋଇ ନିରାଶ ।। ୮ ।।

 

ଭଗବାନ ମୋହର ଫେଡ଼ ଦୁର୍ଦଶା

ଭୂତି ଭୋଗଧ୍ୟାଇ ବଢ଼ୁଛି ଆଶା ।।୯ ।।

 

ଭୂସମ୍ପତ୍ତିତବ ଫଳଦ ହେବ

ଭୁକ୍ତ ତୁମ୍ଭ ହେବା ଲଗାଅ ଭାବ ।। ୧୦ ।।

 

ଭରସା କରି ଭେଖ ଦେଖାଇଲି

ଭିଡ଼ାହୋଇ ସ୍ନେହ ରଜ୍ଜୁରେ ଗଲି ।। ୧୧ ।।

 

ଭାସୁଥିବା ଆଶା ପୋତକୁ ମୋର

ଭାସି ଆଣିଯାଇ କେଦେବ କର ।। ୧୨ ।।

 

ଭାଷ ଆଭାସରେ ବନ୍ଧୁକୁ ଦେଖି

ଭଜୁଛି ଭାଗ୍ୟରେ ଭୋଗ ହେବକି ।। ୧୩ ।।

 

ଭୋଗହେବା ବାର୍ତ୍ତା ତେଣେ ସେଯାଉ

ଭଗାରି ଦେହଜ ନାଶ ସେ ହେଉ ।। ୧୪ ।।

 

ଭୁଷୁଡ଼ିବ ପ୍ରେମ ନାବ ଗୋଟିକ

ଭୁବନ ଈଶ୍ୱର ଟାଣିଣ ରଖ ।। ୧୫ ।।

 

ଭାସୁଛି ସ୍ନେହ ପୋତକୁ ମୁଁ ଧରି

ଭରସା ଦେଖାଇ ରଖ ଏ ତରି ।। ୧୬ ।।

 

ଭଜତ ନାରାୟଣ ମୋ’ ଦିନ ଶେଷ

ଭାବେ ଜଣାଇଲା ବିହାରୀ ଦାସ ।। ୧୭ ।।

 

ପ୍ରାର୍ଥନା ।

ଆଷାଢ଼ ଶୁକ୍ଳ ବାଣୀ

 

ଯୋଡ଼ି କହେଁ ଭାବ ହେ ବିଜ୍ଞ ।

ଖଟିବା କାର୍ଯ୍ୟ ଅଟେ ଅନଭିଜ୍ଞ ।

ଗହନ ସଂସାର ବିଷୟ ଜାଣ ।

ଘଟାଇବା ଭାବ କରି ଚିତ୍ରଣ ।

ଉଇଁଥିବା ଭାବ ।

ଚାକ୍ଷୁଷେ ନେଇ ହୃଦେ ଦିଅ ଠାବ । ୧ ।

 

ଛବି ଚାକ୍ଷୁଷରେ ଦେବା ମାନସ ।

ଜଣାଇ ଦେଇଅଛି ଭାବିବସ ।

ଝିମିଟେ କାଳକୁ ତବ ସେ ନାଶ ।

ନିୟମ ବୁଝି ପାଠକରି ବସ ।

ଟପିଥିବାବାର୍ତ୍ତା ।

ଠାବ ଦେଖାଇଲେ ମମ ଯୋଗ୍ୟତା ।୨।

 

ଡାକପକାଇ କହୁଛି ତୁମ୍ଭଙ୍କୁ ।

ଢାଳେ ଚାହଁ ଏହି ଭବ ଭାବକୁ ।

 

ଅଣ ବିଶ୍ୱାସକଲେ ମୁଁ ସନ୍ତୁଷ୍ଟ ।

ତଦ୍ଗତ ଭାବେ ଯାହା ସେ ଉତ୍କୃଷ୍ଟ ।

ଥୟ ହୋଇ ଭଜ ।

ଦୟାଦ ହୃଦୟେ ମୋତେ ସେ ନ୍ୟାଜ । ୩ ।

 

ଧାରଣୀୟ ଧାମ ହୃଦୟେ ଭାଳି ।

ନାନା ଛନ୍ଦବନ୍ଧେ ଜଣାଇ ଦେଲି ।

ପରମାତ୍ମାରେ ବୁଝିବସ ଅଳି ।

ଫଳ ପାଇବା ଆଶା ଦୂର କଲି ।

ବଧିର ନୋହିବ ।

ଭଲାଥରେ ଚାହିଁ ଫୋଫାଡ଼ି ଦେବ । ୪ ।

 

ମର୍ମରୁ ଯାହା ହେଲା ମୋ ପ୍ରକାଶ ।

ଯତନ ମମ ନିଅ ହୃଦକୋଷ ।

ରସାର୍ଣ୍ଣବରେ ଭଜିବି ଉଲ୍ଲାସ ।

ଲଗାଅ ମନ ଚୈତନ୍ୟ ସନ୍ତୋଷ ।

ବୋଲାଅ ସୁଖ୍ୟାତି ।

ସର୍ବ ଜନମନ ଖଣ୍ଡାଅ ଭ୍ରାନ୍ତି । ୫ ।

 

ଷଡ଼ଗୁଣ ସମସ୍ୟା ବିଝିବାକୁ ।

ସନାତନ ଦର୍ମ ଧାରି ଭାବକୁ ।

ହର୍ଷିତ ହର୍ଷଣ ହରିଙ୍କ ଦୟା ।

କ୍ଷାତକର୍ତ୍ତାହୁଏ ଭାବ ଯେ ତାହା ।

ଶୁଣ ଦିବ୍ୟରସ ।

ଗୀତେ ଜଣାଉଛ ବିହାରୀ ଦାସ । ୬ ।

 

ଗ୍ରାମ୍ୟଦେବୀ ଶ୍ରୀ ସମଲେଶ୍ୱରୀ ଜଣାଣ 

ଓ ପ୍ରାର୍ଥନା ରାଗ ସାବେରୀ

 

ଅଧିଷ୍ଠାନ ଅଧିଷ୍ଠାତ୍ରୀ ଭାବ ଏ କାଳେ ଗୋ । ମା’ଗୋ ସମଲେଇ । ଘୋଷା ।

 

ଦମକ ଗୁଣରେ ସୁବିଖ୍ୟାତ । ଦମନ ଦୁଷ୍ଟ କଲ ବହୁତ ।

ଦମ୍ ବାଦସା ପାଇଁ ବୀରତ୍ୱ । ଦର୍ଶନୀୟ ହୋଇଥିଲ ଜନଙ୍କ ମେଳେ ଗୋ । ୧ ।

 

ଦମଗୁଣେ ରାଜ୍ୟ ରକ୍ଷା ଚାହିଁ । ଦମନ କାରିଣୀ ସମଲାଇ ।

ଦେବୀ ଜଗତ୍ ଧାତ୍ରୀ ରୂପ ବହି । ଦୟାଦ ହୃଦୟ ନୋହୁଛି କି ଏକାଳେ ଗୋ । ୨ ।

 

ସ୍ୱର୍ଣ୍ଣ ମଣ୍ଡପ ତୋ ହୀରାଖଣ୍ଡ । ରତ୍ନଗର୍ଭ ଚିତ୍ରୋତ୍ପଳା ପିଣ୍ଡ ।

ନଚାହୁଁଛ ତବ ପାଟଦଣ୍ଡ । ବାହୁଡ଼ି ଅଶାନ୍ତି କାନ୍ତି ରୂପ ଚାହିଁଲେ ଗୋ । ୩ ।

 

ଜଗଦମ୍ବା ଯଶସ୍ୱୀ ବୋଲାଇ । ଜାଗ୍ରତ ନୋହିଁ ଚାହଁ କିଁପାଇଁ ।

ଦଳନ ନିର୍ବାଣ ଗୁଣ କିହ୍ନିଁ । ବର ଅଭୟ କେନେଲା ଚାହିଁ ନିଶ୍ଚଳେ ଗୋ । ୪ ।

 

ତବାଶ୍ରିତ ହୋଇ ଜନ ରୁଣ୍ଡ । ରଖମା ବରଦେ ଗୀର ତୁଣ୍ଡ ।

ଶୁଣି ଦାରୁଣ ହେଲାକି ପିଣ୍ଡ । ତବାଶ୍ରିତ ଚିନ୍ତାକ୍ସିରେ ଭାଷି ରହିଲେ ଗୋ । ୫ ।

 

ଦେଶ କାଳ ଗତି ଦାଣ୍ଡେ ବସି । ଶୋଭା ଭୁଜି ଜ୍ୟୋତି ତବ ନାଶି ।

କାନ୍ତିତବ କେ ଚାହିଁବ ବସି । ବିହାରୀ ଦାସ କହିଲା ଚାହିଁ ସୁଡୋଳେ ଗୋ । ୬ ।

 

ମାନଭଞ୍ଜନ ଚୌତିଶା ।

ରାଗ ଚୋଖି ।

 

କରିଣ କୁଞ୍ଜେ ବିହାର ବ୍ରଜଙ୍ଗନା ନାରୀବର କ୍ଳାନ୍ତ ହୋଇ କୃଷ୍ଣଗୁଣ ରସ ବିଷୟ ।

କହସଖି କୃଷ୍ଣପ୍ରିୟା କେ ଅଛନ୍ତି ଭାବ ତାହା ଜଣାତ ନ ଗଲା ଏହା ଲାଗେ ସଂଶୟ ।

କୃଷ୍ଣଙ୍କୁ ଯେ ପଚାରୁଁ ଯାଇ ।

କାହାର ଅଟନ୍ତି ସେ ଯେ ପ୍ରେମାଙ୍ଗ ସାଇଁ ।। ୧ ।।

 

ଖଗପତି ସୁଦର୍ଶନ ଜଣାନ୍ତି ପ୍ରଭୁଙ୍କ ସ୍ଥାନ ଆମ୍ଭମଧ୍ୟେ ବଳବାନ କେ ଅଛୁଁ ରହି ।

ଖପାହୋଇ ଗୋପବାଳୀ ଏସମୟେ ଆସି ମିଳି ରୂପଗୁଣେ ପୂର୍ଣ୍ଣତବ କେପ୍ରିୟ ସାଇଁ ।

ଖଳ ବୃଦ୍ଧି କରିଣ ଲକ୍ଷ ।

କ୍ଷାନ୍ତ ହୁଅ ଗୋପଗୋଇ ଭାବନା ରଖ ।। ୨ ।।

 

ଗରୁଡ଼ ଗମନ୍ତୁପାଇ ଖିଖିନ୍ଦାବନରେ ତହିଁ ହନୁମାନ ମହାବୀର ରାମଙ୍କ ଦାସ ।

ରାମ ବିନତାନନ୍ଦନ ରାମନାମେ ଆମନ୍ତ୍ରଣ ବରିଆଣ ହନୁମାନ ତୋଷିମାନସ ।

ଆଜ୍ଞା ଘେନିଯାଇ ଗରୁଡ଼ ଗମି ନପାରି କହନ୍ତି ବୃଦ୍ଧ ମାକଡ଼ ।। ୩ ।।

 

ଘଟାଇ ନ ପାରେ ଭାଇ ହନୁମାନ ଛନ୍ତିକାହିଁ ଦେଖାଇ ଦିଅ ମୋ ବନ୍ଧୁ ଲାଙ୍ଗୁଡ଼ ଟେକ ।

ଘମଣ୍ଡ ଦେଖାଉକିନା ବୟବୃଦ୍ଧ ବଳହୀନା ଲାଙ୍ଗୁଡ଼ ଅନ୍ତର କରି କର ବିବେକ ।

ଘାରିବା ଭାବରେ ଧଇଲେ ।

ଘୋଷାଡ଼ିବା ଦୂରେ ଥାଉ ନଟଳେ ତିଳେ ।। ୪ ।।

 

ଉଦୟ ହୋଇଲା ଜ୍ଞାନ ନିଶ୍ଚୟ ଏ ହନୁମାନ କଲେ ମୋ ଗର୍ବ ଗଞ୍ଜନ ଏ ମହାବୀର ।

ଉଭାବିତ ଖଗପତି ହନୁମାନ ସେ ବୋଲନ୍ତି କିଏ ତୁମ୍ଭେ ପ୍ରକାଶକ ହୁଅ ହେବୀର ।

ଉଦ୍ଭାବନରେ ଯେ ଉଦ୍ଭୂତ ।

ପ୍ରକାଶ କର ଯେ ଅଛି ତୁମ୍ଭ ବୃତ୍ତାନ୍ତ ।। ୫ ।।

 

ଚକ୍ରଧର ଯେ ଦରାରି ତାଙ୍କ ଦାସ ହୋଇକରି ଅପମାନ ପାଇଲି ମୁଁ ତୁମ୍ଭରି ସ୍ଥଳେ ।

ଚରାଚରେ ପୃଷ୍ଠେହରି ନାନା ଦୁର୍ଗମରେ ଧରି ମୃରାସୂର ଯୁଦ୍ଧକଲି ଏବାହୁବଳେ ।

ଚାହେଁ ବୟବୃଦ୍ଧ ଆପଣ ।

ଚମତ୍କାର ଦେଖାଇଲ ବୀରତ୍ୱ ଗୁଣ ।। ୬ ।।

 

ଛିଦ୍ରାନ୍ୱେଷରେ ଭାବିତ ଆସିଛ କହ ବୃତ୍ତାନ୍ତ ବାଳିହନ୍ତା ଆମନ୍ତ୍ରଣ ଦେଇ ଅଛନ୍ତି ।

ଛଳନା ନ ବୁଝି ରାମ ହନୁମାନ ବୁଝିମର୍ମ ଆଗ ଯାଅ ମହାବୀର ଯାଏଁ ଝଟକି ।

ଛବିଦେଖି ଛନ୍ଦକୁ ବହି ।

ଛଟା ଦେଖି ଗମିଲେ ସେ ଆକାଶେ ଯାଇ ।। ୭ ।।

 

ଜଗତ୍‌କର୍ତ୍ତା ଜାଣିକରି ସୁଦର୍ଶନକୁ ହକାରି ଆଜ୍ଞା ଦେଲେ ମୋର ପୁରେ ରକ୍ଷକ ହୁଅ ।

ଜଣାହେବ ତୁମ୍ଭବଳ ସୁରକ୍ଷକ ହେବାଭାଳ କାହାକୁ ତୁମ୍ଭେ ନ ଛାଡ଼ ଦ୍ୱାରରେ ଥାଅ ।

ଜୟଶୀଳ ହେବାକୁ ଧ୍ୟାଇ ।

ଯାଇ ଜାଗ୍ରତରେ ଚକ୍ର ପୁରେ ଭ୍ରମଇ ।। ୮ ।।

 

ଝଳକାଙ୍ଗୀ ଗୋପବାଳୀ ତାଙ୍କୁ ଡାକି ବନମାଳୀ ଝଞ୍ଚରୁପ ହୁଅ ନିଜ ୨ ଇଚ୍ଛାରେ । ଝଟକିବା ।

ସବେଶ ବଯାହାର ଯେଉଁ ମାନସ ଶୋଭାକୁ ଦେଖାଇ ଆସ ଆଣି ରୂପରେ ।

ଝଟ ହନୁମାନ ଆସଇ ।

ଝଲିବା ଜାନକୀରୂପ ଦେଖିବ ସେହି ।। ୯ ।।

 

ନିୟାତ୍ମିକ ଜଗତ୍‌ଜିତା ନୀଳାମ୍ବୁର ଜ୍ୟେଷ୍ଠଭ୍ରାତା ହୁଅ ସୁମିତ୍ରାନନ୍ଦନ ଭାବି ସୁଚିତ୍ତ ।

ନିଗମ ବିଷୟ ବୁଝି ହନୁମାନ ଆସେ ଗର୍ଜ୍ଜି ଧନୁର୍ବାଣେ ସଜହୋଇ ଆସ ତୁରନ୍ତ ।

ନିତି କାନ୍ତି ଆପେ ବଢ଼ାଇ ।

ନିଗମରେ ରାମମୂର୍ତ୍ତି ଶ୍ରୀକୃଷ୍ଣ ହୋଇ ।। ୧୦ ।।

 

ଟକଟକା ହୋଇସର୍ବେ ବେଶ ହୁଅନ୍ତି ସେ ଗର୍ବେ ଟାଣରଷା ହେବ ଭାଳି ସେ ଗୋପ ବାଳୀ ।

ଟଙ୍କାର ଧ୍ୱନି କରିଣ ବଳରାମ ଧନୁର୍ବାଣ ଧରିଉଭା ହେଲେ ଯାଇ କୃଷ୍ଣଙ୍କ ସ୍ଥଳୀ ।

ଟମକ ଯେ ବାଜଇ ତହି ।

ଟାକି ଭାଳୁଛନ୍ତି ତହିଁ ସେ ଗୋପ ଗାଈ ।। ୧୧ ।।

 

ଠାରି ସତ୍ୟଭାମା ଡାକି ଜାନକୀ ରୂପହେବୁକି ଅଞ୍ଜନା ସୁତ ଆସୁଛି କରିବ ଲକ୍ଷ ।

ଠଉର ହେବାକୁ ଭାବି ସତ୍ୟଭାମା ନିଜଛବି ମନଚିତ୍ତ ନିବେଶିଲେ ପାଇବା ମୋକ୍ଷ ।

ଠୁଳ ଅଷ୍ଟ ସେ ପାଟବଂଶୀ ।

ଠିକଣା ହେବାକୁ ବେଶଭୂଷାରେ ବସି ।। ୧୨ ।।

 

ଡର ହୃଦୟେ ବହିଣ କି ବୋଲିବେ ନାରାୟଣ ଗମେ ବିନତା ନନ୍ଦନ । ଆକାଶ ମାର୍ଗ ।

ଡାକରା ଆସିଛି ଭାଳି ଡିୟାଁ ମାରି ହନୁବଳୀ ଅର୍ଦ୍ଧବାଟେ ଗରୁଡ଼ ପଳାନ୍ତି ସେ ଆଗ ।

ଡାକନ୍ତି ସେ ଆସ ବୋଲିଣ ।

ଡ଼ୁବିଲେ ଚିନ୍ତା ସାଗରେ ଗରୁଡ଼ ଜାଣ ।। ୧୩ ।।

 

ଢାଉ ୨ ଶବ୍ଦକାଶେ ଶୁଭିଲା ସେ ବ୍ରଜଦେଶେ ବୀର ହନୁମାନ ଆସିବାର ଜାଣିଲେ ।

ଢଳଢଳ ଗୋପବାଳୀ କୃଷ୍ଣଙ୍କ ଛାମୁରେ ମିଳି ରାମମୂର୍ତ୍ତି ସତ୍ୟାସଙ୍ଗେ ସର୍ବେ ଦେଖିଲେ ।

ହଳଧର ଲକ୍ଷ୍ମଣବେଶ ।

ଢପଉରେ ବ୍ରଜାଙ୍ଗନା ହେଲେ ପ୍ରବେଶ ।। ୧୪।।

 

ଆଣି ହୃଦେ ହନୁମାନ ପ୍ରବେଶିଲେ ବୃନ୍ଦାବନ ପ୍ରଜ୍ଜ୍ୱଳିତ ସୁଦର୍ଶନ ଦ୍ୱାରରେ ମିଳି ।

ଅଣାଇବା ହନୁମାନ ବୀର ଏହା ହୃଦେମଣ ବାଟ ଛାଡ଼ ଯିବୁ ଆମ୍ଭେ ରାମଙ୍କ ତୁଲେ ।

ଅନାର୍ଯ୍ୟ ତାର ଗୁଣ ଦେଖି ।

ଆଣି ଖଣ୍ଡି ବାମକରେ ଧଇଲେ ଟେକି ।। ୧୫ ।।

 

ତ୍ରିଲୋକେଶ ରାମଚନ୍ଦ୍ର ଅଭିଷେକ ଉପଇନ୍ଦ୍ର ସ୍ଥାନେଯାଇ ଠିଆହୋଇ ଲକ୍ଷ କରନ୍ତି ।

ତ୍ୟକ୍ତ କଲ ମା ଜାନକୀ ଅନ୍ୟନାରୀ ଆଣିଯୋଖି ନମସ୍କାର କିହିଁ ହେବି ହନୁ ବଦନ୍ତି ।

ତାପିତ ଯେ ସେ ସତ୍ୟଭାମା ।

ସ୍ୱତ୍ୱଭାବେ ଜମ୍ଭବତୀଙ୍କର ଗାରିମା ।। ୧୬ ।।

 

ଥକାହୋଇ ଅଷ୍ଟସଖି ଜଣେ ୨ ଆସି ଯୋଖିହୋଇ ଅପମାନ ପାଇ ହନୁ ନେତ୍ରରେ ।

ଥାଟ ନରନାରୀଙ୍କର ଉଚ୍ଛୁଳେ ସେ ବ୍ରଜପୁର ଥୋକେଯାଇ ଜଣାଇଲେ ରୁକ୍ମଣୀଠାରେ ।

ଥିଲେ ପାକ କର୍ମରେ ମାତ ।

ଥନ୍ତରାରୂପରେ କଲେ ସେ ନେତ୍ର ପାତ ।। ୧୭ ।।

 

ଦରବନ୍ଧା ହନୁମନ୍ତ ଚିନ୍ତିସକଳ ବୃତ୍ତାନ୍ତ ଆସ ୨ ବାପଧନ ବାୟୁ ନନ୍ଦନ ।

ଦେହଳିରୁ ଉକ୍ତିଶୁଣି ହନୁ ଜଗତ୍‌ମାତ ଚିହ୍ନି ସାଷ୍ଟାଙ୍ଗରେ କଲେ ତହିଁ ସେ ଦରଶନ ।

ଦରିଦ୍ରତା ରୂପ ଦେଖିଲେ ।

ଦୁଃଖିତ ହେଉଛି ମାତ ରୂପଚାହିଁଲେ ।। ୧୮ ।।

 

ଧାରଣୀୟ ନାରୀଙ୍କର ସ୍ୱପକ୍ୱାଦି ସୁଆଧାର ଆବର ଗୃହବେଭାର କର ବିବେକ ।

ଧନାଗମ ଧନାଧ୍ୟକ୍ଷ ଧନ୍ଦାରେ ଥିବାର ଲକ୍ଷ କାଳକୁ ବୁଝିଣ ଭେଖ ଭାବନା ରଖ ।

ଧ୍ୟାନେ ନିରଙ୍କୁଶ ମୁଁ ନୁହେଁ ।

ଧର୍ତ୍ତବ୍ୟ ଧର୍ମବଳରେ ସଦା ମୁଁ ଥାଏ ।। ୧୯ ।।

 

ନବ୍ୟ ସଖୀଗଣ କିଏ ଲକ୍ଷକରାଅତୁ ମାଏ ରଖିଛନ୍ତି କେଉଁ ଚିନ୍ତା ମର୍ମ ବୃତ୍ତାନ୍ତ ।

ନିରଞ୍ଜନ ନିରାକାର ବିରାଟରୂପ ଈଶ୍ୱର ତାଙ୍କଅଂଶୁ ଅବତାର ଶ୍ରୀରାମ ତତ୍ତ୍ୱ ।

ନିଷ୍କାମରେ ତପସ୍ୟାକାରୀ ।

ନୈର୍ମାଲ୍ୟ ନୈମିତ୍ତିକ ସେ ଗୋପବାଳା ।। ୨୦।।

 

ପରଂବ୍ରହ୍ମ ତତ୍ତ୍ୱଗୁଣ ଶୁଣି ତାହା ହନୁମାନ ପରମାର୍ଥୀଗଣ ମହାରାସେ ବିହାରୀ ।

ପ୍ରଣାମ କରୁଛିମାତଃ ତ୍ରେତୟାଯୁଗ ବୃତାନ୍ତ ଜଣାତ ଅଛି ମୋଚିତ୍ତ ଦାସତ୍ୱଧରି ।

ପ୍ରବେଶିଲି ଦ୍ୱାପରେ ଆସି ।

ପାଇଲି ଦର୍ଶନ ମାତଃ ତୋପାଦ ଘୋଷି ।। ୨୧ ।।

 

ଫୋଫାଡ଼ି ଦେଲକି ମୋତେ ଏହା ଭାବୁଥିଲି ଚିତ୍ତେ ଶୁଭକାଳ ପାଇ ଫର୍ଜ୍ଜା ଦର୍ଶନ କଲି ।

ଫିଟିଗଲା ମୋ ସନ୍ଦେହ କାଳକୁ ଦେଖାଇ କହ ନିସଶଂୟ ବାର୍ତ୍ତା ଲାଭ ଆନ ପାଇଲି ।

ଫେଡ଼ିଥିଲି ମୁଁ ତବ କଷ୍ଟ ଫଳଖାଇ ନାଶକଲି ଅଶୋକ ଦୁଷ୍ଟ ।। ୨୨ ।।

 

ବର ଦେଇଥିଲ ମୋତେ ତ୍ରିଜୀବୀ ହୁଅ ଜଗତେ ଦ୍ୱାପରେ ବୃନ୍ଦାବନରେ ସାକ୍ଷାତ ହେବୁ ।

ବର ମାର୍କଣ୍ଡେୟରୁଷି ଅନୁସୂୟା ଅଭିଳାଷି ରଘୁବର ଆଜ୍ଞାଘୋଷି ଭାବ ବୁଝିବୁ ।

ବୃନ୍ଦାବନ ବେହାରସ୍ଥଳୀ ।

ବୃନ୍ଦାରଣ୍ୟେ ଗୋପୀଗଣ ପ୍ରେମର ଅଳି ।। ୨୩ ।।

 

ଭକ୍ତମଧ୍ୟେ ହନୁଶ୍ରେଷ୍ଠ ରୁକ୍ମଣୀଙ୍କୁ ବାକ୍ୟେତୁଷ୍ଟ କରଯୋଡ଼ି ଗଲେ ଯାଇ ଶ୍ରୀରାମ ପାସ ।

ଭଣ୍ଡାଇବା ଏବିଚାର କଲ ଜଗତ ଈଶ୍ୱର କଟୀଭାଗେ କି ରହିଛି କର ପ୍ରକାଶ ।

କୃଷ୍ଣ ହସି କହନ୍ତି ବୀର ଭାବ ମୋହନ ମୁରଲୀ ମୋହେ ତ୍ରିପୁର ।। ୨୪ ।।

 

ଦର୍ଶନ ପାଇଁ ମତିକି ନବୁଝି ମାତା କତିକି ସୁଦର୍ଶନ କରେ ଅଛି ନିର୍ବୁଦ୍ଧି ପଣ ।

ମନେ ଲଗାଇଣ ଧ୍ୟାନ ପାଣି ଯୋଡ଼ି ହନୁମାନ କହ ଆହେ ରଘୁରାଣ ଏଚିତ୍ର ଗୁଣ ।

ମମ ମନେ ଥୟ ନ ପାଇ ମାତାଙ୍କୁ ନ ପଚାରିଣ ଆସିଲି ଧାଇଁ ।। ୨୫ ।।

 

ଯାର ଅଙ୍ଗ ଭୟଙ୍କର ଉଶ୍ୱାସେ ମେଦିନୀଭାବ ଷଷ୍ଠକର ତ୍ରିନେତ୍ର ଯା ଜ୍ୱଳନ୍ତା ଦେଖ ।

ଜଗତ୍ ପ୍ରଜ୍ଜ୍ୱଳିତ ମୂର୍ତ୍ତି କୋଟିସୂର୍ଯ୍ୟ ଯାରକାନ୍ତି ନାରାୟଣ ଅଙ୍ଗୋତ୍ପତି ଭାବକୁ ରଖ ।

ନାରାୟଣ ଚକ୍ର ନାମରେ ।

ଯାର ଘୋଷଣା ବାଜୁଛି ଚତୁର୍ଦ୍ଦିଗରେ ।। ୨୬ ।।

 

ରଣେ ନନ୍ଦିଘୋଷ ଜାନ ଅସ୍ତ୍ରମଧ୍ୟେ ସୁଦର୍ଶନ ଏହା ବୁଝନାହିଁ ଆନ ଏ ରୌଦ୍ରମୂର୍ତ୍ତି ।

ରଘୁବୀର ଉକ୍ତି ଶୁଣି ହନୁମାନ ଯୋଡ଼ିପାଣି ରଖାଇଲ କରେ ଆଣି ତୁଟାଅଭ୍ରାନ୍ତି ।

ରଖିଆଣି ହୃଦୟେ ଜ୍ଞାନ ।

ରଟନା ସ୍ୱମୁଖେ ଅହଂ ପ୍ରକାଶମାନ ।। ୨୭ ।।

 

ଲୟକର ହନୁମାନ କାର୍ଯ୍ୟ ମୋ ଗର୍ବ ଗଞ୍ଜନ ତେଣୁ ଭାଙ୍ଗିଲି ମୁଁ ଟାଣ ବିଷୟ ଭାବ ।

ଲଖାଇଲେ ଅହଂକାର ଭାବିଲି ଏମାନଙ୍କର ଗର୍ବକୁ ଖର୍ବ ନକଲେ ବିଷ ଉଦ୍ଭବ ।

ଲାବଣ୍ୟ ଯେ ଏ ଗୋପବାଳୀ ।

ଲକ୍ଷକଲି ସୁଦର୍ଶନ ଗରୁଡ଼କଳି ।। ୨୮ ।।

 

ବରଗିର ସେ ମୁକାଇ ଦେଖାଇ ହେବାରୁ ସାର ତବ ଆମନ୍ତ୍ରଣେ ଶାନ୍ତି ଭଜିଲେ ରହି ।

ବଳିଷ୍ଠ ଯେ ନିଶାଚର ହୋଇଥିବାର ସହାର ମନରେ କର ବିଚାର ଗର୍ବକୁ ଦହି ।

ବସୁଭାରା ଉଶ୍ୱାସ କାରୀ ।

ବାସୁଦେବ ନାମ ଚାରି ଯୁଗରେ ପୁରି ।। ୨୯ ।।

 

ଶରଣାଗତ ମୁଁ ଦାସ କି ଜଣାଏଁ ତମ୍ଭୁପାସ କ୍ଷମାନିଧି ଗୁଣ ହେବ କାହାର ଠାରେ ।

ସଂଶୟ ମନରେ ରହି ସର୍ବେଶ୍ୱର ରୂପଚାହିଁ ବିସ୍ମୟ ହେଉଛି ମୁହିଁ ଭାବନା କରେଁ ।

ସଦାଦାସ ଦାସାନୁପ୍ରତି ।

ସମସ୍ୟା ଯା ଦେଖାଇଲ ହେଲା କି ଯୁକ୍ତି ।। ୩୦ ।।

 

ଷଟ୍‌ଦର୍ଶନ ହୃଦବହି ଷଟ୍‌ପ୍ରଜ୍ଞାରେ ଭାବଗ୍ରାହି ଷଟ୍‌କର୍ମକୁ ସେ ନ ଧ୍ୟାଇ ଏହାକି କଲ ।

ଷଢ଼ଭିଜ୍ଞ ଗୁଣଦେଇ ଷଡ଼୍‌ବର୍ଗ ଦୃଶା କିପାଇଁ ଷଣ୍ଡାଳି ସେ ଗୋପ ଗୋରୀ କରି ଚାହିଁଲ ।

ଷୋଡ଼ଶୀଏ ତବାଶ୍ରାପାଇ ।

ଷୋଡ଼ଶୋପଚାର ବିଧି ପୂଜାକୁ ଧ୍ୟାୟି ।। ୩୧ ।।

 

ସଂଲଗ୍ନ ସଂଳାପଜନ ମାନହନ୍ତା ନାରାୟଣ କଲିଏହା ନିରୀକ୍ଷଣ ତବ ଆଗରୋ ।

ସଂଶୋଧକ ଆହେ ହରି ସଂଶ୍ରୟଙ୍କ ରକ୍ଷାକାରୀ ସଂଶ୍ରବ ରହିଲା ତବ ଏମର୍ତ୍ତ୍ୟ ପୁରେ ।

ସୁଦର୍ଶନ କରୁଁ ଫିଟାଇ ସଷ୍ଠାଙ୍କରେ ପ୍ରଣିପାତ ହନୁ ସେ ତହିଁ ।। ୩୨ ।।

 

ହୟଗ୍ରୀବ ହେମ ଶଙ୍ଖ ଗଦାପଦ୍ମ କରେ ରଖ ଚତୁର୍ଦ୍ଧାମୂର୍ତ୍ତି ଚାହିଁଣ ବିଦାୟ ହେବି ।

ହରିପ୍ରିୟା ସୁଦର୍ଶନ ସଙ୍ଗେ ଗରୁଡ଼ ବାହନ ଦୋଷ ନ ଧରିବ ମୋ ଚାହୁଁଛି ଛବି ।

ହରିଙ୍କର ଆଶ୍ରୟୀ ମୁହିଁ ।

ହର୍ଷାନନ୍ଦେ ହରିପାଦ ଥିବ ଯେ ଧ୍ୟାୟି ।। ୩୩।।

 

କ୍ଷମାନିଧି ରଘୁବୀର ସମସ୍ତଙ୍କୁ ଯୋଡ଼ିକର ଯାଉଛି ମୁଁ କର୍ମଧାର ସ୍ୱବାସ ଗୁଣି ।

କ୍ଷୋଭ ଭରେ ଭଜିମାତ ତାଙ୍କପାଦେ ପ୍ରଣିପାତ ଯାଉଛି ଅଞ୍ଜନା ସୁତ ମାଗୋ ରୁକ୍ମଣୀ ।

ଖ୍ୟାତିକଲି ହରି ବିଳାସ ବାୟାହୋଇ ଭ୍ରମୁଅଛି ବିହାରୀ ଦାସ ।।୩୪ ।।

 

ଦୁଶା ଦଳନ ଚଉତିଶା ।

ରାଗ ରସକୁଇଲା ।

 

କଉରବ ଥାଟେ ସେ ଭୀମସେନ । କରାଳ ନେତ୍ରେ କମ୍ପାଇ ବଦନ ।

କରେ ଧରିଣ ସେ ଗଦାର ଭାର। କରଇ ଲକ୍ଷ ଦୁଶାସନ ବୀର ଯେ ।

କାହିଁ ଅଛି ସେ ପାମର ଯେ ।

କରିବ କେଶ ବନ୍ଧନ ଦ୍ରୌପଦୀର କକ୍ଷା ଅଛି ଆଜ ମୋର ।। ୧ ।।

 

ଖଣ୍ଡିତ କରିଣ ରଥି ପଦାତି ।ଖରେ ଦୁଶାସନ ଉଡ଼ାଇ କୀର୍ତ୍ତି ।

କ୍ଷେପି ଆସିଲା ଭୀମ ଥିବାଯାଏ।ଖଣ୍ଡେ ଦୂରେ ରହି ସଭୟ ଦେହେ ସେ ।

ଖସି ପଳାଇବା ଭାବେ ସେ ।

ଖୋଜିବା କାର୍ଯ୍ୟରେ ଭୀମ ମତ୍ତଅଛି। ନରହୁଁ ଏଠାରେ ଲବେ ଯେ ।। ୨ ।।

 

ଗର୍ଜିଣ କହଇ ବୀର ପାବନୀ ।ଗମିଲୁ ଦୁଶାସନ ମନ ଜାଣି ।

ଗୋରୀ ଦ୍ରୌପଦୀର କେଶବନ୍ଧନ। ଗରିଷ୍ଠ ହୋଇଛି ତାହା ତୁ ଜାଣରେ ।

ଗଦାଧରି ହୁଅ ଠିଆରେ ।

ଗଦାଯୁଦ୍ଧ ପରେ ଗାତ୍ର ଯୁଦ୍ଧହେବ। ଦେଖିବେ ଯେ ବଳୀ ଏହା ଯେ । ୩ ।

 

ଘୋର ରଡ଼ି ଭୀମର କର୍ଣ୍ଣେ ଶୁଣି।ଘଟିଲା ବିବାଦ ଏହା ସେ ଜାଣି ।

ଘେନି ଗଦାବର ହେଲା ସେଠିଆ।ଘାତୁକ ବଳ ଦେଖିଛି ମୁଁ ଏହା ଯେ ।

ଘଟାଇଣ କର ଲକ୍ଷ ଯେ ।

ଘନିଷ୍ଠ ଯୁଦ୍ଧରେ ଭାଙ୍ଗିବି ତୋ ସଧ।ଦେଖିବେ ତ୍ରିପୁର ଲୋକ ଯେ ।। ୪ ।।

 

ଉଆଁସ ଚନ୍ଦ୍ରପ୍ରାୟେ ହେବୁ ତୁହି।ଉଦବେଗେ ଦୁଶା କହୁଛୁ କି ଏହି ।

ଉପାଡ଼ିବି ତୋର ଯେ ଏହି ଭୁଜ।ଉଡ଼ାଇବି କୀର୍ତ୍ତି ଦେଖିବେ ରାଜା ଯେ ।

ଉପଦ୍ରବ କରା ଦୁଷ୍ଟ ରେ ।

ଉଲଗ୍ନ କଲୁ ଯାଜ୍ଞସେନୀ କି ତୁଯେ । ଦେଖିବୁ ଆଜି ପାପିଷ୍ଠ ରେ ।। ୫ ।।

 

ଚିତ୍ରାଙ୍ଗଦମଧ୍ୟେ ସେ ଦୂଶାସନ । ଚାହିଁ କହଇରେ ବାୟୁ ନନ୍ଦନ ।

ଚିନ୍ତନ କର ମୁଁ କିପରି ବଳୀ । ଚଟୁଳ ଦେହ ତୋ ନ ଦିଅ ଜାଳି ଯେ ।

ଚମକ ଦେଖାଉ କେତେ ଯେ ।

ଚାହୁଁ ଅଛି ମୋର ତୁ ଜ୍ୟେଷ୍ଠ ସୋଦର । ତେଣୁ ନ କହଇ ତୋତେରେ ।। ୬ ।।

 

ଛାଡ଼ି ଅପ୍ରୋଧ ଗଦାକୁ ଉଠାଇ।ଛେଚିଲା ଭୀମ ଦୁଶାପରେ ନେଇ ।

ଛାଡ଼ତୁ ପାମର ଜୀବନେ ଆଶ।ଛକା ଛକିରେ ଏତେ ଦିନ ନାଶରେ ।

ଛଟକ ରୂପ ତୋହର ରେ ।

ଛିଣ୍ଡାଇବି ଆଜ ଜାଣ ତୁରେ ମୁଢ଼। ଦେଖନ୍ତୁ ଯେ ସୁର ନର ଯେ ।। ୭ ।।

 

ଜ୍ୱଳନ୍ତା ନଳେ ଘୃତ ଦେଲା ପ୍ରାୟେ।ଜନ୍ମାଇ କ୍ରୋଧ ଦୁଶାସନ କହେ ।

ଜନ୍ତୁପତି ପୁରେ ତୋ ବାସ ଦେବି। ଜଗି ବସିବ ତୋ ଆଜି ପୃଥିବୀ ଯେ ।

ଜ୍ୱଳିତ କ୍ରୋଧେ ୟା କହି ଯେ ।

ଯାଇ ପିଟିଲା ସେ ଭୀମପରେ ଗଦା । ଥାଟେ ଥାନ୍ତି ତାହାଚାହିଁ ଯେ ।। ୮ ।।

 

ଝଗଡ଼ା ଦୁହିଙ୍କ ହେଲା ପ୍ରଖର ।ଝଡ଼ିହେଲା ପ୍ରାୟେ ଗଦାପ୍ରହାର ।

ଧାତିକାରେ ଗଦା ହେଲା ସେନାଶ।ଝଙ୍କା ଝୋର ରାବ ସେନାଦ ଘୋଷ ଯେ ।

ଝିଞ୍ଜାରିବା ଦୁହେଁ ଭାଳି ।

ଝାମ୍ପନ୍ତି ଝଣତ୍କାର ନାଦେ କମ୍ପାଇ । ଦୁହେଁ ଭୟଙ୍କର ବଳୀ ଯେ ।। ୯।।

 

ନିୟମ ଦୁହେଁ କରନ୍ତି ଅପାର ।ନିଷ୍ଠୁରେ ପ୍ରହାରନ୍ତି ଗଦାବର ।

ନିର୍ମାଖୀ ଯୁଦ୍ଧ ନିର୍ଘୋଷ ସେ ସ୍ୱର।ନିଗମ ଯୁଦ୍ଧ ହେଉଛି ଅପାର ଯେ ।

ନିଗୁଢ଼ ଏ ଗଦାଯୁଦ୍ଧ ।

ନିୟତ ହୋଇଣ ସୁରନରେ ତହିଁ । ହୋଇଛନ୍ତି ସେ ଆବଦ୍ଧ ଯେ ।। ୧୦ ।।

 

ଟଳଟଳ ମହୀ ହୁଅଇ ଜାଣ ।ଟଙ୍କିଳ ପ୍ରାୟେ ଦୁହିଙ୍କ ବଦନ ।

ଟଙ୍କାର ହୁଙ୍କାରେ ପ୍ରତିଜ୍ଞା କରି ।ଟକ୍ଚର ଦେଖାଇ ଗଦା ପ୍ରହାରି ଯେ ।

ଟହ ଟହ ଯୋଡ଼ା ଅଙ୍ଗ ଯେ ।

ଟାସା ଭାବରେ ତାହା ସେ ଯୁଦ୍ଧ ହେଲା । ଟିକି ଟିକି ଗଦା ଭଙ୍ଗ ଯେ ।। ୧୧ ।।

 

ଠିଆହୁଅ ଦୁଶାରେ ଦୁରାଚାର ।ଠେସା ଠେସି ହେବା ଏକାଳେ ଉର ।

ଠାଣି ମଲ୍ଲପୁଦ୍ଧ ବୁଝ ପାମର ।ଠୋକି ବାହୁରେ ଠିଆ ଭୀମବୀର ଯେ ।

ଠେଲା ଠେଲି ହେଲେ ତହିଁ ଯେ ।

ଠେସା ଠେସି ହୁଅନ୍ତି ଏକ ଆରେକେ । ଶିଳାଦି ଚୁର୍ଣ୍ଣ ହୁଅଇ ଯେ ।। ୧୨।।

 

ଡକା ପକାନ୍ତି ପ୍ରତିଜ୍ଞା କରିଣ ।ଡରୁ ନାହିଁକିରେ ତୁ ଦୁଶାସନ ।

ଡିଆଁ ମାରୁଥାଉ ମୋ ଠାରେ କେତେ ।ଡକା ପକାହେବ କୁରୁଙ୍କ ଚିତ୍ତେ ଯେ

ଡହଳ ବିକଳ ହୋଇ ଯେ ।

ଡାକରା ପକାଇ କାନ୍ଦୁଣ ସେ ଥିବେ । ଗାନ୍ଧାରୀ ଜନନୀ ତହିଁ ଯେ ।। ୧୩ ।।

 

ଢମ ବାଣୀ ଶୁଣି ସେ ଦୁଶାସନ।ଢାଳେ ଆସି କରୁ ବାହୁ ବନ୍ଧନ ।

ଢାଙ୍କିଥାଅ ତୋର ଗର୍ବ ଯେତେକ।ଢପ ଦେଖା ହେଉଅଛୁ ପ୍ରତ୍ୟକ୍ଷ ଯେ ।

ଢଳି ପଡ଼ିବ ତୋ ପିଣ୍ଡ ଯେ ।

ଢଙ୍ଗ ତୋହର ସ୍ମରିଣ ଯୁଧିଷ୍ଠିର ।କ୍ରନ୍ଦନ କରୁ ପ୍ରକାଣ୍ଡ ଯେ ।। ୧୪ ।।

 

ଆଣିରେ ଦୁହେଁ କୁହାକୁହି ହୋଇ।ଅଣ୍ଟା ଭିଡ଼ା ଭିଡ଼ି ହୁଅନ୍ତି ତହିଁ ।

ଆଣ୍ଟେ ଜାନୁରେ ଜାନୁକୁ ଭିଡ଼ାଇ।ଅଣିମା ତେଜି ଭୀମ ପଡ଼େ ଶୋଇ ଯେ

ଅନାଇଲେ ଯୁଧିଷ୍ଠିର ।

ଅଣାଇ ଅର୍ଜୁନାଦିଙ୍କ ସଙ୍ଗତରେ । ଶୋକ କରନ୍ତି ଅପାର ଯେ ।। ୧୫ ।।

 

ଡକାଇ ସହଦେବ ହାସ୍ୟମୁଖ ।ତହିଁ ଯୁଧିଷ୍ଠିର ଲଭି ବିମୁଖ ।

ଦୁଷ୍ଟ ମାଦ୍ରିଙ୍କର ସୁତକୁ ଦେଖ ।ତ୍ରୀଲୋକ ଈଶ କୃଷ୍ଣ କହେ ଲଖ ଯେ ।

ତଳେ ପଡ଼ିଛନ୍ତି ଭୀମ ।

ତତ୍‌କ୍ଷଣି ଉଠି ବିଶ୍ୱମୂର୍ତ୍ତି ସେ ହେବେ । ଶତସିଂହ ଭାବୁ ମର୍ମ ଯେ ।। ୧୬ ।।

 

ଥକା ହୋଇ କୃଷ୍ଣ ଶଙ୍ଖ ଚୁମିଲେ । ଥୟେ ଶତସିଂହ ଭୀମ ଚିନ୍ତିଲେ ।

ଥଟାକୁ ଆଗୋଚର ଏହା ହେଲା । ଥିଲା ଭୀମ ଉପରକୁ ଉଠିଲା ଯେ ।

ଥୟ କରି ଚାହିଁ ବୀରେ ।

ଅନ୍ତରା ହୋଇଣ ଦୁଶା ପଡ଼ି ଅଛି । ଭୀମ ବିଶ୍ୱମୂର୍ତ୍ତି ଉରେ ଯେ ।। ୧୭ ।।

 

ଦେଖାଇ ପ୍ରତିଜ୍ଞା ସେ ଭୀମସେନ । ଦୃଷ୍ଟିକର ଆରେ ତୁ ଦୁଶାସନ ।

ଦ୍ରୋଣାଦି ଗୁରୁ ବଂଶୀୟ ଯେତେକ । ଦେଖି କହ ହୁଅନ୍ତୁ ସେ ରକ୍ଷକ ଯେ ।

ଦେଖି ପାଣ୍ଡବେ ଅନାଅ ଯେ ।

ଦୁର୍ନିତି ତୋହର କ୍ଷମା କରିବେ ସେ । ଯୁଧିଷ୍ଠିରଙ୍କୁ ତୁ କହରେ । ୧୮ ।

 

ଧରି ବୁକୋଦର ପ୍ରଚଣ୍ଡ ମୂର୍ତ୍ତି । ଧର୍ମାଧ୍ୟକ୍ଷ ହୋଇ ଦେଖାଅ କୀର୍ତ୍ତି ।

ଧରାରେ ପଡ଼ି ଦୁଶାଯାଏ ନାଶ । ଧ୍ୟାନ କରିଣ କୁରୁକୁଳେ ଆସ ଯେ ।

ଧର୍ମ ମୂର୍ତ୍ତି ଯୁଧିଷ୍ଠିର ଯେ ।

ଧିଗୁଣ ପ୍ରକାଶ ଦୁଶାସନ ରଖି । ପାରିଲେ ହୁଅ ଆଗଇ ଯେ ।। ୧୯ ।।

 

ନରାନ୍ତକ କୃଷ୍ଣ ହେ ଅରଜୁନ । ନିରେଖେ ନାଶ ହୁଏ ଦୁଶାସନ ।

ନିଗମ ବୁଝି ରଖି ପାର ହେଲେ । ନିରଙ୍କୁଶେ ଆସ ରଖ ଏ ସ୍ଥଳେ ଯେ ।

ନିରୁତ୍ତର ସର୍ବେ ହେଲେ ।

ନିଗମ ବଚନ ଅର୍ଜୁନ ଶୁଣନ୍ତେ । ଗାଣ୍ଡିବ ସାଜି ବସିଲେ ଯେ ।। ୨୦ ।।

 

ପ୍ରକାଶ କରିବି ବୋଲେ ଅର୍ଜୁନ । ପ୍ରବୋଧି କହନ୍ତି ସେ ନାରାୟଣ ।

ପ୍ରମାଣ କିରୂପ ଏକାଳେ ଚାହାଁ । ପ୍ରଜ୍ୱଳିତ ନୃସିଂହ ମୂର୍ତ୍ତି ଏହା ଯେ ।

ପ୍ରଣିତ ହୁଅ ପୟରେ ଯେ ।

ପ୍ରବୋଧନା ବାକ୍ୟ ଶୁଣିଣ ଅର୍ଜୁନ । କ୍ରୋଧ ଶାନ୍ତି ତହୁଁ କରେ ଯେ ।। ୨୧ ।।

 

ଫଡ ଫଡ ଶବ୍ଦ କରିଣ ଭୀମ । ଫିଟାଅ ମର୍ମ ଦୁଶାସନ ଧମ ।

ଫେଡ଼ି କହ ଆଉ ଯାହା ତୋ ବଳ । ଫେଡ଼ିବି ଦ୍ରୌପଦୀ କେଶ ମୁକଳ ଯେ ।

ଫେରାଇଣ ରଙ୍ଗ ନେତ୍ର ଯେ ।

ପୁରୁଣା ହୋଇ ଦ୍ରୌପଦୀ ଉଲଗ୍ନକୁ । କରିଥିଲୁ ତୁହିଁ ପାତ୍ର ଯେ ।। ୨୨ ।।

 

ବୋଲନ୍ତି ଭୀମ ଯାଅ ସହଦେବ । ବୁଝାଇଣ ଦ୍ରୌପଦୀକି ଆଣିବ ।

ବିନୟ ହୋଇ ସହଦେବ ଗଲେ । ବୁଝାଇ ଦ୍ରୌପଦୀଙ୍କି ଜଣାଇଲେ ଯେ ।

ବିଜେକର ଯାଜ୍ଞସେନୀ ଗୋ ।

ବିକାଶ ବିଶ୍ୱମୂର୍ତ୍ତି ଆଜ ଚାହିଁବ । ଯୋଡ଼ିବ ଯେ ବେନି ପାଣି ଯେ ।। ୨୩ ।।

 

ଭୀମ ଆଜ୍ଞା ଶୁଣି ସନ୍ତୋଷ ହେଲେ । ଭାବିତ ତଢ଼ି ସଧିରେ ଚଳିଲେ ।

ଭିଡ଼ ଥାଟ ସେ ଯେ କୁରୁ ସାଗର । ଭୟଙ୍କର ଦୃଶ୍ୟ ଭୀମ ଆକାର ଯେ ।

ଭାବିତ ବିଷୟ ଚିନ୍ତି ।

ଭଲା ଏହି କେଉଁ ଦେବ ବା ଅସୁର । ଧରିଅଛି ବିଶ୍ୱମୂର୍ତ୍ତି ଯେ ।।୨୪ ।।

 

ମନ ଶାନ୍ତି କରି ଆସ ଦ୍ରୌପଦୀ । ମନେ ଶଙ୍କାକୁ ନ ରଖ ଆଛାଦି ।

ମର୍ମ ଭେଦି ଦୁଶାସନକୁ ଦେଖ । ମର୍ମାନ୍ତିକ ଦୂର ହେବାକୁ ଲଖ ଯେ ।

ମର୍ମ ବିଦାରକ ହୋଇ ଯେ ।

ମହା ୨ କଷ୍ଟ ଦେଲା ଏ ପାମର । ଦେଖି କ୍ଳେଶ ଦିଅଫେଇ ଯେ ।। ୨୫ ।।

 

ଯାଜ୍ଞସେନୀ ଯହୁଁ ଭୀମଙ୍କ ବାଣୀ । ଜାଣୀ ବିଜେକଲେ ପ୍ରେମକୁ ଘେନି ।

ଯହୁଁ ପ୍ରବେଶ ହୋଇଲେ ପାଞ୍ଚାଳୀ । ଯମାଳୟ ଯାଅ ଦୁଶାକୁ ବୋଲି ଯେ ।

ଯୁକ୍ତିସ୍ଥାନ ହୃଦେ ଲକ୍ଷି ।

ଯୁଦ୍ଧି ଭୀମ ତହୁଁ ମୁଷ୍ଠିଏ ପ୍ରହାରି । ଭୁଜ ଉପାଡ଼ି ତା ଟେକି ଯେ ।। ୨୬ ।।

 

ରକ୍ତ ନେଇ ଦ୍ରୌପଦୀର ମୁଣ୍ଡରେ । ରଙ୍ଗନେଇ କେଶେ ଲଗାଅ ଶିରେ ।

ରଙ୍ଗ ନେତ୍ରି ଦ୍ରୌପଦୀ ତା’ ଶୁଣିଣ । ରଖିଲ ମାନ ପଣ ମୋ କହିଣ ଯେ ।

ରଙ୍ଗ ମୂର୍ତ୍ତି କୃଷ୍ଣ ଚିନ୍ତି ଯେ ।

ରସାରେ ସାଷ୍ଟାଙ୍ଗେ ପ୍ରଣାମ କରିଣ । ବାହୁଡ଼ାକୁ କଲେ ଗତି ଯେ ।। ୧୭ ।।

 

ଲକ୍ଷଣା ଦୁଷା ପ୍ରାଣ ଗଲା ନାଶ । ଲକ୍ଷ କରି ଦୁର୍ଯ୍ୟୋଧନ ହତାଶ ।

ଲକ୍ଷଣୀୟ ଭାବି ଶୋକକୁ କରେଁ । ଲଗ୍ନ ହେଲୁ ଦୁଶା ଅମର ପୁରେ ଯେ ।

ଲାଘବ କ୍ରୀୟା ମୋହର ଯେ ।

ଲବ୍ଧ ପାଇଲି ଏତିକି ଏହି କାଳେ । ପ୍ରେତ କର୍ମ କଲି ତୋର ରେ ।। ୨୮ ।।

 

ବୋବାଳି ପଡ଼ିଲା ରାଣୀ ଆଳୟେ । ବାହୁନି ଗୁଣ ଦୁଶାର ସଭିୟେ ।

ବନ୍ଧୁବର୍ଗ ଏଡ଼ି ଗଲ ଯେ କାହିଁ । ବାନ୍ଧିବି ତୋ ଭାର୍ଯ୍ୟା ରହିବ ନାହିଁ ଯେ

ବଞ୍ଚିବ କିପରି ସେହି ଯେ ।

ବିରାଜମାନ ଦେବଗଣେ ସେ ହେଲ । ଆମ୍ଭ ହୃଦୟକୁ ଦହି ଯେ ।। ୨୯ ।।

 

ସମସ୍ତ ଯୁଦ୍ଧାମାନେ ଆଚମ୍ବିତ । ସମସ୍ୟା ନ ପାଇ ତହିଁ ଭାବିତ ।

ସର୍ବ କଉରବ ଥାଟ ମଧ୍ୟେଣ । ବାହୁ କାହିଁ ଗଲା ଅଛି ବଦନ ଯେ ।

ସାରାଂଶ ବାଛିଲେ ତହୁଁ ।

ସର୍ବୋତ୍କୃଷ୍ଟ ବିନ୍ଧ୍ୟ ଗିରିରେ ପଡ଼ିଲା । ଯାଇଣ ସେଠାରେ ବାହୁ ଯେ । ୩୦ ।

 

ସମସ୍ୟା ବୁଝିଲେ ସେ ଯେ ରାଜନ । ଷାଢ଼ଗୁଣ ଚାହିଁ ସେ ଭୀମସେନ ।

ଷ୍ଟୀବନ କଲେ ଦୁଶା ଭୁଜାମାନ । ସଟ୍‌କର୍ମ ଏହା ବୁଝି କର ଧ୍ୟାନ ଯେ ।

ଷଟ୍ ବର୍ଗକୁ ଧରି କରି ଯେ ।

ଷଢ଼ଗୁଣ ଆଭା ଦେହରେ ପୁରିଛି । ୟା ଭାବି ରହ ବିଚାରି ।। ୩୧ ।।

 

ସମସ୍ତେ ଯାଇ ଯେଝା ସ୍ଥାନେ ଗଲେ । ସନ୍ତୋଷେ ଦ୍ରୌପଦୀ କେଶ ବାନ୍ଧିଲେ ।

ସର୍ବ ଜନ ମନ ଆନନ୍ଦକାରୀ । ସଧୀରେ ଗଲେ ସେ ଦ୍ୱାରିକାପୁରୀ ଯେ

ସୁରପୁରେ ଆନନ୍ଦିତ ଯେ ।

ସର୍ବେ ଆନନ୍ଦରେ ରହିଲେ ସ୍ୱକର୍ମେ । ହୋଇଣ ସେ ପ୍ରେମ ପ୍ଳୁତ ଯେ ।। ୩୨ ।।

 

ହର୍ଷାନନ୍ଦ ପାଣ୍ଡବଙ୍କ ସେ କାଳେ । ହ୍ରାସ କୁରୁ କୁଳେ ବିଷାଦ ମୂଳେ ।

ହୃଦୟେ କ୍ରୋଧାଦି ଧଇଲେ ଜାଣ । ହରାନ୍ତି ସ୍ୱଜନ ଐଶ୍ୱର୍ଯ୍ୟ ମାନ ଯେ ।

ହୁଅଇ ବିଷାଦ ସାର ।

ହରି ଏହି ଜ୍ଞାନ ଦେବ କର୍ତ୍ତା ଜାଣ । ହରନ୍ତି ପୃଥିବୀ ଭାର ଯେ ।। ୩୩ ।।

 

କ୍ଷମାଶୀଳ ନାଥ ସେ ଯେ ମୁରାରି । କ୍ଷମା ମାଗୁଛି ତାଙ୍କୁ ଧ୍ୟାନ କରି ।

କ୍ଷାତ କଲି ଏହି ଦୁଶା ଦଳନ । କ୍ଷମାକର କ୍ଷେତ୍ରପାଳ ସ୍ୱଜନ ଯେ ।

କ୍ଷାନ୍ତି ପାଇଲି ମୁଁ ନାହିଁ ।

କ୍ଷୋଭକୁ ରେ ବିହାରୀ ଦାସ ମୁଁ । ଭ୍ରମୁଛି ୟେ ଭାବେ ମୁଁ ବାୟା ହୋଇ ।। ୩୪ ।।

 

(ଅଙ୍ଗଦ ଚିଟାଉ)

ରାଗ-ବସନ୍ତ ।

 

ସିଦ୍ଧାନ୍ତ ସେତୁବନ୍ଧ ରାମ କରିଣ ବିଜୟ ବିଚାରକୁ କରି ।

ଶିଳାବନ୍ଧ ସେତୁ ପାର ହୋଇ କରି ଚାଲ ସର୍ବେ ଯେ ଲଙ୍କା ପୁରି।

ସୀତୟା । ସଂକ୍ରମିତ କଥା ଜାଣିବ ।

ଶିବଙ୍କୁ ପ୍ରଣାମ କରି ସର୍ବେ ଚାଲ ଅବଶ୍ୟ କାର୍ଯ୍ୟ ସିଦ୍ଧ ହେବ ।। ୧ ।।

 

ଧିଆଇ ସମସ୍ତେ ପ୍ରଣାମ କରିଣ ଗମିଲେ ସେ ଯେ ଲଙ୍କାପୁରି ।

ଧିରତ୍ୱ ରାମଚନ୍ଦ୍ର ଆଗେ ଗମନ୍ତି ଲକ୍ଷ୍ମଣଙ୍କୁ ସେ ସଙ୍ଗେ ଧରି ।

ଧାତବ୍ୟ । ଧୀର ପ୍ରଶାନ୍ତ ଯେ ରାବଣ ।

ଧୀଗୁଣ ଆମ୍ଭର ପ୍ରକାଶ ହୋଇବ ପତ୍ରିକା ଆଗେ ଦେବା ଜାଣ ।। ୨।।

 

ରକ୍ଷା କରିବ ଯେବେ ସେ ଆମ୍ଭ ଗୀର କାହିଁକି ସମ୍ବର କରିବା ।

ରସକ କରି ଯିବା ସେ ନିଜପୁରି ଆନନ୍ଦେ ଭରତ ଚାହିଁବା ।

ଭାବିଣ । ରସାତଳ ଯାଏ କମ୍ପାଇ ।

ରଣ କର୍କଶ ରୂପରେ ବିଜେ କଲେ ଲଙ୍କାପୁରେ ଯେ ସୀତାସାଈଁ ।। ୩।।

 

ସ୍ତୁତି କରିଣ ବିଭୀଷଣ ଜଣାଏ ଭୋ ନାଥ ସୁବଳୟା ଏହି ।

ସ୍ତୁତି ପାଇ କରି ଥିବା ଏହି ଗିରି ଆନନ୍ଦ କଲ୍ଳୋଳକୁ ଧ୍ୟାଇ ।

ସ୍ତିମିତ । ସ୍ତୁତି ପାଠକ ମାନେ ଆସି ।

ସ୍ତୁତି ବାଦକରି ଯିବେ ନିଜ ପୁରି ଆନନ୍ଦେ ଆମ୍ଭେ ଥିବା ବସି ।। ୪ ।।

 

ଅଙ୍ଗୀକାର କରି ସୁବଳୟା ଗିରି ପରେ ରହିଲେ ରଘୁନାଥ ।

ଅଙ୍ଗୀକାର କର ଆହେ ଲଙ୍କେଶ୍ୱର ଚିଟାଉ ପାଉ ଦଶମଥ ।

ଅବାଧ୍ୟ । ଅବାଚ୍ୟ କର୍ମକୁ ସେ କଲା ।

ଅବିଦ୍ୟ ପରାଏ ଆମ୍ଭେ ଯୁଦ୍ଧକଲେ ଯଶ କି ଆମ୍ଭର ରହିଲା ।। ୫ ।।

 

ଆମ୍ଭର ଆଜ୍ଞା ପତ୍ରିକା ନ ମାନିଲେ ଆୟତ୍ତ କି ଅଛି ବିଚାର ।

ଆବଦ୍ଧ ହୋଇଣ ଯୁଦ୍ଧ ଭିଆଇଁବା ଦେଖିବା ବଳବୀର୍ଯ୍ୟ ତାର ।

ଆସିଣ । ଆସ୍ୱାଦନ ନ କରି ମନ ।

ଆସ୍ତିକ ପଦ ସେ କେମନ୍ତେ ବୋହିବା ଏହା ବୁଝ ହେ ବିଭୀଷଣ ।। ୬ ।।

 

ଇହା ଅଙ୍ଗୀକାର କରି ବିଭୀଷଣ ଅଙ୍ଗିଦକୁ ଚାହିଁ ବୋଲନ୍ତି ।

ଇଜ୍ୟ ପରିବୁଦ୍ଧି କରି କାର୍ଯ୍ୟ ସିଦ୍ଧି କରିବା ଆଜ୍ଞା ଦେଉଛନ୍ତି ।

ଶ୍ରୀରାମ । ଇହ ପର ଭାବିଣ କଥା ।

ଇଚ୍ଛା ଜାଣିବାକୁ ରାବଣ ପାଖକୁ ଆଜ୍ଞା ପତ୍ରିକା ଦେବା ବାର୍ତ୍ତା ।। ୭ ।।

 

ଈଶ୍ୱର ନିଷ୍ଟ ତୁମ୍ଭେତ ହେ ଅଙ୍ଗଦ ଯାଅ ଦଶାନନ ପାଖକୁ ।

ଈଶିତ୍ୱ ଦେଖାଇ କହିବ ବୁଝାଇ ଆଜ୍ଞା ପତ୍ରିକା ଦେବ ତାକୁ ।

ଅଙ୍ଗଦ । ଈଦୃକ କଥାକି ବୋଲନ୍ତି ।

ଇହା ଯାହା କହ ମୁଁ ତ ଆଜ୍ଞାବହ କାହିଁପାଇଁ ଏତେ ଭାଳନ୍ତି ।। ୮ ।।

 

ଉପାୟ ବଳେ ବୁଝାଇ କହିବାକୁ ସମର୍ଥ ମୁଁ ନିଶ୍ଚେ ହୋଇବି ।

ଉପଦ୍ରବ ଯେବେ ଦେଖିବି ତାହାର ମାରି ଶବ କିନା ଆଣିବି ।

ବୋଲିବ । ଉଚ୍ଛେଦ ହେବୁ ତୁହି ଯାଅ ।

ଉକ୍‌ଚେଇବା କଥା ଶୁଣିପାଇ ବ୍ୟଥା ଆସିବ ଅନ୍ୟ ଲୋକ ଚାହିଁ । ୯ ।।

 

ଉପାୟ ଯାହା ତୋର ହେବ ଅଙ୍ଗଦ ତାହା କରିବୁ କିନା ତୁହି ।

ଉପଦ୍ରବ କଲେ ଖଣ୍ଡିତ କରିବୁ ପ୍ରାଣରେ ମାରିବୁ ତୁ ନାହିଁ ।

ବିଚାର । ଉତ୍କଣ୍ଠାରେ ଯେବେ ମାରିବା ।

ଉପଦ୍ରବ ଆଉ କି ଦେଖିବା କହି ପ୍ରଭୁ ପ୍ରତାପ କି ଚାହିଁବା ।। ୧୦ ।।

 

ଋତୁଷ୍କର ବାଣୀ କହିବୁ ତୁ ଜାଣି ଚାହିଁ ତାହାର ଯେ ବିବେକ ।

ରୁତୁସ୍ତ୍ରୋମ ମୁହିଁ ଯେବେ ମୋ ବୋଲିବ ତା ଜାଣି ଦେଖାଇବୁ ଟେକ ।

ରୁତୁଯା । ରୁତୁଗୁଣ ମାନ ସେ କହି ।

ଋଷ୍ଟ ହୋଇକରି କହିବୁ ହୁଁ କାରି ସଂଶୟ ରଖିବୁ ତୁ ନାହିଁ ।। ୧୧ ।।

 

ଋଚିକର ହୋଇନ ନେବ ପତ୍ରୀକା ଅଙ୍ଗାଦି ଏହା ନିଶ୍ଚେ ଜାଣ ।

ରୂପିତ ସମର ଏହା ତୁ ବିଚାର ଭାଙ୍ଗିବା ନିଶ୍ଚେ ତାର ଟାଣ ।

ଗର୍ବରେ । ଋକ୍ଷ ମାନବ ଦେବି ଖାଇ ।

ରୁପିଛି ବିଧାତା ବର ଦେବା କଥା ଆଉ ତାରମନେ ସେ ନାହିଁ ।। ୧୨ ।।

 

ଲୁକାଧିପତି ରାମଚନ୍ଦ୍ର ଠାକୁର ସାକ୍ଷାତ ଈଶ୍ୱର ନ ଜାଣି ।

ଲୁପ୍ତ ହୋଇ ପାପ କରୁଛି ଅମାପ ଭାରା ସହିବ କି ମେଦିନୀ ।

ଲୁକେଶ । ଲୁପ୍ତ ମାନବ ଲୀଳା ରହିଁ ।

ଲୁଚିଲେ ସୁଦ୍ଧା ଆଉ ତା ବଞ୍ଚିବାକୁ ଉପାୟ ମତେ ଦିଶୁ ନାହିଁ ।। ୧୩ ।।

 

ଲୁକାଇଛି ସୀତା ସେ ଯେ ଆଦିମାତା ପାପିଷ୍ଠ ରାବଣ ତୁ ଜାଣ ।

ଲୁକିବାକି ଆଉ ତାକୁ ଡରିକରି ପ୍ରଭୁ ଆଜ୍ଞାରହୁ ୟା’ ଘେନ ।

ଚାହିଁବୁ । ଲୁକାଇତ ନୋହି କହିବୁ ।

ଲୋକାଧିପତିଙ୍କ ପ୍ରତାପ ଦେଖାଇ ବିଶ୍ୱମୂର୍ତ୍ତିରେ ରହିଥିବୁ ।। ୧୪ ।।

 

ଏହା ଶୁଣି ଅଙ୍ଗଦ ତହୁ ଚଳିଲା ଶ୍ରୀରାମ ଠାକୁରଙ୍କ ପାସ ।

ଏକ ପକ୍ଷ ହେବା ସମ୍ବାଦ ଦେବାକୁ ବଳାଇଛ କିନା ମାନସ ।

ଏକତ୍ୱ । ଏକବାକ୍ୟେ ହେବା ଯେ କଥା ।

ଏକପଦୀ ପାଇ ମୋତେ ଦିଶୁନାହିଁ ଅଭିମାନୀ ସେ ଦଶମଥା ।। ୧୫ ।।

 

ଐଲ ସେତୁବାନ୍ଧ ହେବା ଯୋଗ ସନ୍ଧି ବିଚାରବା କାହିଁକି କର ।

ଏକପତ୍ୟ ମୁହିଁ ବୋଲି ବିଚାରଇ ହୋଇଛି ସେ ଯେ ଗର୍ବେଶ୍ୱର ।

ହେ ପ୍ରଭୁ । ଐକ୍ୟ ଘଟିବାର ପତ୍ରିକା ।

ଐଲି ନେବା ପାଇଁ ଆଜ୍ଞା ହେଲେ ମୁହିଁ ଯିବି ଛାଡ଼ି ହୃଦୟ ଦକା ।।୧୬ ।।

 

ଓତଃ ପ୍ରୋତଃ ହୋଇ ବୀର ଥିବା ରହି ଅଙ୍ଗଦ ବିଚାର ତୁ ଏହା ।

ଓର ଯେ ଘଟିବ ସେ କଥାଟି ହେବ ଭାବ ଉଜସ୍ବଳ ସେ ତାହା ।

ଏଥିକି । ଓଲୁ ସେ ନିଶ୍ଚେ ଜଣା ଅଛି ।

ଓଁକାର ଯେରୂପ ତାହା ଭାବିଲେ ସେ ସଂସାରେ ଶୋଭା ବିକାଶୁଛି ।। ୧୭ ।।

 

ଔତ୍ପାଧିକ ନିଶ୍ଚେ ଘଟିବ ଅଙ୍ଗଦ ତାହା ସବୁ ଅଛଇ ଜଣା ।

ଔଚିତ୍ୟ କାର୍ଯ୍ୟ କଲେ ଔପାଧିକେ ଶୋଭା ଦିଶିବ ମହାମନା ।

ଔନ୍ନତ୍ତ୍ୟ । ଔପମ୍ୟ ହୋଇ ତୁମ୍ଭେ ଗମ ।

ଔଦାସୀନ୍ୟ ନୋହି ସବୁ ଜଣାଇବୁ ଚିଟାଉ ଦେଇ ବେଗେ ଯାଅ ।। ୧୮ ।।

 

ଅଂସାପହାରକ କରତୁ ବିବେକ ଅଂଶୁମାନ ଆମ୍ଭ ତୁ ଦେଖି ।

ଅଂସଳ କୁହାଉ ଆମ୍ଭ ଯୋଗ୍ୟ ନୋହୁଁ ଅହି ଅର୍ଜୁଅଛୁ ନିରେଖି ।

ଭାବତୋ । ଅକତୋର ଆସି ହେଲାଣି ।

ଅକଥାକୁ କଲେ ନାଶ ଯିବୁଭଲେ ଭାବ ଚିଟାଉ ପାଇ ପୁଣି ।। ୧୯ ।।

 

ଅଃକାରଣେ ବଶ ନ କର ତୁ ନାଶ ସୀତା ସମର୍ପଣ ସେ ଯାଅ ।

ଅଃକସା ଯେ ଅଛି ତାହା ଦେବି ମୁର୍ଚ୍ଛି ଅକଣ୍ଟକେ ତୁ ରହିଥାଅ ।

ଏକଥା । ଅଃଙ୍କିତ କରି ପଠାଇଲି ।

ଅଙ୍ଗୀକାର କର ନୋହିଲେ ସମର ହେବାକୁ ସାଜ ମହାବଳି ।। ୨୦ ।।

 

କରୁଣା ସାଗର ହୋଇ ସ୍ନେହ ଭର ଅଙ୍ଗଦ ଲେଖ ନିଅ କର ।

କରାଙ୍କିତ ପତ୍ର ନେଇ ଦଶମାଥ ପାଖେ ଯାଅ ହୋଇ ସତ୍ୱର ।

ୟାଦେବ । କଳି ନ କରି ବୁଝାଇବ ।

କରେ ଯେବେ ରୋଷ ବାହୁଡ଼ିଣ ଆସ ଅବଶ୍ୟ ହେବ ପରାଭବ । ।୨୧।।

 

ଖ୍ୟାତ ସେ ଅଙ୍ଗଦ କରି ହୃଦ ବୋଧ ରାବଣ ପାଖକୁ ଗମିଲା ।

ଖରରେ ଗମଇ ବିଶ୍ୱମୂର୍ତ୍ତି ହୋଇ ରାବଣ ସଭାରେ ମିଳିଲା ।

ଖରଡ଼େ । ଖ୍ୟାତା ପନ୍ନରେ ହେଲେ ଠିଆ ।

ବ୍ୟାପକ ସେ ହୋଇ ବସିଲେ ଯେ ତହିଁ ଅସୁରେ ଦେଖୁଛନ୍ତି ତାହା ।। ୨୨ ।।

 

ଗଜରିପୁ ପରି ତେଜ ରୂପଧରି କାହୁଁ ଆସିଛି ୟାକୁ ଦେଖ ।

ଗଞ୍ଜନ ଦେଇଣ ସଭାଟାକୁ ପୁଣି ବିସ୍ମୟ ରୂପ ୟା ନିରେଖ ।

ରକ୍ଷ ଯେ । ଗଣ୍ଡଗୋଳ ଚାହାନ୍ତି ଭ୍ରମି ।

ଡହଳ ଚାହିଁଣ ରାବଣ କହଇ କାହୁଁ ହୋଇଛ ବେଗଗାମୀ ।। ୨୩ ।।

 

ଘଟାଇବା ଶୁଭ ବୁଝିଣ ରାଘବ ଦଶରଥଙ୍କର ତିନୟ ।

ଘନଶ୍ୟାମ ଗାତ କୋଶଳାଧିପତ୍ୟ ସାକ୍ଷାତ ସେ ଯେ ବ୍ରହ୍ମମୟ ।

ୟାଜାଣି । ଘର୍ମ ଭାନୁଙ୍କର ମୁଁ ନାତି ।

ଘନିଷ୍ଟ ବଂଶ ତାଙ୍କ ଚମୁଚର ଆଜ୍ଞାପତ୍ର ଘେନ ଭୂପତି ।। ୨୪ ।।

 

ନୟନ ବୁଲାଇ ରାବଣ କହଇ ଜଣାଣ ପତ୍ର ଦେଇଥିବ ।

ନ ଜଣେ କାହାକୁ ମୋର ପରେ ଥିବା ଆଜ୍ଞାପତ୍ର ଆଉ କେଦେବ ।

ଜାଣିଲି । ନିଷ୍ମାମ ବରରନ୍ୟ ସେହି ।

ନରଟାଏ ଜଟା ବାନ୍ଧି ବୁଲୁଥିଲା ଯା ପତ୍ନୀକି ଅଣିଛି ମୁହିଁ ।। ୨୫ ।।

 

ଚକ୍ରାଙ୍ଗରେ ଚାହିଁ ଅଙ୍ଗଦ କହଇ ଆରେ ମୁଢ଼ ତୁ ଯେ ପାମର ।

ଚାହିଁ ନ ପାରୁଛୁ ସାକ୍ଷାତେ ଈଶ୍ୱର ଅଭିମାନୀ ଏହା ବିଚାର ।

ସେହି ଯେ । ଚାହିଁ ଯେ ତ୍ରୀଲେକାଧିପତି ।

ଚତୁର ଗୁଣେ ତୋର ଗର୍ବ ଦଳିବେ ସେ ତାର କର ତୁ ବଂଶାଖି ।। ୨୬ ।।

 

ଛଇ ଦେଖାଇଣ କେତେ କହୁ ପୁଣ ମୁଢ଼ ତୁ ଯେ କାହା ନନ୍ଦନ ।

ଛଟକ ତୋହର ହେବ ନାରଖାର ନାଶ ହେବାକୁ ଭାବୁ ମନ ।

ମୋହର । ଛଟା ଦେଖି ତ୍ରୀପୁର କମ୍ପେ ।

ଛମଣ୍ଡ ହୋଇଣ ଛାନିୟା ନୋହିଣ କହୁଛୁ ତୁ ଯେ କେଉଁ ଟେକେ ।। ୨୭ ।।

 

ଯା ତର୍ପଣକାଳେ ଥିଲୁ କକ୍ଷସ୍ଥଳେ ତାହାର ନନ୍ଦନ ତୁ ଜାଣ ।

ଜାଣ କେଡ଼େ ବଳୀ ଏକେବାଣେ ଢଳି ଗଲା ଭାବ ତୋ ହୃଦେ ଘେନ ।

ତାଜାଣି । ଜାଣିଲି ଈଶ୍ୱର ଯେ ଏହି ।

ଜାଣ ମୁଁ ଅଙ୍ଗଦ ବୀର ବଙ୍କା ହୃଦ ବହିଣ ଶରଣେ ଅଛଇଁ ।। ୨୮ ।।

 

ଝକମାରି କଲୁ ପିଅର ନାଶିଲୁ ଶରଣ ପଶିଲୁ ନିର୍ଲ୍ଲଜ ।

ଝଲମଲ ତୋର ଜାଣିଲି ଏଥର ଝଟକ ଏବେ ତୋର ବୁଜ ।

ତାଶୁଣି । ଝାମ୍ପିବା ପ୍ରାୟେ ସେ ଅଙ୍ଗଦ ।

ଝଙ୍କାର ଦେଇଣ କହଇ ସେ ପୁଣ ଚାହିଁ ହୃଦୟରେ ବିସ୍ମାଦ ।। ୨୯ ।।

 

ନମୁଚିରେ ରହି ନମିତ ତୁ ନୋହି ଯାହା କହିଲୁ ତୁ ପାମର ।

ନମୁନା କରିଣ ଦଶମୁଣ୍ଡ ଜାଣ ନିଅନ୍ତି ପ୍ରଭୁଙ୍କ ଛାମୁର ।

ନମସ୍ୟ । ନିହନ୍ତା ତୋର ଯେ ଶ୍ରୀରାମ ।

ନିଷେଧ କରିଣ ଥିବାରୁ ପାପିଷ୍ଠ ଭାବିତ ହୁଅଇ ମରମ ।। ୩୦ ।।

 

ଟାସାଁକଥା ଶୁଣି ରାବଣ ଯେ ପୁଣି ମହା କ୍ରୋଧେ ରଙ୍ଗ ନୟନ ।

ଟାପରା ଯେ ପ୍ରାୟେ ସେପରି ନିର୍ଭୟେ କହୁ କଥାବଳି ତୁ ପୁଣ ।

ପାମର । ଟାଣ ଭାଙ୍ଗିଛି ସଚିପତି ।

ଟଙ୍କାର ଯେ ମୋର ଚାହିଁଣ ତ୍ରୀପୁର କମ୍ପେ ତୁ କି କହୁ ଦୁର୍ମତି ।। ୩୧ ।।

 

ଠଉରାଇଲି ତୋତେ ଦୁଷ୍ଟ ବୋଲିଣ ନିଶ୍ଚୟେ ତାହା ଘଟିଥିବ ।

ଠକ ନିଶା ଭୋଳ ତସ୍କରଙ୍କ ଜାଳ କାହାକୁ ଯେ ଭୟ ନୋହିବ ।

ତୋ ଠାଣି । ଠକା ଠକି ଜଣା ଗଲାଣି ।

ଠୁଳ ବ୍ରହ୍ମସାର ଠାକୁର ସେ ତୋର ଗର୍ବ ଭାଙ୍ଗିବେ ଆସିଲେଣି ।। ୩୨ ।।

 

ଡିଆଁମାରି କେତେ କହୁ ମୁଢ଼ମୋତେ ଡିମ୍ବରୂପ ଦେଖାଉ କାରେ ।

ଡାକରା ପଡ଼ୁଛି ତ୍ରୀପୁର କମ୍ପୁଛି ଉଣା ବୁଝୁ ଧମ ତୁ ମୋରେ ।

ପାମର । ଡୁଇଁ ହୁଅ ନାହିଁ ନୟନ ।

ଡ଼ୁବନ ହୋଇଛୁ କାହାବଳେ ଜାଣ ଡିଙ୍ଗର ଭାବ ଛାଡ଼ି ଘେନ ।। ୩୩ ।।

 

ଢାଳେ ତୁରେ ଦେଖ ଢମପଣ ଟେକ ନାଶ ହେବୁ ମୁର୍ଖ ଭାବୁକି ।

ଢଙ୍ଗ ଅଛି ଜଣା ପାଇଣ ଯାତନା ଢ଼ୁକି ବିଷ ନାଶ ହେବୁକି ।

ଢେମଣ । ଢକା ବଜାଇଣ ଶ୍ରୀରାମ ।

ଢମାଳି ଗୀରକୁ ସେ ଯେ ନ ଚାହିଁବେ ଭାଙ୍ଗିବେ ତୋହର ମରମ ।। ୩୪ ।।

 

ଆଣି ତାର କେତେ ଦେଖାଉରେ ମୋତେ ନରଟାଏ ଜଟା ବାନ୍ଧିଣ ।

ଅରଣ୍ୟେ ବୁଲିଣ ହୋଇଛି ସେ ଦୀନ ଫଳମୂଳ କରେ ଭକ୍ଷଣ ।

ବିଚାର । ଅଖଣ୍ଡ କାନ୍ତି ଯେ ମୋହର ।

ଆହାର ସେ ମୋର ନବୁଝି ତୋ ଉର କହୁକି ହୋଇଣ କୋୟର ।। ୩୫ ।।

 

ତ୍ରୈଲୋକ୍ୟ ଠାକୁର ତାକୁ ବୋଲୁ ନର କମଳାଙ୍କୁ ନାରୀରେ ଲେଖୁ ।

ତପ୍ତାଙ୍ଗାର ମୂର୍ତ୍ତି ଲକ୍ଷ୍ମଣ ଯା କୀର୍ତ୍ତି ବାରେ ତାଙ୍କୁ ହୃଦେ ନ ଯୋଖୁ ।

ଢମରେ । ତପ୍ତ ହୃଦ ସିନା ବହିଣ ।

ଚଞ୍ଚକ ଗୁଣ ତୋର ହେବ ନିଧନ ନ ଭାବୁକିରେ ମୁଢ଼ପଣ ।। ୩୭ ।।

 

ଥେଣ୍ଟାଇବା ଗୀର କହୁ କା’ଆଗର ଥୟକର ମନ ନିର୍ଲ୍ଲଜ ।

ଥର ୨ ଦେବ ସୁରାଦି ବାସବ ପ୍ରଚଣ୍ଡ ରାଶି ମୋର ହେଜ ।

ଥୋବରା । ଥଟା କରୁ କିନା ତୁ ମତେ ।

ଥକିକରି ସେହି ତା ପତ୍ନି ମାଗଇ ଭୟ ଦେଖାଉ ଯେ ତୁ କେତେ ।। ୩୭ ।।

 

ଦରାରି ଯା ନାମ ତାଙ୍କୁ ହୃଦେ ଗମ ତୁ କୀଟ ପ୍ରାୟେ ତାଙ୍କ ଠାରେ ।

ଦନୁଳ ନାଶନେ ଭ୍ରମନ୍ତି ଅରଣ୍ୟେ କାଳବଶେ ଭାବୁ କି ଉରେ ।

ଦେଖତୁ । ଦଣ୍ଡଧର ସେହି ଶ୍ରୀମୂର୍ତ୍ତି ।

ଦେଖିବୁ ରେ ତୁହି ସର୍ବଶ ହରାଇ ତୋ ପିଣ୍ଡ ଲଭିବ ଦୁର୍ଗତି ।। ୩୮ ।।

 

ଧିଟ ତୁ ନ ବୁଝି କି କହୁ ନ ହେଳି ଆରେ ପାମର ଏହା ଜାଣ ।

ଧିଆଇଣ ଇନ୍ଦ୍ର ମାଳାକାର ଚନ୍ଦ୍ର ଛତ୍ରଧରି ଉଭା ସେ ପୁଣ ।

ଧ୍ୟାନରେ । ରବି ଦ୍ୱାରପାଳ ହୋଇଛି ।

ଧାରଣୀକ ହୋଇ ପବନ ସେ ଜାଣ ଗୃହ ପରିଷ୍କାରେ ରହିଛି ।। ୩୯ ।।

 

ନୟନ ବୁଲାଇ ମହାକ୍ରୋଧ ବହି କି କହୁରେ ମୁଢ଼ ପାପିଷ୍ଠ ।

ନରାନ୍ତକ ରୂପ ଦେଖିବୁ ସମୀପ ନରାଧମ ମୂଢ଼ ତୁ ଦୁଷ୍ଟ ।

ନିଗମେ । ନ ବୁଝି ନିରତେ ଗରିଷ୍ଟ ।

ନାହିଁ ତୋରମୁଣ୍ଡ ହେଲା ଜାଣ ଖଣ୍ଡ ଶୃଗାଳାଦିଙ୍କୁ ହେବ ମିଷ୍ଟ ।। ୪୦ ।।

 

ପଣ୍ଡିତ ତୁ ଏକା ନ ରଖିଣ ଶଙ୍କା କହୁ କରେ ଦେଖାଇଣ ପଣ ।

ପଟୁତା ତୋହର ଜାଣିଛି ପାମର ଢାଙ୍କିରଖ ଏବେ ତୋ ଗୁଣ ।

ପଣ ତୋ । ପ୍ରକାଶ କରୁଛୁ କା ଆଗେ ।

ପରିପାଟି ତୋର ଲୋଡ଼ାନାହିଁ ମୋର ବୁଝାଅ ଯାଅ ତୁ କା ଆଗେ ।। ୪୧ ।।

 

ଫଣୀଶ୍ୱର ପ୍ରାୟେ ଅଙ୍ଗଦ ଯେ ହୁଏ ବୋଲଇ ଜାଣ ତୁରେ ଦୁଷ୍ଟ ।

ଫଳଦ ହୁଅନ୍ତି ଦେଖନ୍ତି ତୋ’କାନ୍ତି ଆଜ୍ଞା ନ ଦେଲେ ରଘୁଶ୍ରେଷ୍ଠ । ପାମର ।

ଫୁଲାଉ ଥିବାର ତୋଛାତି ।

ଫଟାଇ ମରମ ଦେଖାନ୍ତିରେ ଯମପୁରେ ବାସ ତୋତେ ଦିଅନ୍ତି ।। ୪୨ ।।

 

ବଂଶନେତ୍ର ଚାହିଁ ମହାକ୍ରୋଧ ବହି ବୋଲଇ ପଳାଯାରେ ଶଠ ।

ବିଦୁଷ ବଚସା କରୁ ଛାଡ଼ି ଆଶା କହୁ କି ଭାବିଣ ରେ ଦୁଷ୍ଟ ।

ବୈନେତ୍ର । ବ୍ରହ୍ମାଦି ଭୟେ ତ୍ରସ୍ତ ହୋଇ ।

ବଳିକରି ମୋର ଆଗେ କହିବାକୁ କାହାକୁ ଯେ ମୁନ ଦେଖଇଁ ।। ୪୩ ।।

 

ଭୀମରାବ କରି ଅଙ୍ଗଦ ହୁଙ୍କାରି କି କହିଲୁ ତୁ କେଡ଼େବଳୀ ।

ଭଲେ ଠିଆ ହୁଏଁ ଆସ ରକ୍ଷପୁଏ ପାଦ ଘୁଞ୍ଚାଅ ବଳେ ପେଲି ।

ରାବଣ । ଭରସା ରହିବ ମୋହର ।

ଭିଡ଼ାଅ ତୁ ବୀର ପାଦ ଘୁଞ୍ଜା ମୋର ତୁହି ସହିତେ ଭିଡ଼ା ଉର ।। ୪୪ ।।

 

ମର୍ମବାଣୀ ଶୁଣି ମହାକ୍ରୋଧେ ପୁଣି ମହା ୨ ବୀର ଅଣାଇ ।

ମର୍ଦ୍ଦିତ କର କିଦୃଶ ବାନର ଭୟ ଦେଖାଏ ଗର୍ବ ବୋହି ।

ଏଛାର । ମହାବଳୀରୂପ ଦେଖାଏ ।

ମରିବାକୁ ତାର ନ ଭାବେ ପାମର ଗାରିମା ଦେଖାଇଣ କହେ ।। ୪୫ ।।

 

ଯୋଗାଡ଼ ଚାହିଣ ଅଙ୍ଗଦ ଯେ ପୁଣ ଉଭା ହେଲେ ରକ୍ଷ ସଭାରେ ।

ଯାହାର ଯେ ବଳ ଦେଖାଅ ସକଳ ପାଦଟାଳ ବାହୁ ବଳରେ ।

ଜାଣିବି । ଯୋଦ୍ଧାବୀର ରକ୍ଷ ଥିବାର ।

ଜାଣି ଯଶ କୀର୍ତ୍ତି ବଳିବୀର ମୂର୍ତ୍ତି କେମନ୍ତ ବୀର ଦଶଶିର ।। ୪୬ ।।

 

ରକ୍ତ ନେତ୍ର କରି ଅସୁରେ ହୁଙ୍କାରି ଅଙ୍ଗଦ ଅଙ୍ଗରେ ଭିଡ଼ିଲେ ।

ରାବଧ୍ୱନି ତାଙ୍କ ବଳ ବପୁ ଟେକି କିଅର୍ତ୍ତେ ନହିଁ ନାଶ କଲେ ।

ଅଙ୍ଗଦ । ରଖିଥିବା ପାଦ ନ ଟଳି ।

ରବାଣ କ୍ରୋଧରେ କହଇରେ ବଳୀ ପାରିଲି ପ୍ରାକର୍ମ ତୋକଲି ।। ୪୭ ।।

 

ଲୋହିତ ନୟନ ବାକିର ନନ୍ଦନ ବୋଲଇ ଶୁଣ ଦଶାନନ ।

ଲୋକପାଳଙ୍କୁ ଜୟକର୍ତ୍ତା ତୁ ଅଟୁ ଦେଖା ବଳ ତୋର ଯେ ଟାଣ ।

ଲୋଳିତ । ଲାଞ୍ଛନ ଦେହ କି ଦେଖାଉ ।

ଲାଜ ପାଇକରି ଅସୁର ରହିଲେ ଆସ କିସ ତୁ ଯେ ବିଚାରୁ ।। ୪୮ ।।

 

ବଂଶଧର ବୀର ପରାକ୍ରମୀ ଅସୁର ଦେଖି ହତ ବଳ ରାବଣ ।

ବଳକୁ ଦେଖାଇ ଆପେ ଠିଆ ଭିଡ଼ିଲା ଅଙ୍ଗଦ ଚରଣ ।

ବିପୁତା । ବିନାଶ କରିଣ ବସିଲା ।

ବିଷାଦ ପାଇଣ ବିମନା ହୋଇଣ ବିସ୍ମୟ ମୂର୍ତ୍ତିରେ ରହିଲା ।। ୪୯ ।।

 

ଶ୍ରୀରାମ ଧ୍ୟାଇଣ ସନ୍ତୋଷ ବହିଣ ଅଙ୍ଗଦ କହଇ ରାବଣ ।

ଶର୍ବ ଶକ୍ତି ତୋର କଲି କିନା ଚୂର କି କହୁଛୁ କହ ତୁ ପୁଣ ।

ସକଳ । ଶୁଭଦ ତୋହର ଯାହେବ ।

ସର୍ବ ଶେଷକରି କହତୁ ବିଚାରି ଯେପରି ଶୋଭା ପ୍ରକାଶିବ ।। ୫୦ ।।

 

ଷଢ୍‌ବର୍ଗକୁ ଧରି ରାବଣ ହୁଙ୍କାରି ବୋଲଇ ଯାଅ ତୁ ରେ ବଳୀ ।

ସମସ୍ୟା ମୋହର ଜାଣ ତୁ ପ୍ରଚୁର ଯୁଦ୍ଧବିନା ନ ଦିୟେଁ ବାଳୀ ।

ବୁଝିବୁ । ଶରଣ ପଶିବି କାହିଁକି ?

ସୁରା ସୁରକାନ୍ତି ମୋର ଯେ ବିଭୁତି ପ୍ରତାପ ବଳ ମୋ ନାହିଁକି ? ।। ୫୧ ।।

 

ସଂଗ୍ରାମ ତୁ ସାଜ ନୋହି ହତବୀର୍ଯ୍ୟ ଜାଣିବା ତୋ ବଳ ପରାକ୍ରମ ।

ସଂକ୍ରାମକ ସେହି ସେ ଯେ ସୀତାସାଇଁ ଦେଖାଇବେ ତୋର କରମ ।

ସମସ୍ୟା । ଶଠତା ବୁଝିଲି ଏଥିର ।

ସଧୀରେ ଯାଉଛି ବୁଝାଇ କହୁଛି ସୀତା ସମର୍ପି ଭାବିଧର ।। ୫୨ ।।

 

ହରଷେ ଅଙ୍ଗଦ ଘେନିଣ ସମ୍ବାଦ ଶ୍ରୀରାମ ସମ୍ମୁଖେ ଜଣାଇ ।

ହୃଷ୍ଟ ହୋଇ ତହିଁ ସେ ଯେ ସୀତାସାଇଁ ସଂଗ୍ରାମ ସାଜ ଲଙ୍କାସାଈଁ ।

ହରଷେ । ହୁଁଙ୍କାର ରାବ ହରି କରି ।

ହନୁମନ୍ତ ସୁଗ୍ରୀବ ଯେ ବୀରମାନେ ସଂଗ୍ରାମ ଭାବକୁ ସୁମରି ।। ୫୩ ।।

 

କ୍ଷତି ଦୁର୍ଗତି ନାଶନ ପାଇଁ କି ପୂର୍ବ ସଞ୍ଚିତ ଏ ଭିଆଣ ।

କ୍ଷାତ ନରମେଳେ କରିବା ପାଞ୍ଚିଲେ ପୁର୍ଣ୍ଣବ୍ରହ୍ମ ସେ ରଘୁରାଣ ।

କ୍ଷୋଭିତ । କ୍ଷିଳନାଥଙ୍କୁ ନାହିଁ ଲେଶ ।

କ୍ଷାତ ଏହାକଲି ରାମ ପାଦ ଭାଳି ଦୀନ ହୀନ ବିହାରୀ ଦାସ ।। ୫୪ ।।

 

ଦ୍ୟୁତଖେଳ ଚୌତିଶା ।

(ରାଗ-ଘଣ୍ଟାରବ)

 

କ୍ଷିତି କର୍ମ ଗୁଣ ଧରି । କ୍ଷାତା ପନ୍ନଙ୍କୁ ସୁମରି ।

କ୍ଷେପି ସମାଚାର ଭ୍ରମିଲି ସଂସାର କର୍ମ କ୍ଷେତ୍ର ଅପହରି ।। ୧ ।।

 

ହୁଙ୍କାର ନାଦ ପ୍ରବଳ । ହଉଛି ଜନ ବାଚାଳ ।

ହଜିଗଲା ଜ୍ଞାନ ଦେଖିବା ଉଚ୍ଛନ୍ନ ବନ୍ଧୁଗଣ ସଙ୍ଗେ ଚାଲ ।। ୨ ।।

 

ସଙ୍ଗ ବନ୍ଧୁ ମେଳ ହୋଇ । ସମସ୍ୟା ଦେଖିଲୁଁ ଯାଇ ।

ସାଜିଣ ସମାଜ କପର୍ଦି ରସରେ ମୂଢ଼େ ହୋଇଛନ୍ତି ବାଇ ।। ୩ ।।

 

ଷୋଢ଼ସାଙ୍ଗି ନର ମେଳ । ସମସ୍ୟା ଦୁଃଖଜ ସ୍ଥଳ ।

ଷଢ଼ରସ ଏଡ଼ି କୁଳ ଲଜ୍ୟାଛାଡ଼ି ନାଶକ ଧର୍ମର ମୂଳ ।। ୪ ।।

 

ସର୍ବ ସମ୍ପତ୍ତି ହରାଇ । ଶାନ୍ତି ତଡ଼ି ଦେଇ ବାଇ ।

ସର୍ବାଙ୍ଗ ୟାଙ୍କର ମୃତ୍ୟୁବତ୍ ଶରୀର ଅଶନ ଶୟନ ନାହିଁ ।। ୫ ।।

 

ବାକ୍ୟରେ ବ୍ରହ୍ମାଣ୍ଡ ଭୂତି । ବିନାଶକ ଜାଣ ଯୁକ୍ତି ।

ବସି ରାତ୍ରଦିନ ହୁଅନ୍ତି ଉଚ୍ଛନ୍ନ ସଦାକାଳେ ଅତୃପତି ।। ୬ ।।

 

ଲଗାଇଣ ମନ ଧନ । ଲୟ ନାହିଁ ଲୋକ ଚିହ୍ନ ।

ଲୋକ ରଞ୍ଜନର ତେଜ୍ୟା ଗୃହଦାର ଲୋଭାଗ୍ରସ୍ତେ ଏ ଉଚ୍ଛନ୍ନ ।। ୭ ।।

 

ରଖିଥିବା ପୂର୍ବ ବିତ୍ତ । ରଙ୍ଗ ଭାବ ସବୁ ହତ ।

ରଙ୍କ ଗୁଣ ଭାବି ଦେଖ ୟାଙ୍କ ଛବି ଭାବିତ ହୁଅ ସ୍ୱଚିତ୍ତ ।। ୮ ।।

 

ଜାନକୀ କେତକି ମତି । ଜ୍ୱଳନ୍ତାନଳରେ ମାତି ।

ଜାତି କୁଳନଷ୍ଟା ଏ ଯେ ମତଭ୍ରଷ୍ଟା ପାପିଷ୍ଠ ଏ ଯେ ଦୁର୍ମତି ।। ୯ ।।

 

ମମ ମର୍ମ ବିଦାରକ । ମଜ୍ଜିତ ଜୁଆରେ ଦେଖ ।

ମମ ସମାଚାର ତାର ଗୃହଦ୍ୱାର ଅଚିନ୍ତା ଦେଖା ଭେଖ ।। ୧୦ ।।

 

ଭୟ ଭ୍ରାନ୍ତି ସବୁ ଏଡ଼ି । ଭଜି ଦିବା ନିଶି ଜଡ଼ି ।

ଭୋଜନ ଶୟନ କିଛି ନ ଜାଣିଲା ଗୃହ ଧନକୁ ଫୋଫାଡି ।। ୧୧ ।।

 

ବଡ଼ ବିଷମ ମୋ ହେଲା । ବିବେକ ମୋର ବୁଡ଼ିଲା ।

ବାସନ ବର୍ତ୍ତନ ଅଳଙ୍କାର ମାନ ଜୁଆମୂଳେ ସବୁ ଦେଲା ।। ୧୨ ।।

 

ଫଟା କପାଳକୁ ମୋର । ଫଳଥିଲା ଜୁଆ ଚୋର ।

ଫିଟିବ ଦୁର୍ଦ୍ଦଶା ଅନ୍ୟଠାରେ ଆଶା ଭାବଇ ମନେ ମୋହର ।। ୧୩ ।।

 

ପ୍ରଶଂସିତ ଆରେ ରାମ । ପ୍ରବାସ ହେଲା ମୋ କର୍ମ ।

ପ୍ରଜ୍ୱଳିତ ଗାତ୍ର ଜାନକୀ ଚରିତ୍ର ଭାବିତରେ ହୁଅ ମର୍ମ ।। ୧୪ ।।

 

ନୟନେ ଦେଖ ତରାଟି । ନୀଳବସ୍ତ୍ର ପିନ୍ଧା ଗୋଟି ।

ନୃଶଂସ ଗୁଣରେ ଧରି ଜୁଆଚୋରେ ବାନ୍ଧି ନେବେ ଗୋଟି ୨ ।। ୧୫ ।।

 

ଧ୍ୱଂସ ହେବ ଗର୍ବ ୟାର । ଧମକେ ନିର୍ଭୟ ଉର ।

ଧପା ବାଜି ଗୁଣେ ନିରସ୍ତ ନ ଭଜି ଦଣ୍ଡ ପାଇ ଖେଳେ ଚୋର ।। ୧୬ ।।

 

ଦୃଷ୍ଟିକର ବନ୍ଧୁଗଣ । ଦୟାହୀନ ଜନ ସ୍ଥାନ ।

ଦୃଷ୍ଟି କରିବାର ଭାବ ୟା ଅସାର କି ବୋଲିବେ ସଭ୍ୟଜନ ।। ୧୭ ।।

 

ଥଳ କୁଳ ବୁଡ଼ା ନୀଚ । ଥିଲା ମୋ କର୍ମେ ପ୍ରପଞ୍ଚ ।

ଥୟ କର ମନ ଭଗିୟା ତୁ ଶୁଣ ସଦାକାଳେ ବଳି ସଞ୍ଚ ।। ୧୮ ।।

 

ଡକାଅ ଭାଗବତିଆ । ତତ୍ତ୍ୱ ଦର୍ଶୀ ହୁଅ ତାହା ।

ତ୍ରୀଲୋଚନ ଘର କଲା ନାରଖାର ଚଞ୍ଚଳାକୁ ବୁଝ ତାହା ।। ୧୯ ।।

 

ଅଣିମାଦି ସବୁଗଲା । ଅଣୁ ପ୍ରମାଣେ ଯା ଥିଲା ।

ଅଣ ଆୟତ୍ତରେ ବଳଦେବ ଘରେ ସବୁ ଯାଇ ବୁଡ଼ାଇଲା ।। ୨୦ ।।

 

ଢମପଣ ମାର୍କଣ୍ଡର । ଢାଙ୍କି ଥିବା ଧନ ତାର ।

ଢଳିଲା ଜୁଆରେ ଭାବ ୟା ମନରେ ବାୟୁ ପାଇ ଧନେଶ୍ୱର ।। ୨୧ ।।

 

ଡିଆଁମାରି ବନମାଳୀ । ଡୁବିଣ ଜୁଆର ସ୍ଥଳୀ ।

ଡାକି କହୁଥିଲେ ନ ସରିବ କାଳେ ଜୁଆ ଅସାର ଯା ସ୍ଥଳୀ ।। ୨୨ ।।

 

ଠୁଳ ଭବେ ଏ ଅସାର । ଠକ ବେଶ୍ୟା ଜୁଆଚୋର ।

ଠାଣି ଆଉ ଦେଖ ମଦୁଆକୁ ରଖ ମାଦକ ସବୁ ଅସାର ।। ୨୩ ।।

 

ଟଙ୍କଧର ପାଢ଼ୀ କଥା । ଟକ ୨ ଯିବ ବୃଥା ।

ଟଙ୍କା ସୁନାସାରି ମଦତକୁ ଧରି ଆପୁ କିଣି ଧନ ବୃଥା ।। ୨୪ ।।

 

ନିୟମ ନୀତି ନିପୁଣ । ନିରାପଦ ଭାବ ମନ ।

ନିର୍ଗତ ପ୍ରେମ ଉଲ୍ଲାସରେ ମାତି କୁଟୁମ୍ବ ହୁଅ ପୋଷଣ ।। ୨୫ ।।

 

ଝରୁଥିବ ସୁଧାଗିର । ଝଗଡ଼ାକୁ ଦୂର କର ।

ଝଳିବା ଉପାୟ ହୃଦୟେ ସଞ୍ଚୟ ଭାବନା ରଖ ଶରୀର ।। ୨୬ ।।

 

ଜୁଆ ଜପା ମାଳିକାରୀ । ଜାଣି ଅନ୍ତର ବିଚାରି ।

ଯଶସ୍ୱୀ ଦୋଲାଅ ଜାଗ୍ରତରେ ଥାଅ ଜାଣି କାଳକୁ ନିହାରି ।। ୨୭।।

 

ଛଦ୍ମବେଶଧାରୀ ଗୁଣ । ଛାର ଲୋକ ସଙ୍ଗ ଚିହ୍ନ ।

ଛାଡ଼ି କରି ଚାଲ ହୋଇ ବନ୍ଧୁମେଳ ଭାବିବସ ଜନାର୍ଦ୍ଦନ ।। ୨୮ ।।

 

ଚତୁର ଆହେ ଅର୍ଜୁନ । ଚମତ୍କାର ଏ ଭୂବନ ।

ଚିରାୟୂ କେ ନାହିଁ ଦେଖ ଏ ଯେମହି ସିଦ୍ଧାନ୍ତ ଭାବ ସ୍ୱ ମନ ।। ୨୯ ।।

 

ଉଇଁଥିବା ଦେଖ ଶଶି । ଉଆଁସ ଦିନକୁ ଘୋଷି ।

ଉଦୟ ପୂର୍ଣ୍ଣମୀ ଅମାବାସ୍ୟା ଭ୍ରମି କାଳ ଯାଉଅଛି ଖସି ।। ୩୦ ।।

 

ଘୃଣାକର ଏ ସଂସାର । ଘଟାଅ ବନ୍ଧୁସ୍ୱ ଉର ।

ଘର ବାଡ଼ି ଦେଖ ହେବ ଏ ବିମୁଖ ସବୁ ହେବ ନାରଖାର ।। ୩୧ ।।

 

ଗମିଲି ଯାହା ହୃଦୟ । ଗଭୀରତା ଜ୍ଞାନୋଦୟ ।

ଗମାଗମ ବାର୍ତ୍ତା ତୁମ୍ଭ ଯେ ବ୍ୟବସ୍ଥା ଭଜି ରହ ପ୍ରେମମୟ ।। ୩୨ ।।

 

ଖ୍ୟାତାପନ୍ନ ହୁଅ ବନ୍ଧୁ । ଖ୍ୟାତି କର ପୂର୍ଣ୍ଣ ଇନ୍ଦୁ ।

ଖେଦ ଭାବିମନ କର ହୃଦେ ଧ୍ୟାନ ଦେଖାଇଲି ସ୍ନେହ ବିନ୍ଦୁ ।। ୩୩ ।।

 

କହି ଦେଲି ବନ୍ଧୁ ଗଣେ । କର୍ମ ଧରି ତୁମ୍ଭ ସ୍ଥାନେ ।

କରୁଛି ଭ୍ରମର ଦୟହୃଦେ ଘେନ ବିହାରୀ ଦାସ ଅଜ୍ଞାନେ ।। ୩୪ ।।

 

Unknown

ନୀତିହାର ।

 

ଆଗତ ପ୍ରୀୟ ବନ୍ଧୁଗଣ ପ୍ରଭୁଙ୍କର ପ୍ରସାଦ ପରି ନୀତିହାର ଅର୍ପଣ କରୁଅଛି ।

 

ସିଦ୍ଧି ବିନାୟକ ଆହେ ବାକ୍ୟଦେବୀ ଶୁଣ ।

ଧିଆନରେ ଆସି କଳ୍ପନାକୁ କର ପୂର୍ଣ୍ଣ ।। ୧ ।।

 

ରଣ ଦାନଦ ହୁଅ କଣ୍ଠେ ଆସି ବସ ।

ସ୍ତୁତି ମମ ଘେନ ଆହେ ଭବକୁ ପ୍ରକାଶ ।। ୨ ।।

 

ଅକାରଣେ କର୍ମ ଧର୍ମ ଭବରେ ଲଞ୍ଛନ ।

ଆସୁଛି ଯାହା ମନକୁ ତାହା ଶୁଭ ଚିହ୍ନ ।। ୩ ।।

 

ଇତସ୍ତତଃ ଭ୍ରମୁଅଛି ନିରଙ୍କୁଶେ ଭାଇ ।

ଇଚ୍ଛା କଳ୍ପନାକୁ ପୂର୍ଣ୍ଣ କର୍ତ୍ତା ହୁଅ ଧ୍ୟାଇ ।। ୪ ।।

 

ଉଦ୍‌ବେଗ ସାହସ ଯନ୍ତ୍ର ଆଶ୍ରୟୀ ହୃଦୟ ।

ଉଡ଼ାଇ ମନକୁ ହେଉ ଅଛ ହେ ଉତ୍ସାହ ।। ୫ ।।

 

ଚାପି ଯାଇଥିବା ବ୍ୟାସ ବଲ୍ମୀକାଦି ମନୁ ।

ରୂପାନନ୍ଦ ବ୍ରହ୍ମବୀଜ ଦେଖ ତାଙ୍କ ତନୁ ।। ୬।।

 

ଲୁକାଇତ ହେଉଅଛ ପ୍ରକାଶକେ କର୍ତ୍ତା ।

ଲୁକାଦିରେ ତାଙ୍କ ରୂପ ଗୁଣ ଗଭୀରତା ।।୭।।

 

ଏହିକାଳେ ତାଙ୍କପରି ଦେଖି ପାର କିନା ।

ଐଲ ଭବ ଭାବେ ଚାହଁ ସ୍ୱଇଚ୍ଛା କଳ୍ପନା ।। ୮ ।।

 

ଔତ୍ପାତ୍ତିକ ଭାବେ ଗଲେ କିଫଳ ରହିଛି ।

ଔଦାସ୍ୟ ନୋହିଣ କହ ଯାହା ସେ ଦିଶୁଛି ।।୯।।

 

ଅନ୍ତଃକରଣରେ କାଳ ନ ବିଚାରି ଗମ ।

ଅନ୍ତର୍ଗତେ ଭାବିଦେଖ ଲକ୍ଷ ଧର୍ମ କର୍ମ ।।୧୦।।

 

କର୍ମ କ୍ଷେତ୍ର ଏହି ଭବ ଆଉ କି ରହିଛି !

ଖଳବୁଦ୍ଧି ଛାଡ଼ି ବନ୍ଧୁ କରାଅ ତା ଖ୍ୟାତି ।।୧୧।।

 

ଗଣ ଦେବତା ତୁମ୍ଭର କର୍ମ ସଙ୍ଗେ ଥାନ୍ତି ।

ଘଟାଅ ଭବ ମଧ୍ୟରେ ଭାବ ହୃଦେ ଚିନ୍ତି ।।୧୨।।

 

ଉଇଁଥିବା ଏ ଜୀବନ ଚିର ନୁହେଁ ଜାଣ ।

ଚମତ୍କାର ଭବ ଛାଡ଼ି ଉଆଁସରେ ଲୀନ ।।୧୩।।

 

ଛନ୍ଦାନୁସରଣ ଛାଡ଼ି ସ୍ୱ ନିୟମ ହେଜ ।

ଜଡ଼ିତ ହୋଇ ହୃଦୟ ଷଢ଼ରସ ଭୁଞ୍ଜ ।।୧୪।।

 

ଝଟକ ତୁମ୍ଭର ଚାହିଁ କର୍ମକୁ ଦେଖାଇ ।

ନିୟମ ପ୍ରସିଦ୍ଧ ଗିର ସିଦ୍ଧ ବାକ୍ୟ ଏହି ।।୧୫।।

 

ଟାଳି ସବଂଶ ମର୍ଯ୍ୟାଦା ଧର୍ମକୁ ଧ୍ୟାଇଲେ ।

ଠାବ ତୁମ୍ଭନାହିଁ ବନ୍ଧୁ ଭାବ ହୃଦ ସ୍ଥଳେ ।।୧୬।।

 

ଡିଆଁ ମାରି ଚାଲିଗଲେ ଧର୍ମ ମୂଳ ନାଶ ।

ଡଂକା ବଜାଇଣ କାମ ପ୍ରବଳ ହୁତାଶ ।।୧୭।।

 

ଆଣି ହୃଦେ ସ୍ନିଗ୍ଧଭାବ ଦାଣ୍ଡରେ ପଥିକ ।

ଢକାଇବା ଠାରେ କାମ ଯମଗୁଣ ରଖ ।।୧୮।।

 

ଥୟକାରୀ ସ୍ୱକୁଳ ସମାଜ ମାତା ପିତା ।

ଦାୟିତ୍ୱରେ ଦେଇଥିବା ଭାବ କାମ ଚିନ୍ତା ।।୧୯।।

 

ଧର୍ମପତ୍ନୀ କ୍ଷାତା ଗର୍ଭୁ ଉତ୍ପନ୍ନ ଯା ହେବ ।

ନରଲୋକେ ପ୍ରଶଂସିତ କାନ୍ତି ଦେଖାଇବ ।।୨୦।।

 

ପ୍ରକାଶ ହେବ ସନ୍ତାନ ବଂଶ ରକ୍ଷାକାରୀ ।

ଫଳ ମଧୁ କ୍ରୟ ଖାଇ କୁଟୁମ୍ବ ନିହାରି ।।୨୧।।

 

ବଶିଷ୍ଠାଦି ଗୃହସ୍ଥ ମର୍ଯ୍ୟାଦା ବରାଶ୍ରମ ।

ଭୁତାଦି ମଧ୍ୟେ ମାନବ ଶ୍ରେଷ୍ଠ ଜ୍ଞାତା ମର୍ମ ।।୨୨।।

 

ମମଶ୍ରେଷ୍ଠ ଭାବିବାର ଯୁକ୍ତି କି ୟା ଭାବ ।

ଜାଣି ବୁଝି ଭବେ ଆସି ପାଅ ପରାଭବ ।।୨୩।।

 

ରକ୍ଷକ ଈଶ୍ୱର ଆମ୍ଭ କାଳ ରୀତି ଗତି ।

ଲକ୍ଷ କରି କ୍ଷମା ଶାସ୍ତି ଦେଉଣ ଅଛନ୍ତି ।।୨୪।।

 

ବସିଛ ହେ ସଭ୍ୟ ବୃନ୍ଦ କର୍ମ ଧର୍ମ କାମ ।

ସଂସାରେ ଦେଖାଇ ଦେଲି ମୋକ୍ଷାଦି ୟେ ମର୍ମ ।।୨୫।।

 

ଷଢ଼ଙ୍ଗ ପାଇଣ ବନ୍ଧୁ ଷଡ଼ଭିଜ୍ଞ ହୁଅ ।

ସଂସ୍ଥାମହି ଚରିତ୍ରକୁ ହୃଦୟେ ତା ବହ ।।୨୬।।

 

ହର୍ଷାନନ୍ଦେ ଭାବ ଚାହିଁ ସଙ୍ଗେ ଅଛି ରହି ।

କ୍ଷମା ମାଗୁଅଛି ବନ୍ଧୁ ରଖ ଠାବ ଦେଇ ।।୨୭।।

 

କ୍ଷାତିପନ୍ନ ଭବେ ହେବ ଭାବିଲେ ସଂସାର ।

ହୃଦୟରେ ଶାନ୍ତିରସ ଭାବ ସୁଧାଗିର ।।୨୮।।

 

ସଂହିତା ପୂର୍ବ ସଞ୍ଚିତ ଦାଣ୍ଡକୁ ସୁନ୍ଦର ।

ଷଟକର୍ମ ଆଶ୍ରୟ ଧରି ଏ ଭବେ ବିହର ।।୨୯।।

 

ଶୋଧନ ଭାବ ଧଇଲେ ଶୋଭିତ ହୋଇବ ।

ବ୍ୟସନକୁ ଦୂର କରି ବ୍ୟବହୃତେ ଥିବ ।।୩୦।।

 

ଲକ୍ଷ ହେବ ଜନସ୍ଥଳେ ଲକ୍ଷ୍ମୀ ସିଂହାସନ ।

ରଖ ସଦାକାଳେ ଯଶ ରୂପ ଦେଖାଇଣ ।।୩୧।।

 

ଯୋଡ଼ ହେବାଭାବ ଧର ଯୋଗ୍ୟତା ଦେଖାଇ ।

ମର୍ମହନ୍ତା ହୁଅବନ୍ଧୁ ସୁଧାଗିର ଦେଇ ।।୩୨।।

 

ଭୟାବହ ବାଟ ଛାଡ଼ ଭଦ୍ରତାକୁ ରଖି ।

ବଳ କୌଶଳରେ ରହ ବନ୍ଧୁ ଭାବ ଚାଖି ।।୩୩।।

 

ଫଳ ଅବଶ୍ୟ ପାଇବ ସୁନିୟମେ ଥିଲେ ।

ପ୍ରକାଶ ହେବ ଜଗତେ ପ୍ରେମିଙ୍କର ସ୍ଥଳେ ।।୩୪।।

 

ନିତି ଚିନ୍ତି କୁଳମୂଳ କୌଳିକ ବିଷୟ ।

ଧର୍ମ ଧରି କର୍ମ ସଙ୍ଗେ ମାତି ପ୍ରେମାଶୟ ।।୩୫।।

 

ଦୁର୍ମତି ସଙ୍ଗକୁ ଛାଡ଼ ଦୁଲ୍ଲାଳ କୁହାଅ ।

ଥୋଇବା ଚିର କାଳକୁ ଯଶ ଗୁଣ ଧ୍ୟାଅ ।।୩୬।।

 

ତତ୍ତ୍ୱ ଜ୍ଞାନୀ ସଙ୍ଗ ଚାହିଁ ତତ୍ୱାବଧାରକ

ଅଣାମାଦି ପାଇ ରହ ଚାଁହ ଭବ ଲୋକ ।।୩୭।।

 

ଢପ ଦେଖାଇ ରହିଲେ ସର୍ବନାଶ ଭାଇ ।

ଡିଙ୍ଗର ଗୁଣେ ବର୍ବର କିଛି ଫଳ ନାହିଁ ।।୩୮।।

 

ଠୌର ଦେଖ ରାବଣାଦି ଦୁର୍ଯ୍ୟୋଧନ ରାଜା ।

ଟେକ ଅବା ମୁଁ ଶବ୍ଦରେ ବୁଡ଼ାଇଲେ ହେଜା ।।୩୯।।

 

ନିୟମକୁ ଦୃଢ଼ରୂପେ ଧରି ଚାଲ ଭାଇ ।

ଝଗଡ଼ାକୁ ଦୂରକରି ସ୍ନେହ ଭୋଗ ମହି ।।୪୦।।

 

ଯଶସ୍ୱୀ ହେବାକୁ ଥିଲେ ଗର୍ବ ଛାଡ଼ି ରହ ।

ଛଦ୍ମ ବେଶ ଧାରୀ ଛାଡ଼ ଶୁଭ ଗୁଣ ଚାହଁ ।।୪୧।।

 

ଚମତ୍କାର ଭୁବନ ଏ ଚାହିଁ ଦିଅ ବାରେ ।

ଉଆଁସେ ଚନ୍ଦ୍ରମା ଚିହ୍ନ ଥିବକି ସଂସାରେ ।।୪୨।।

 

ଘୃଣିତ ବିଷୟ ସବୁ ଛାଡ଼ ମମ ବନ୍ଧୁ ।

ଗଦା ପାଣି ସ୍ମରି ରହ ଦେଖାଇ ପୂର୍ଣ୍ଣ ଇନ୍ଦୁ ।।୪୩।।

 

ଖ୍ୟାତି ଖ୍ୟାତି ଖ୍ୟାତିପନ୍ନ ହୁଅ ଏ ଜଗତେ ।

କର୍ମ ସଙ୍ଗେ ଧର୍ମ ଚାହିଁ ରହ ପର ହିତେ ।।୪୪।।

 

ଅନ୍ତର୍ଗତେ ଭାବି ଦେଖ ସଂସାର ବିଷୟ ।

ଅନ୍ତର୍ଯ୍ୟାମୀ ପ୍ରଭୁଙ୍କର ଲୀଳା ଶୋଭାମୟ ।।୪୫।।

 

ଔତ୍ପାତିକ ସ୍ଥଳେ ପ୍ରଭୁ ହନ୍ତାରୂପ ହୋଇ ।

ଓଜତା ବିନାଶ କାରୀ ରହ ହୃଦେ ଧ୍ୟାଇ ।। ୪୬।।

 

ଐଲ ନର ଦେହ ବୋହି କର୍ମସ୍ଥାନ ଦେଖ ।

ଏକାକୀ ହୋଇଣ କିଏ ପାରେଲଭି ସୁଖ ।।୪୭।।

 

ଲୁକାଦିରେ ଦୁଃଖୀ ଧନୀ ସମସ୍ତ ସମାନ ।

ଲୁପ୍ତ ସମସ୍ତଙ୍କ ସଙ୍ଗେ ଭାବି ଗୁଣ ଚିହ୍ନ ।।୪୮।।

 

ରୂପି ଦିଅ ସ୍ନେହବୀଜ ଭବ କ୍ଷେତ୍ର ଜାଣି ।

ରୂପିଥିବା ସ୍ନେହଫଳ ନିଅ ଭାବ ଟାଣି ।।୪୯।।

 

ଉଲ୍ଲସିତ ଭାବେ ରହି ବାଟ ଶୁଭେ ଦିନ ।

ଉଡ଼ାଇ କୀର୍ତ୍ତିପତାକା ସ୍ମରି ନାରାୟଣ ।।୫୦।।

 

ଇହ ପର ହେଜି ବନ୍ଧୁ କର୍ତ୍ତବ୍ୟକୁ ରଖ ।

ଇଷ୍ଟ ଧର୍ମ ମାନ୍ୟକରି ଧନ ଜନ ଲଖ । ୫୧।।

 

ଆର୍ତ୍ତନାଦ କାରୀ ଦୀନ ଜନଙ୍କୁ ସମ୍ଭାଳ ।

ଅତିଥି ଓ ଅଭ୍ୟାଗତ ଧର୍ମ ସେବା ମୂଳ ।।୫୨।।

 

ସ୍ତୁତି ପାଇଣ ସଂସାରେ ଯଶସ୍ୱୀ କୁହାଇ ।

ରକ୍ଷକ ହୁଅ ସଂସାରେ ମାନ୍ୟ ଧର୍ମ ଚାହିଁ ।।୫୩।।

 

ଧିଆନରେ ଯାହାଥିଲା କଲି ମୁଁ ପ୍ରକାଶ ।

ସିଦ୍ଧାଦି ଯେ ସଂସ୍ଥା ଭାବ ଏ ସଂସାର ରସ ।।୫୪।।

 

ବିହାରୀ ଦାସ କହିଲି ଦୋଷ କ୍ଷମା କର ।

ବାୟା ହୋଇ ଭ୍ରମୁଅଛି ନର୍ବୋଧ ମୋ ଉର ।।୫୫।।

 

ପ୍ରାର୍ଥନା

 

ଏଥୁ ଅନନ୍ତରେ ଶୁଣ ହେ କୋବିଦ ଜନ ।

ହୃଦୟେ ବିକାଶ ହେଲେ ପ୍ରଭୁ ନାରାୟଣ ।।୧।।

 

ଶ୍ରୀ ଗୋପାଳ ମହିପାଳ ମମ ଇଷ୍ଟ ଜାଣ ।

ତାଙ୍କ କୀର୍ତ୍ତନରେ ମୋକ୍ଷ ହେବି ଭାବି ଧ୍ୟାନ ।।୨।।

 

ଧରଣୀଧର ପର୍ବତ ଟେକି ଗୋବର୍ଦ୍ଧନ ।

ବ୍ରଜପୁର ସୁରକ୍ଷକ ଇନ୍ଦ୍ର ମାନ ହୀନ ।।୩।।

 

ପ୍ରହଲ୍ଲାଦ ଚରିତ୍ରରେ ଦିଅ ଧ୍ୟାନ ମନ ।

ମାର୍ଜାର ରକ୍ଷାକୁ କଲେ ଅଗ୍ନି ମଧ୍ୟୁଯେନ ।।୪।।

 

ଗଜୋଦ୍ଧାର କୁମ୍ଭୀର ମୁଖରୁ ରକ୍ଷାକର୍ତ୍ତା ।

ଦ୍ରୌପଦୀ ଲଜ୍ଜ୍ୟାରୁ ମୁକ୍ତ ଦୁର୍ଯ୍ୟୋଧନ ଚିନ୍ତା ।।୫।।

 

ଭାରତ ଯୁଦ୍ଧର କାଳେ ଭାରତିଆ ପକ୍ଷୀ ।

ଘଣ୍ଟତଳେ ରକ୍ଷାକଲେ ଆତଙ୍କ ତ ଦେଖି ।।୬।।

 

ଭୀଷ୍ମ ପିତାମହ ପ୍ରାଣ ରକ୍ଷାକାରୀ ସେହି ।

ସତ୍ୱ ରଜଃ ତମ ତ୍ରୀଗୁଣରେ କ୍ଷାତ ମହି ।।୭।।

 

ସେହି ତ୍ରୀଗୁଣ ଜ୍ୱାଳାରୁ ହୋଇ ସୁରକ୍ଷିତ ।

ହୋଇଛନ୍ତି ସାଧୁ ସନ୍ଥ ନାରଦାଦି ଭକ୍ତ ।।୮।।

 

ସିଦ୍ଧ ଋଷି ବୃନ୍ଦଙ୍କର ଆନନ୍ଦ ଦାୟକ ।

ସେହି ପ୍ରଭୁଙ୍କ ଆଶ୍ରୟୀ କର ତା ବିବେବକ ।।୯।।

 

କମଳାକାନ୍ତ ଦାସଙ୍କ ଅନ୍ତର୍ଯ୍ୟାମୀ ହୋଇ ।

ଭକ୍ତଙ୍କର କଳ୍ପନାକୁ ପୂର୍ଣ୍ଣକର୍ତ୍ତା ସେହି ।।୧୦।।

 

ଆଶା କଳ୍ପତରୁ ସେହି ଧ୍ୟାନ ଜ୍ଞାନ ବଳେ ।

ବିଶ୍ୱାସ ମନ ଚୈତନ୍ୟ ଯେ ରଖେ ନିଶ୍ଚଳେ ।।୧୧।।

 

ଯାହା ଭାବେ ଯେ ଚାହିଁବ ଆଶା ପୂର୍ଣ୍ଣକାରୀ ।

ପୂର୍ଣ୍ଣକର୍ତ୍ତା କଳ୍ପନା ତା ଦେବେ ହେତୁଧରି ।।୧୨।।

 

କେଶବ କମଳ ନେତ୍ର ସାଧୁଙ୍କର ପାତ୍ର ।

ଅସାଧୁଙ୍କ ହନ୍ତା ସେହି ନାଶକୁଳ ଗୋତ୍ର ।।୧୩ ।।

 

ଗର୍ବ ଗଞ୍ଜନ ବାନା ପ୍ରଭୁଙ୍କ ମାନଚିତ୍ର ।

ବଳି ମାନଧାତା ଆଦି ଦେଖ ସେ ଚରିତ୍ର ।।୧୪।।

 

ଦ୍ୱିଜ ସୁଦାମାକୁ ଦାନ ଅଜାମ୍ବିଳ ଜ୍ଞାନ ।

ଗ୍ରନ୍ଥମାନଙ୍କ ଚରିତ୍ର କରତା ସ୍ମରଣ ।।୧୫।।

 

କେହୁ ଶିବ ପୂଜକ କେ ଦେବୀ ଉପାସନା ।

କେହୁ ଗଣେଶ କେତେକ ଅନ୍ୟ ଦେବାର୍ଚ୍ଚନା ।।୧୬।।

 

କେତେକ ଅନ୍ୟ ଧର୍ମାଶ୍ରୟୀ ବନ୍ଧୁ ଗଣ ।

ଯାହାର ଯହିଁ ବିଶ୍ୱାସ ତାହା ଧର୍ମ ଜାଣ ।।୧୭।।

 

ବିଶ୍ୱାସ ମୂଳ ଧର୍ମର ଭବେ ଭାବି ଘେନ ।

ବିଶ୍ୱାସ ନ ଥିବା ଜନ ସେ ଯେ ଧର୍ମହୀନ ।।୧୮।।

 

କଦମ୍ବ ମୂଳିଆ ସେ ଯେ ଏ ବାଙ୍କ ଚୁଳିଆ ।

ବୃନ୍ଦାବନ ରାହାସରେ କୃଷ୍ଣ ମୂରଲିଆ ।।୧୯।।

 

ସର୍ବେଶ୍ୱର ପ୍ରଭୁ ମୋର ଗତି ମୁକ୍ତି ଦାତା ।

ତାଙ୍କବିନା ଅନ୍ୟ ମୋର ନାହିଁ କିଛି ଚିନ୍ତା ।।୨୦।।

 

ଏ ଭବ ମଧ୍ୟରେ ନାନା କର୍ମଫନ୍ଦା ହୋଇ ।

ଅହଂ ମଦିରାପାନରେ ମତ୍ତଥାନ୍ତି ରହି ।।୨୧।।

 

ବନ୍ଧୁଗଣ ଭାବିଦେଖ ସଂସାର ମଧ୍ୟରେ ।

ନାନାଶ୍ରୟ ପାଇ ଭ୍ରମୁଛନ୍ତି ଏ ସଂସାରେ ।।୨୨।।

 

କେତେକର ଭୁସମ୍ପତ୍ତି ବଳେ ବଳିୟାନ ।

ରାଜ ଉପାଧି ପାଇଣ ବୋଲାନ୍ତି ପ୍ରଧାନ ।।୨୩।।

 

ଧନବଳ ଦେଖାଇଣ କେତେକ ସୁଖ୍ୟାତି ।

ବିଦ୍ୟାବଳ ଚଖାଇଣ କେତେ ଉଗ୍ର ମୂର୍ତ୍ତି ।।୨୪।।

 

ନାନା ଗୁଣ ଧାରକରେ ଶ୍ରେଷ୍ଠ ସେ ବୋଲାନ୍ତି ।

ବାୟାଚିତ୍ତ ମୂର୍ଖ ମୁଁ ଯେ ଅଜ୍ଞତା ମୋମତି ।।୨୫।।

 

ଗୁଣନିଧି କୃପାନିଧି ଶ୍ରୀ ଗୋପାଳ ଭଜି ।

ସକଷ୍ଟ ହରିବେ ମୋର ଆତ୍ମାରେ ବିରାଜି ।।୨୬।।

 

ନାଗନର ସୁରଦେବଙ୍କର ରକ୍ଷାକାର ।

ନାମ ପ୍ରକାଶିତ ଏଣୁ ବ୍ରହ୍ମାଣ୍ଡ ଈଶ୍ୱର ।।୨୭।।

 

ଈଶ୍ୱର ସର୍ବ ବ୍ୟାପକ ଏ ସଚରା ଚର ।

ନାରାୟଣ ବ୍ରହ୍ମାଶିବ ରୂପହେତୁ କର ।।୨୮।।

 

ସେହିରୂପ ବିରଞ୍ଚି ବୃକ୍ଷ ଏ ଭବ ସାର ।

ସ୍ୱସ୍ୱ କର୍ମେ ଖ୍ୟୋତଥାଇ ରକ୍ଷା ଭବ ଭାର ।।୨୯।।

 

ବିରଞ୍ଚି ପଞ୍ଚତତ୍ତ୍ୱରେ ଉତ୍ପତି କରତା ।

ରୌଦ୍ରମୂର୍ତ୍ତି ଶିବ ଯୋଗ ଧ୍ୟାନେ ବିଷ୍ଣୁ ଚିନ୍ତା ।।୩୦।।

 

ଶିବ ବିରଞ୍ଚି ଯାହାର ସଦା ପରିକର ।

ସେହି ବିଷ୍ଣୁ ସେବା ଧ୍ୟାନ ଉଚ୍ଛିଷ୍ଟ ଆହାର ।।୩୧।।

 

ଧ୍ୟାଇ ହୋଇ ରହିଅଛି ଏ ଭବ ସାଗର ।

ଦିବା ନିଶି କାଟୁ ଅଛି ଭଜିଣ ଶ୍ରୀଧର ।।୩୨।।

 

ହରିଙ୍କ ଗୁଣ କୀର୍ତ୍ତନ୍ୟ ପସରାକୁ ମେଲି ।

ବିଷ୍ଣୁଦାସ ଭାବମଧ୍ୟେ ବୈଷ୍ଣବ ମଣ୍ଡଳୀ ।।୩୩।।

 

ବିଷ୍ଣୁ ଆଶ୍ରୀତ ହୋଇଣ ବିଷ୍ଣୁ ମମ ବାସ ।

ଭକ୍ତବୃନ୍ଦ ପ୍ରେମାନନ୍ଦ ଶ୍ରୀହରି ବିଳାସ ।।୩୪।।

 

ଗୋବିନ୍ଦ ଗୋପିବଲ୍ଲଭ ଶ୍ରୀ ନନ୍ଦ ନନ୍ଦନ ।

ଜଣାଇଲି ବୁଧଜନେ କରି ମୁଁ ଚିନ୍ତନ ।।୩୫।।

 

ଜ୍ଞାନ ଧ୍ୟାନେ ସଦା ମୋର କରିଣ ସ୍ମରଣ ।

ରହିଛି ତୁମ୍ଭସଙ୍ଗରେ ଦୟାକରି ଘେନ ।।୩୬।।

 

ଅଜ୍ଞାନତା ଦୂରକର୍ତ୍ତା ଶ୍ରୀ କମଳା କାନ୍ତ ।

ଇଚ୍ଛାମୋର ପ୍ରକାଶିଲି ଘେନ ତବ ଅନ୍ତ ।।୩୭।।

 

ପ୍ରଭୁନାମ ଗୁଣ କୀର୍ତ୍ତି ଦେଖାଇଣ ଦେଲି ।

ଭବମାୟା ତରଙ୍ଗରେ ଭାଷି ମୁଁ ରହିଲି ।।୩୮।।

 

ଆହେ କୃପାନିଧି ମୋ ପୂର୍ଣ୍ଣକର ଆଶ ।

ଧୃତ୍ବାଧେୟ ତୁମ୍ଭେ ମୋର ହେ ରାଧା ବିଳାସ ।।୩୯।।

 

ଧ୍ୟାନ ମଞ୍ଜରି ମାଳାକୁ କଲି ମୁଁ ପ୍ରକାଶ ।

ଗୀତବନ୍ଧେ ଜଣାଇଲା ଶ୍ରୀ ବିହାରୀ ଦାସ ।।୪୦।।

 

ଲକ୍ଷ୍ମୀ ଚଉତିଶା ।

ରାଗ-ଚୋଖି ।

 

କଳ୍ପବଟମୂଳେ ହରି ଅନନ୍ତ ରୂପକୁ ଧରି ପ୍ରକୃତି ପାଦ ମଞ୍ଚାଳେ ଶିରେ ଭୁଜଙ୍ଗ ।

କମଳ ନାଭିରୁ ଜାତ ବ୍ରହ୍ମା ବିଷ୍ଣୁ ଶିବ କ୍ଷାତ ତହୁଁ ସଂସାର ଉତ୍ପତି କରିବା ଢଙ୍ଗ ।

କଲେ ନାଶ ମଧୁ ଦତ୍ୟକୁ । କରି ସମୁଦ୍ର ମନ୍ଥନ ପ୍ରାପ୍ତି ଲକ୍ଷ୍ମୀଙ୍କୁ ।।୧।।

 

ଖଣ୍ଡ ୨ କଲେ ମହି କ୍ଷାତ କରିବାକୁ ସେହି ବନପର୍ବତ ବୃକ୍ଷାଦି କଲେ ଭିଆଣ ।

ଖଗାସନ ବ୍ରହ୍ମାପତି ଜୀବାଦି ଉତ୍ପତି ସ୍ଥିତି କରି ତୁମ୍ଭେ ଚତୁର୍ବେଦ କର ଗାୟନ ।

ଖର ୨ ସେ ତେଜାକାର । ଖଳଜନ ନାଶ ଅର୍ଥେ ଶିବାଧିକାର ।।୨।।

 

ଗଜଗାମିନୀ ସେ କାନ୍ତି ତ୍ରୀପୁର ସମ୍ପଦ ଭୁତି ଚାହିଁ ନାମ ଦେଲେ ତାଙ୍କୁ ଶ୍ରୀୟା କମଳା ।

ଗଜ ବାହିନୀ ତୁ ହୁଅ ଅଷ୍ଟ ନିଧି ଗୁଣେ ରହ ପଦ୍ମାକର ପଦ୍ମବାସ ହୁଅ କୌଶଳା ।

ଗମାଗମ ତ୍ରୀପୁରେ ଜାଣ । ଗମୀ ଜୀବାଦି ପୋଷିବା ବିଚାର ଘେନ ।।୩।।

 

ଘଟ ଚାହିଁଣ ଆଧାର ସଞ୍ଚୟ ଭାବିତା ଧର ଅର୍ଣ୍ଣପୂର୍ଣ୍ଣାଧ୍ୟାଇ ଥାନ୍ତୁ ଏ ସୁରପୁର ।

ଘଟି ନୋହିବ କାହାର ତେମନ୍ତ ଉପାୟ କର ଚତୁର୍ଦ୍ଦଶ ଲୋକମଧ୍ୟେ ହୁଅ ପ୍ରଚାର ।

ଘୋଷଣା ଯେ ହେଉ ତ୍ରୀପୁର । ଘଟାଇବା ଜୀବାଧାର ମଣ ପ୍ରଚୁର ।।୪।।

 

ଉଇଁଥିବା ବାଳଭାନୁ ପରି ଝଲକଇତନୁ ନିଶିନାଥ କପାଳରେ ବିନ୍ଦୁ ଶୋଭିତ ।

ଉତ୍କଣ୍ଠା ଭାବରେ ଠିଆ ବିରାଟ ଈଶ୍ୱର ଯାହା ଆଜ୍ଞା ଶିରୋଧାର୍ଯ୍ୟ ତାହା କର୍ତ୍ତା ମୁହିଁତ ।

ଉଜ୍ଜ୍ୱଳ ଭାବ ସେ ପ୍ରକାଶ । ଉଚ୍ଚାରଣ ଶୁଣନ୍ତେଣ ବୋଲନ୍ତି ଈଶ ।।୫୫।।

 

ଚଞ୍ଚଳା ଚଞ୍ଚଳନୁହଁ ପୃଥ୍ୱୀ ସଙ୍କଷ୍ଟ ଅନାଅ ମମ ଆଜ୍ଞାଘେନି ହେବେ ଯେ ଅବତାର ।

ଚରିତ୍ରତୁ ଏହାବୁଝ ଚରାଚରେ ମାତାହେଜ ବିଷ୍ଣୁ ଅବତାରିଙ୍କର ଭିରୁ ସୁମର ।

ଚରାଚର ଚାରି ଯୁଗରେ । ଚର୍ଚ୍ଚାକାରୀ ହେବୁଜୀବେ ଦୟାଚିତ୍ତରେ ।।୬।।

 

ଛଟକ ଗୁଣକୁ ଧରି ସାଷ୍ଟାଙ୍ଗେ ପ୍ରଣାମ କରି ଦିପକଭାବରେ ଗଲେ ପିଅର ପୁରେ ।

ଛତିଶା ନିଯୋଗ ସ୍ମରି ସୁଲକ୍ଷଣୀ ଦାସୀପରି ଛଡ଼ରସେ ସୁଧାଖାଦ୍ୟ ପୂଜା ବିଧିରେ ।

ଛଟକରେ ହେଲେ ପ୍ରବେଶ । ଛିଡ଼ାହୋଇ ଦାସୀସଙ୍ଗେ ଭାବପ୍ରକାଶ ।।୭।।

 

ଜଗତ୍‌ମାତ ମନେଧ୍ୟାଇ ଦେବତାଗଣଙ୍କୁ ରାଇ ଦେବର୍ଷିଙ୍କ ହସ୍ତେ ପୁଜା କରାନ୍ତି ବସି ।

ଜଗତ୍‌କର୍ତ୍ତା ବେଦଧ୍ୱନି ଶୁଭେ ତ୍ରୀପୁର ମେଦିନୀ ନାରୀଙ୍କର ହୁଳହୁଳି ତହିଁରେ ମିଶି ।

ଜାତହେଲା ସେ ମହାନାଦ । ଜଗନ୍ନାଥ ଦେଖି ହେଲେ ମହା ପ୍ରମୋଦ ।।୮।।

 

ଝଳକାଙ୍ଗି ଗଣସଙ୍ଗେ ପଡ଼ିଲେ ତହୁଁ ସାଷ୍ଟାଙ୍ଗେ ତହୁଁ ପରସିଲେ ଖାଦ୍ୟ ପ୍ରଭୁଙ୍କୁ ଦେଇ ।

ଝଡ଼ ସେ ଲାଗିଲା ପରି ଆସି ପ୍ରସାଦକୁ ଧରି ଗର୍ଭ ପୂର୍ଣ୍ଣକରି ଗଲେ ବିଦାୟ ନେଇ ।

ଝଟକ ଶ୍ରୀୟାଙ୍କର ଦେଖି । ଝୀନ୍ନ ଦେବାଙ୍ଗ ବସନ ଦିଅନ୍ତି ଲଖି ।।୯।।

 

ନିୟମ ନୀତି ନିପୁଣା ଦେଖିଲି ତୁ ସୁଲକ୍ଷଣା ଏଣୁ ମହାଲକ୍ଷ୍ମୀ ନାମ ରହୁ ଜଗତେ ।

ନିୟମ ତୋ ଦୃଢ଼ବ୍ରତ ଚଞ୍ଚଳ ଭାବ ତୋ ଚିତ୍ତ ଏଣୁ ଚଞ୍ଚଳା ନାମ ତୋ ପ୍ରସିଦ୍ଧ ଅର୍ଥେ ।

ନିୟମ ଏତିକି ରହିଲା । ନିଗମେ କମଳାକାନ୍ତ ପ୍ରଭୁଙ୍କ ହେଲା ।।୧୦।।

 

ଟମକ ବଜାଇ ଯାଅ ତ୍ରୀପୁରେ ବିଜୟୀ ହୁଅ ଜଗତ ମାତା ହୋଇ ପାଳ ଏହି ଯେ ବିଭୁ ।

ଟାକିରହି ମୁଁ ଜଣାଏଁ ନିୟମ କାଳକୁ ଚାହେଁ ବାରତିଥି ମାସଆଜ୍ଞା ଦେଉ ହେ ପ୍ରଭୁ ।

ଟଙ୍କଧର ଏ ବେଦପତି । ଟଙ୍କିଳ ପରା ଏ ସ୍ୱାମୀ ବସି ଅଛନ୍ତି ।।୧୧।।

 

ଠଉରାଇ ଲକ୍ଷ୍ମୀଗାର ଦିଅନ୍ତି ବିଷ୍ଣୁ ଉତ୍ତର ବିଦ୍ୟୁତ୍‌ଅଙ୍ଗିଙ୍କର ଗୀରାଙ୍କୁଶ କି ହେଲା ।

ଠେସାଭାର୍ଷାଲାପ ପ୍ରିୟ ତାଙ୍କ ସଂଳାପ ପ୍ରବାହ ଧ୍ୟାଇଲେ ନାରୀଙ୍କଗୁଣ ଭାବ ଅବଳା ।

ଠୁଳ ମାୟାନାରୀ ଦେହରେ । ଠାକୁରାଣୀ ପ୍ରେମମୟ ହେବେ ସଂସାର ।।୧୨।।

 

ଡମ୍ବରୂଧର କହନ୍ତି ଚାପଲ୍ୟତା ୟାଙ୍କ ଉକ୍ତି ଏଣୁ ଚପଳା ପ୍ରସିଦ୍ଧ ଗୁଣ ବଖାଣ ।

ଡ଼ୁବିବଟି ଏ ରୂପରେ ଠୁଳବ୍ରହ୍ମବାକ୍ୟ ସୁରେ ବ୍ରହ୍ମା କହନ୍ତି କେମନ୍ତେ ହେ ନାରାୟଣ ଡିଆଁ ମାରି ଯାହା କହୁଛ ।

ଡାକୁ ନାରୀଙ୍କର ପ୍ରେମ ଭାବ ଉଲ୍ଲାସ ।।୧୩।।

 

ଢଳିଯିବ ମନପ୍ରାଣ ଶୁଣିନାରୀଙ୍କ ବଚନ ମାୟାମୂର୍ତ୍ତି ହୋଇ ଥିବେ ନାରୀଏ ଜାଣ ।

ଢାଙ୍କିଥିବା ବୁଦ୍ଧି ଜ୍ଞାନ ତାଙ୍କଠାରେ ହେବଶୂନ୍ୟ ଆଚମ୍ବିତ ଶୁଣି ହେଲେ ସେ ପଞ୍ଚାନନ ।

ଢଳଢଳ ଚିତ୍ତ ହୋଇଲେ । ଢଳା ହେବ ମନ ପ୍ରାଣ ନାରୀଙ୍କ ତୁଲେ ।।୧୪।।

 

ଅଣ ଆୟତରେ ପଡ଼ି ନାରୀଙ୍କ ପ୍ରେମରେ ଜଡ଼ି ସଂସାରି ଜନ ରହିବେ ତାଙ୍କ ସଙ୍ଗରେ ।

ଅଣ ଆୟତ୍ତ ପୁରୁଷ ଭାବ ହେ ଏହା ମହେଶ ସଂସାରେ ମୋହିନୀ ନାରୀ ହେବେ ତ୍ରୀପୁରେ ।

ଆଣି ପୁରୁଷଙ୍କ ବିନାଶ । ଆଣି ପୂର୍ଣ୍ଣେ ଲକ୍ଷ୍ମୀମାତ ହେଲେ ଉଲ୍ଲାସ ।।୧୫।।

 

(ଲକ୍ଷ୍ମୀ ଉବାଚ)

 

ତଥ୍ୟ ବୁଝ ନାରୀଗଣ ପୁରୁଷ ଆମ୍ଭର ଧନ ତାଙ୍କ ବିନେ ଦୁର୍ଗତି ନାରୀଙ୍କର ହେବ ।

ତର୍କ ନ କରିବ କେହି ପୁରୁଷମାନଙ୍କୁ ଚାହିଁ ଗୁରସ୍ତଙ୍କ ତ୍ରୟୀ ଦାସୀ ହୋଇଣ ଥିବ ।

ତର୍ପିତ ସ୍ୱ ସ୍ୱାମୀଙ୍କି ରଖି । ତାଦାତ୍ମ୍ୟ ଭାବରେ ସେବା ତାତ୍ପର୍ଯ୍ୟ ଲକ୍ଷି ।।୧୬।।

 

ଥବିର ବା ରୋଗୀ ହେଉ ପତିଈଷ୍ଟ ଆମ୍ଭ ସେହୁ ତାଙ୍କ ସେବାରେ ରହିଣ ଦିନ ସାରିବା ।

ଥାତି ଧନ ସେ ଗୁରସ୍ତ ତାଙ୍କ ବିନାରେ ଅନାଥ ଏ ପ୍ରତିଜ୍ଞା ରଖିଣ ସଂସାର ଚାହିଁବା ।

ଥୟ ବାକ୍ୟ ହୃଦୟେ ରଖ । ଥୁଇଲି ନୋହିବ କାରେ ଏ ମୋର ବାକ୍ୟ ।।୧୭।।

 

ଦୟା ଧର୍ମ ସାର ବାଣୀ ବିରାଟ ପ୍ରଭୁତ ଶୁଣି ନାରାୟଣୀ ନାମକୁ ଏ କମଳା ପାଉ ।

ଦେବ ମାନବ ଦାନବ ସଚରାଚର ପାଳିବ ସିଦ୍ଧାନ୍ତ ବିଷୟ ଖୋଜେ ତାହା ସେ ଚାହୁଁ ।

ଦେବ ବାଣୀ ହେଲା ପ୍ରକାଶ । ଦେବତ୍ୱରେ ଆଦ୍ୟ ମାର୍ଗଶୀର ଏ ମାସ ।।୧୮।।

 

ଧରିବା ଏଠାରୁ ଶେଷ କାର୍ତ୍ତିକ ଯେ ପୁଣ୍ୟମାସ ଶେଷ ଚତୁର୍ଦ୍ଦଶୀ ଦିନ ବୈକୁଣ୍ଠ ଖୋଲା ।

ଧରାରେ ପାପି ଚଣ୍ଡାଳ ପାଇବେ ମୁକ୍ତିର ଫଳ ମଧ୍ୟ ଚତୁର୍ଦ୍ଦଶୀ ପାପୀ ମାନଙ୍କ ହେଲା ।

ଧର୍ମ ଧାରକ ଶେଷମାସ । ଧର୍ମନିଷ୍ଠା ପାଳିଜନ ହେବେ ପ୍ରକାଶ ।।୧୯।।

 

ନନ୍ଦିତରେ ସପ୍ତଦିନ ବାରମାସରେ ସମ୍ପୂର୍ଣ୍ଣ ଭାବିଣ ଚତୁରାନନ ଭାବକୁ ଧର ।

ନମି ଶ୍ରୀ ପାଦ ପଦ୍ମରେ ପାଣି ଯୋଡ଼ି ଆର୍ତ୍ତସ୍ୱରେ ନାରୀଙ୍କର ହୁଳହୁଳି ସେ ବେଦ ସ୍ୱର ।

ନମୋ ନମଃ ହେ ନାରାୟଣ । ନ ଜାଣୁ ଯେ ଧ୍ୟାନ ଜ୍ଞାନ ଆଜ୍ଞା ପାଳନ ।।୨୦।।

 

ପଦ୍ମୋଭାବ ପଦ୍ମେଶୟ ପଞ୍ଚାନନ ଭାବୋଦୟ କରଯୋଡ଼ି ଠିଆହୋଇ ସ୍ତୁତି କରନ୍ତି ।

ପଦ୍ମନାଭ ପୁରନ୍ଦର ପଞ୍ଚବାୟୁ ଦେହକର ପଞ୍ଚତତ୍ୱ ପଞ୍ଚପ୍ରାଣ କଳୟା ସ୍ଥିତି ।

ପଞ୍ଚଭୁତେ ଏ ପଞ୍ଚେନ୍ଦ୍ରିୟ । ପଞ୍ଚମନ ଶଙ୍ଖଶବ୍ଦେ ହେବ ନିର୍ଭୟ ।।୧।।

 

ଫଳୋଦୟ କାଳ ସ୍ମରି ପଦ୍ମ ସଙ୍ଗରେ ବିହରି ପଦ୍ମା ହୁଳହୁଳି ମହାନାଦରେ ସ୍ମୁରେ ।

ଫଳପୁଷ୍ପ ଦୁର୍ବାକ୍ଷତି ପୂଜା ବିଧିକୁ ସଞ୍ଚିତ କରି ପଦ୍ମାଳୟା ଦେଲେ ବିଷ୍ଣୁଙ୍କ କରେ ।

ଫେଡ଼ି ପ୍ରାଧାନ୍ୟ ସୁଧାଭୋଗ । ଫର୍ଚ୍ଚାରୂପେ ପୂଜାକର୍ମେ ହୁଅନ୍ତି ଯୋଗ ।।୨୨।।

 

ବର ତୁମ୍ଭେ ବ୍ରହ୍ମା ଉଠ ବସ ପୂଜାବିଧି ପୃଷ୍ଠ ବିରଞ୍ଚୀ ପ୍ରାଣ ସଂଯମେ ଆସନେ ବସି ।

ବର ବ୍ରହ୍ମର୍ଷି ଏ ଠିଆ ବ୍ରହ୍ମବାଦ ସ୍ମରେ କାୟା ବ୍ରହ୍ମ ସୂତ୍ରେ ପୁଜାକଲେ ମନ ନିବେଶି ।

ବଦ୍ଧାଞ୍ଜଳିବହୁ ନାଇକା । ବହୁ ମୁଖ ହୁଳହୁଳି ତ୍ରୀପୁର ଡକା ।।୨୩।।

 

ଭକ୍ତିଭାବ ପ୍ରେମ ଚାହିଁ ସନ୍ତୋଷରେ ଭାବଗ୍ରାହି ଭବିଷ୍ୟତ ଶୋଚନା ମୂଳ ଭଜିଣ ରହି ।

ଭବ୍ୟ ଭବ ଭାବି ରଖ ଭାନୁଶଶି ନ୍ୟାୟଲକ୍ଷ ଦିବାନିଶି ଭ୍ରମୁଥିବେ ପାଳକ ଚାହିଁ ।

ଭଲା ଜଟାଧର ବ୍ରହ୍ମାଙ୍କ । ଭାଗଉତ୍ପତ୍ତି ସଂହାର କାର୍ଯ୍ୟ ଦେଖ ।।୨୪।।

 

ମଙ୍ଗଳାଚରଣ ଭାବ ମର୍ଯ୍ୟାଦା ଏ ମର୍ତ୍ତ୍ୟ ଠାବ ମର୍ଷ ମର୍ଷିତ ରହିଛି ଏଥି ସଙ୍ଗରେ ।

ମହା ପୁରୁଷ ବିରାଟ ମହାପ୍ରଭୁ ମହାଭୁତ ମହର୍ଷି ଏ ଧର୍ମ ଲକ୍ଷ ମନ ଯୋଗରେ ।

ମହାଦେବ ଏହା ଜଣାଅ । ମନସ୍ତାପ ପ୍ରତିକାରରେ ହେ ପ୍ରଭୁ ରହ ।।୨୫।।

 

ଯଜ୍ଞ ପୁରୁଷ ଯୋଗାଡ଼ ଆଜ୍ଞା ଯା ହେଲା ସେ ଗୁଢ଼ ଯଥାଶକ୍ତି ଭାବେ କାର୍ଯ୍ୟ କର୍ତ୍ତା ହୋଇବୁଁ ।

ଯଜ୍ଞେଶ୍ୱର ହେ ଯୋଗେଶ ମୁକ୍ତିଦ ଅସାଧ୍ୟ କ୍ଲେଶ ଦୁହିଭାର ଆପଣଙ୍କୁ ବିରଞ୍ଚି ଦେବୁଁ ।

ଯାତ ଅସହ୍ୟ କାଳେ ସ୍ମରୁ । ଜାଗ୍ରତ କରାଇ ଭାର କରାଇ ପାରୁ ।।୨୬।।

 

ରକ୍ଷକ ମୁଁ ପୃଥିବୀର ଭାଭଗ୍ରାହୀ ଭକ୍ତଙ୍କର ରଖିତ ହେଲି ବିଚାର ଗମ ଆନନ୍ଦେ ।

ରମେଶ ରମାଙ୍କୁଧରି ରହିଲେ ବିଷ୍ଣୁଙ୍କ ପୁରି ଶିବପୁରେ ଶିବଗଲେ ସେ ପ୍ରେମାନନ୍ଦେ ।

ରଖିଧ୍ୟାନ ବ୍ରହ୍ମା ସେ ଗଲେ । ରସ ଗୁଣେ ଉତ୍ପତ୍ତି କର୍ତ୍ତା ବୋଲାଇଲେ ।।୨୭।।

 

ଲକ୍ଷ୍ମୀ ଲକ୍ଷଣୀୟ ସ୍ମରି ଭ୍ରମି ଚତୁର୍ଦ୍ଦଶ ପୁରୀ ଜୀବାଦି ପାଳନ କାରୀ ହୋଇ ବସିଲେ ।

ଲକ୍ଷ୍ମୀବନ୍ତ ଗୃହ ଦେଖି ଜମାକରି ପ୍ରିୟସଖି ଧର୍ମ ଅର୍ଥ କାମ ମୋକ୍ଷ ଶିକ୍ଷାକୁ ଦେଲେ ।

ଲକ୍ଷହେଲେ ତ୍ରୀପୁରେ ସେହି । ଲଭ୍ୟଭିକ ନାରୀମାନେ ଆନନ୍ଦ ବହି ।।୨୮।।

 

ବାନ୍ଧବି ଏ ମାର୍ଗଶୀର ଆଦ୍ୟମାସ ମନେଧର ଗୃହ ଶୁଦ୍ଧମନ ଶୁଦ୍ଧଭାବ ମୁଁ ଦେଖି ।

ବସାଇବା ମନୋଭାବି ପଦ୍ମ ମୁରୁଜର ଛବି ପାଦ ଚିହ୍ନମାନ ଗୃହଦ୍ୱାରରେ ରେଖି ।

ତଦ୍‌ଗତ ମନରେ ତା ଭାବି । ବଡ଼ ସନ୍ତୋଷରେ ଆସି ନିଶ୍ଚେ ରହିବି ।।୨୯।।

 

ଶଶିମୁଖୀ ଏହାଶୁଣ ଗୁରୁବାର ଶୁଭଦିନ ଚୁଡ଼ାଭଜା ଖଇଦ୍ରବ୍ୟ ଛାଡ଼ିବ ।

ଶୁକ୍ଲ ବସ୍ତ୍ର ପରିଧାନ ଧାନ ପୂର୍ଣ୍ଣ କରିମାଣ ଦୁଗ୍ଧ ଘୃତ ସୁଧାସମ ଭୋଜନ ଦେବ ।

ସୁସ୍ଥଚିତ୍ତେ ପ୍ରସାଦ ନେଇ । ଗର୍ଭାଗତ କରିଦିନ ବଞ୍ଚିବ ସହି ।।୩୦।।

 

ଷଟ୍‌କର୍ମକୁ ଧ୍ୟାଇଚିତ୍ତ ଷଟ୍‌ପ୍ରଜ୍ଞା ଭାବେ ଭାବିବ ଷୋଡ଼ଶ ଉପଚାରରେ ମୋତେ ଚାହିଁବ ।

ଷଡ଼ଦୁର୍ଗକୁ ନ ଚାହିଁଣ କଟାଇବ ରାତ୍ରଦିନ ଷୋଡ଼ଶକ ଅଣିମାଦି ନିଶ୍ଚେ ପାଇବ ।

ଷଣ୍ଢଚିତ୍ତ ମୂର୍ତ୍ତି ଧଇଲେ । ଶୀଡ଼୍ଗ ସଙ୍ଗେ ଧନ ହୀନେ ଥିବ ନିଶ୍ଚଳେ ।।୩୧।।

 

ସତ୍ୟ ଧର୍ମ ମୋର ଏହି ବର୍ଣ୍ଣ ଲକ୍ଷ ମୋରନାହିଁ ନିୟମ ଛଡ଼ା ତାତ୍ପର୍ଯ୍ୟ ଅଭାବ ସ୍ଥଳେ ।

ସର୍ବ ସମ୍ପତ୍ତି ହରାଇ ଅନାହାରେ ଭ୍ରମ ମହି ଏହି ଆଜ୍ଞା ଲକ୍ଷ୍ମୀଦେଲେ ସଂସାର ମୂଳେ ।

ସଙ୍ଗଯାର ଚାହିଁବା ଅଛି। ସଦସ୍ୟ ଭାବରେ ସଦାଚାରେ ରହିଛିଁ ।।୩୨।।

 

ହରିପ୍ରିୟା ବାକ୍ୟସାର ମର୍ମ ଭେଦି ନାରୀନର ମାର୍ଗଶୀର ଗୁରୁବାର ପାଳନେ ମାତି ।

ହର୍ଷିତ ହୃଦୟ ରଖି ହବିଷ୍ୟ ଆଧାର ସଞ୍ଚି ହରିପ୍ରିୟାଙ୍କୁ ପ୍ରାର୍ଥନା ସେ ଶୁଦ୍ଧ ମତି ।

ହଉ ଧନ ଜନ ଆମ୍ଭର । ହର୍ଷାନନ୍ଦେ ଲକ୍ଷ୍ମୀମାତ ସୁଦୟା କର ।।୩୩।।

 

କ୍ଷିରାବ୍ଧି ଯା ଗୁଣରତି କ୍ଷିରାବ୍ଧି ତନୟା ଉକ୍ତି କ୍ଷାତକଲି କ୍ଷେତ୍ରପାଳ କ୍ଷମ ସୁମରି ।

କ୍ଷମାବାନ୍‌ପ୍ରଭୁଙ୍କୁ ଧ୍ୟାଇ କ୍ଷଣିନ ଯାଉଛି ପାଇ କ୍ଷଣିକ ଜୀବନ ଘଟ ଆଶାକୁ ଧରି ।

କ୍ଷାତକଲି ଭାବ ପ୍ରକାଶ । କ୍ଷମାମାଗେ କ୍ଷିତୀଶ ହେ ବିହାରୀ ଦାସ ।।୩୪।।

 

ରାମ ଚାଳିଶା ।

(ରାଗ-ଭାଗବତ ବୃତ୍ତିରେ)

 

ଶ୍ରୀରାମ ମମ ହୃଦୟରେ ।

ବିଳାସ କାରୀ ନିରନ୍ତରେ ।।୧।।

 

ହେ ଲକ୍ଷ୍ମୀକାନ୍ତ ପ୍ରଭୁ ହରି ।

ତୁମ୍ଭେ ଭକ୍ତଙ୍କ ରକ୍ଷା କାରୀ ।।୨।।

 

ଦାରିଦ୍ର ଭଞ୍ଜନ ଦୟାଦ ।

ନିରଞ୍ଜନ ମୋ ଖଣ୍ଡ ଖେଦ ।।୩।।

 

କାନ୍ତି ଅଗମ୍ୟ ସୀତା ନାଥ ।

ଶୋକ ନାଶକ ପୁରୁଷାର୍ଥ ।।୪।।

 

ପାର୍ବତୀ ପୁତ୍ର ଶ୍ରୀ ଗଣେଶ ।

ସନ୍ତତ ପ୍ରଣମ୍ୟ ମୋ ବାସ ।।୫।।

 

ନବରତ୍ନ ଆକର ଦାତା ।

ଅଷ୍ଟାଙ୍ଗ ଶିଦ୍ଧଦ ପୁନିତା ।।୬।।

 

ନୀତିଜ୍ଞ ଅମୃତ ଯା ଗିର ।

ମମ କଣ୍ଠରେ ବିଜେ କର ।।୭।।

 

ବ୍ରହ୍ମା ଇନ୍ଦ୍ରାଦି ନାରାୟଣ ।

ଶ୍ରୀରାମ ତତ୍ୱଜ୍ଞ ଚାହିଁଣ ।।୮।।

 

ତବ ଆଶ୍ରୟ ନେତା ହୋଇ ।

କାମନା ପୂର୍ଣ୍ଣକାରୀ ସେହି ।।୯।।

 

ଇନ୍ଦ୍ର ଶିବାଦି କରିଧ୍ୟାନ ।

ଶ୍ରୀରାମ ସୀତା ଓ ଲକ୍ଷ୍ମଣ ।।୧୦।।

 

ତବ ଆଶ୍ରୟୀ ମୁଁ ନିକର ।

ଭକ୍ତି ହୃଦୟେ ଯୋଡ଼ିକର ।।୧୧।।

 

ଆଜ୍ଞା ମାଗୁଛିଁ ଆହେ ପ୍ରଭୁ ।

ଦେଖାଅ କୃପାମୟ ବିଭୁ ।।୧୨।।

 

ରାମ ଚାଳିଶା ଗୁଣ କୀର୍ତ୍ତି ।

ଜଣାଇବାକୁ ଭାବ ଚିନ୍ତି ।।୧୩।।

 

ପ୍ରକାଶ ହେଲି ତବ ପାସ ।

ପ୍ରଣତି ହୁଏ ତବ ଦାସ ।।୧୪।।

 

ଭକ୍ତଙ୍କ ମନାନନ୍ଦ କାରୀ ।

ଜୟ ହେ ରଘୁ ବେଣାରୀ ।।୧୫।।

 

ଜୟ ଜାନକୀ ସ୍ୱରୂପିଣୀ ।

ତବ ମହିମା ଭାବ ଘେନି ।।୧୬।।

 

ବିପତ୍ତି ଭବ ଦୁଃଖ ହର୍ତ୍ତା । ସୁ

ନ୍ଦର ସୀତାରାମ ବାର୍ତ୍ତା ।।୧୭।।

 

କରୁଣାକାର ଦାଶରଥୀ ।

ବିଳାସ ଉକ୍ତ ହୃଦ ସ୍ଥିତି ।।୧୮।।

 

ଗୁଣ ଜ୍ଞାନରେ ଯା ଅଗମ୍ୟ ।

ଜୟ ସୀତୟା ଓ ଶ୍ରୀରାମ ।।୧୯।।

 

ତୁମ୍ଭ ମହିମା ସୁରନର ।

କରି ନ ପାରନ୍ତି ଗୋଚର ।।୨୦।।

 

ଚତୁର୍ଦ୍ଦଶ ପୁର ମଧ୍ୟରେ ।

ଗୋଚର ନ ପାନ୍ତି ସଂସାରେ ।।୨୧।।

 

ତୁମ୍ଭ ଆଶ୍ରୟୀ ହନୁମନ୍ତ ।

ତ୍ରୀପୁରେ ସେ ଯେ ବଳବନ୍ତ ।।୨୨।।

 

ଯା ଖ୍ୟାତି ଶିବାଦି ଭଜନ୍ତି ।

ଆହେ ଶ୍ରୀରାମ ବ୍ରହ୍ମ ଜ୍ୟୋତି ।।୨୩।।

 

ଭକ୍ତଙ୍କ ଭୟ ବିନାଶକ ।

ଚରିଞ୍ଚିବୀ ବର ଦାୟକ ।।୨୪।।

 

ତବ ବାହୁବଳ ପ୍ରଚଣ୍ଡ ।

ଦାନବ ବଳ କଲ ଖଣ୍ଡ ।।୨୫।।

 

ଦୟାଳୁ ରାବଣ ମାଇଲ ।

ଦେବକୁ କଲ ପ୍ରତିପାଳ ।।୨୬।।

 

ଅନାଥ ଜନଙ୍କର ନାଥ ।

ହୀନ ପୃଷ୍ଠ ପୋଷକ ଅର୍ଥ ।।୨୭।।

 

ମହିମା ପର୍ଯ୍ୟନ୍ତ ସେ ନାହିଁ ।

ବ୍ରହ୍ମାଦି ଥୟକୁ ନ ପାଇ ।।୨୮।।

 

ଚାରି ମୁଖରେ ବେଦପତି ।

ବର୍ଣ୍ଣିଲେ ଶେଷ ନ କରନ୍ତି ।।୨୯।।

 

ଚାରି ବେଦ ଭରଥ ସାକ୍ଷ ।

ତୁମ୍ଭେ ଭକ୍ତଙ୍କ ପୁନ୍ୟଦକ୍ଷ ।।୩୦।।

 

ସରସ୍ୱତୀ ବୀଣା ବାଦନେ ।

ଗୁଣ ଗାୟନେ ଅନୁକ୍ଷଣେ ।।୩୧।।

 

ଯେଉଁସ୍ଥଳେ ବିକାଶ ନାମ ।

ପ୍ରକାଶ ହୋନ୍ତି ପ୍ରେମୋଦ୍ଗମ ।।୩୨।।

 

ହଂସବାହିନୀ ବୀଣାଧରି ।

ପ୍ରବେଶ ଭାବେ ପ୍ରେମେ ପୁରି ।।୩୩।।

 

ତ୍ରୀପୁରେ ତୁମ୍ଭ ସମକକ୍ଷ ।

ହୋଇ ନ ପାରନ୍ତି କେ ଲକ୍ଷ ।।୩୪।।

 

ଶ୍ରୀରାମ ନାମ ତତ୍ୱନିଧି ।

ସିଦ୍ଧାନ୍ତ ଭାବେ ଭକ୍ତବୁଦ୍ଧି ।।୩୫।।

 

ମହାତ୍ମା ନାହିଁ ତା ପର୍ଯ୍ୟନ୍ତ । ନା

ମ ପ୍ରକାଶିଲେ ଅନନ୍ତ ।।୩୬।।

 

ତୁମ୍ଭ ନାମରେ ବିନାୟକ ।

ନାମ ପ୍ରତାପ କରି ଳକ୍ଷ ।।୩୭।।

 

ପ୍ରଥମେ ପୂଜା ସେ ପାଇଲେ ।

ଖ୍ୟାତି ରହିଲା ସଦାକାଳେ ।।୩୮।।

 

ଅନନ୍ତ ନାଗ ଲୋକାଧିପ ।

ତୁମ୍ଭ ନାମକୁ କରିଜପ ।।୩୯।।

 

ମସ୍ତକେ ରହିଲେ ଆବୋରି ।

କୁସୁମ ଶିରେ ଥିବା ସରି ।।୪୦।।

 

ଅପାର ଅତୁଳ ଶ୍ରୀରାମ ।

ବିଖ୍ୟାତ ଚତୁର୍ଦ୍ଦଶ ଧାମ ।।୪୧।।

 

ଭରଥ ସ୍ମରି ହୃଦୟରେ ।

ସିଦ୍ଧି ଭଜିଣ ଭାବି ଉରେ ।।୪୨।।

 

ଭରତ ସହନତା ଗୁଣ ।

ବ୍ରହ୍ମାଣ୍ଡ ସୁଖ୍ୟାତି ସୁମନ ।।୪୩।।

 

ଶତୃଘ୍ନ ହୃଦୟ ବିଳାସ ।

ନାମ ପ୍ରଭାବ କରି ଘୋଷ ।।୪୪।।

 

ଦୁଷ୍ଟ ସଂହାର ଗୁଣେ ରହି ।

ସଦା ରହିଲେ ତବାଶ୍ରୟୀ ।।୪୫।।

 

ଲକ୍ଷ୍ମଣ ତବନାମ ଚିହ୍ନି ।

ବ୍ରହ୍ମବେତା ସେ ବ୍ରହ୍ମଜ୍ଞାନି ।।୪୬।।

 

ସନ୍ତତ ତବ ଆଜ୍ଞା ବହ ।

ଛାଡ଼ି ଗୃହସ୍ଥ ମାୟା ମୋହ ।।୪୭।।

 

କ୍ଷତ୍ରୀୟ ମଧ୍ୟେ ଚୂଡ଼ାମଣି ।

ଯା ତେଜେ କମ୍ପଇ ମେଦନୀ ।।୪୮।।

 

ଭ୍ରାତ ତୁମ୍ଭର ବଳଶାଳୀ

। ଦୁଷ୍ଟ ଦାନବ ଗର୍ବ ଦଳି ।।୪୯।।

 

ଚତୁର୍ଦ୍ଦଶ ପୁର ମଧ୍ୟରେ ।

ଜୟଶୀଳ ଆଦି ବଳହୀନ ।।୫୦।।

 

ଯୁଦ୍ଧ କାଳକୁ ନିରେଖିଣ ।

କୃତାନ୍ତ ଆଦି ବଳହୀନ ।।୫୧।।

 

ଅଭୟାଦି ସେ ଯେତେଛନ୍ତି ।

ଅବତାରି ରପେ ଆସନ୍ତି ।।୫୨।।

 

ପୃଥ୍ବି ସଙ୍କଟ ହନ୍ତାଜ୍ୟୋତି ।

ଅସାଧ୍ୟ ଭାବ ତାଙ୍କ କତି ।।୫୩।।

 

ସୀତା ପୁନି ତା ନାମ ପାଇଁ ।

ଭୁବନ ଈଶ୍ୱରୀ କୁହାଇ ।।୫୪।।

 

ଘଟରୁ ବିକଶିତ ହୋଇ ।

ପ୍ରଭାବ ବିଖ୍ୟାତ କରାଇ ।।୫୫।।

 

ମିଥିଳା ପୁର ସେ ପବିତ୍ର ।

ପ୍ରକାଶ ମାନ ଧର୍ମ ସୁତ୍ର ।।୫୬।।

 

ଅଗମ୍ୟ ରୂପ ମନୋହର ।

ଛବିରେ ମୋହିତ ତ୍ରୀପୁର ।।୫୭।।

 

ରୂପ ଚାହିଁଣ ତେଜାକାନ୍ତି ।

ଚନ୍ଦ୍ରମା ଲଜ୍ଜିତ ହୁଅନ୍ତି ।।୫୮।।

 

ସେ ତବ ପାଦରେ କିଙ୍କର ।

ଅଷ୍ଟସିଦ୍ଧି ତବ ପୟର ।।୫୯।।

 

ନବନିଧି ଯେତେ ଅଛନ୍ତି ।

ତବ ଚରଣେ ସର୍ବ ଭୁତି ।।୬୦।।

 

ଅଷ୍ଟାଦଶ ସିଦ୍ଧ ମୃନୀଶ ।

ତବ ମଙ୍ଗଳ ଭାବରସ ।।୬୧।।

 

ସ୍ମରି ନିରନ୍ତର ସୁଖ୍ୟାତି ।

ତବ ମହିମାକୁ ଘୋଷନ୍ତି ।।୬୨।।

 

ଅନେକ ପ୍ରଭୁତ୍ୱ ସୁଗୁଣ ।

ବର୍ଣ୍ଣିବା ନୁହନ୍ତି ଭାଜନ ।।୬୩।।

 

ସ୍ମରାଦି ତବ ଆଜ୍ଞାବହ ।

ଗୁଣ ଚାହିଁଣ ହେଲେ ମୋହ ।।୬୪।।

 

ସମସ୍ତେ ପବିତ୍ରତା ଦେଖି ।

ସୀତାପତି ଗୁଣକୁ ଲକ୍ଷି ।।୬୫।।

 

ଇଚ୍ଛାରେ କୋଟିଏ ସଂସାର ।

ନେତ୍ର ପଲକେ ରଚିପାର ।।୬୬।।

 

ତେଜସ୍ୱୀ ଶକ୍ତି ପୁଣ୍ୟଗୁଣ ।

ଚାହିଁ ସକଳ ଦେବଗଣ ।।୬୭।।

 

ତବ ଆଜ୍ଞା ପତ୍ରକୁ ନେଇ ।

ସାଷ୍ଟାଙ୍ଗେ ପ୍ରଣୀତରେ ରହି ।।୬୮।।

 

ହେ ଜ୍ୟୋତି ସ୍ୱରୂପ ବିଜୟ ।

ସୁରାଦି ଭାବେ ଜୟଜୟ ।।୬୯।।

 

ଅବ୍ୟନ୍ତ ଅଖଣ୍ଡ ପ୍ରଭାବ ।

ନିର୍ଗୁଣ ସ୍ୱଗୁଣ ଉଦ୍ଭବ ।।୭୦।।

 

ତ୍ରୀବାର ସତ୍ୟ ବ୍ରତ ସ୍ୱାମୀ ।

ସନାତନ ତୋ ପାଦେ ଶ୍ରମୀ ।।୭୧।।

 

ଅନ୍ତର୍ଯ୍ୟାମୀ ମୂରତି ଧାରୀ ।

ସତ୍ୟ ଜନମନ ବିହରୀ ।।୭୨।।

 

ସତ୍ୟ ଭକ୍ତ ବତ୍ସଳ ହରି ।

ଚତୁର୍ଦ୍ଦଶ ପୁରେ ବିହାରୀ ।।୭୩।।

 

ସତ୍ୟ ଭଜନ ଶୁଦ୍ଧ ମତି ।

ତବ ଗୁଣ ହୃଦୟେ ଚିନ୍ତି ।।୭୪।।

 

ବେଦ ବେଦାଙ୍ଗ ଯେ ପୁରାଣ ।

ତବ ଗୁଣ କରନ୍ତି ଗାନ ।।୭୫।।

 

ଧର୍ମ ଅର୍ଥାଦି କାମ ମୋକ୍ଷ ।

ଦେବାକୁ ପ୍ରଭୁ ହେ ପ୍ରତ୍ୟକ୍ଷ ।।୭୬।।

 

ଶିବଙ୍କ ସତ୍ୟବ୍ରତ ଧାରି ।

ତୁମ୍ଭେ ସେ ପ୍ରଭୁ ହିତକାରୀ ।।୭୮।।

 

ତୁମ୍ଭେ ଭକ୍ତିରେ ସର୍ବ ସିଦ୍ଧି ।

ପାଆନ୍ତି ସଂସାର ଜଳଧି ।।୭୯।।

 

ଶ୍ରବଣେ ମୋ ଗୁହାରି ଶୁଣ ।

ପିତା ମାତା ପ୍ରଭୁ ଆପଣ ।।୮୦।।

 

ଆବର ବନ୍ଧୁ ବର୍ଗ ଯେତେ ।

ତୁମ୍ଭଙ୍କୁ ଧ୍ୟାୟେଁ ମମ ଚିତ୍ତେ।।୮୧।।

 

ଭାରତ କୁଳ ପୂଜ୍ୟ ନାଥ ।

ତବ ସୁଖ୍ୟାତି ଏ ଜଗତ ।।୮୨।।

 

ଆମ୍ଭ କୁଳ ପୂଜ୍ୟ ହେ ପ୍ରଭୁ ।

ଗୁରୁ ସ୍ୱରୂପେ ମୋ ଆତ୍ମଭୂ ।।୮୩।।

 

ଲାଳନ ପାଳନାଧିକାରୀ ।

ଅପ୍ରାଧି ହେଲେ ଦଣ୍ଡଧାରି ।।୮୪।।

 

ଆତ୍ମପତି ରାଜାଧିରାଜ ।

ତଦ୍ପତେ ଚାହେଁ ଦେବରାଜ ।।୮୫।।

 

ରାମ ଆତ୍ମା ତୋଷକ ହରି ।

ଶାନ୍ତି ଧର୍ମ ଧାରକ ପୁରୀ ।।୮୬।।

 

ଧନଜନ ଭାବ ଦାୟକ ।

ଧ୍ୟାଇଛି ମୋର ତୁମ୍ଭେ ଭେଖ ।।୮୭।।

 

ଜ୍ଞାନ ହୃଦୟ ପଞ୍ଚଭୂତ ।

ଦେବ ଜ୍ଞାନ ସ୍ୱରୂପ ଜିତ ।।୮୮।।

 

ବାରଂବାର ମୋ ନମସ୍କାର ।

ଗଜପତି ନୃପତିବର ।।୮୯।।

 

ଧନ୍ୟ ଧନ୍ୟ ତବ ପ୍ରତାପ ।

ଧନ୍ୟ ପ୍ରତାପୀ ବିଶ୍ୱରୂପ ।।୯୦।।

 

ହେ ପ୍ରଭୁ ତବ ନାମ ସ୍ମରି ।

ଦୁରିତ ନାଶି ଶାନ୍ତି ଧରି ।।୯୧।।

 

ସନ୍ତୋଷ ମନ ଚଇତନ୍ୟ ।

ନାମ ପ୍ରଭାବ ଦିବ୍ୟ ଜ୍ଞାନ ।।୯୨।।

 

ସତ୍ୟ ଶବ୍ଦରେ ସୁରନର ।

ଗାବନ୍ତି ନାମ ମୁଖେ ସ୍ୱର ।।୯୩।।

 

ଦୁନ୍ଦୁଭି ଶଙ୍ଖ ବାଦ୍ୟ ଧରି ।

ନାମ ରଟନ୍ତି ନରନାରି ।।୯୪।।

 

ସତ୍ୟ ୨ ସେ ତବ ମୂର୍ତ୍ତି ।

ସତ୍ୟ ସନ୍ତାନ୍ତନ ଶ୍ରୀ କୀର୍ତ୍ତି ।।୯୫।।

 

ମୋହର ହୃଦୟ ମଧ୍ୟରେ ।

ନୃତ୍ୟ କରୁଛ ନିରନ୍ତରେ ।।୯୬।।

 

ତନମନ ଧନ ଅର୍ପିତ ।

କରି ଚାହୁଁଛି ଦୀନ ନାଥ ।।୯୭।।

 

ସଜ୍ଜନେ ଭାବ ଦୃଢ଼ଚିତ୍ତେ ।

ସହସ୍ର ବାର ପାଠ ନିତ୍ୟେ ।।୯୮।।

 

ଜ୍ଞାନ ପ୍ରକାଶ ନିଶ୍ଚେ ହେବ ।

ହୃଦୟେ ରାମଙ୍କୁ ଚାହିଁବ ।।୯୯।।

 

ଏହି ଚାଳିଶା ଦିବ୍ୟ ଗୁଣ ।

ନେଇଣ କର ହୃଦେ ଧ୍ୟାନ ।।୧୦୦।

 

ଜନ୍ମ ମୃତ୍ୟୁକୁ ନ ଚାହିଁବ ।

ବୈକୁଣ୍ଠ ଭୁବନ ପାଇବ ।।୧୦୧।।

 

ସତ୍ୟ ବଚନ ମାନି ଶିବ ।

ଆମର ଫଳ ପାଇ ଭବ ।।୧୦୨।।

 

ଅନ୍ୟାଶା ଯାହାର ଯେ ଭାବ ।

କଳ୍ପନା ପୂର୍ଣ୍ଣକାରୀ ହେବ ।।୧୦୩।।

 

ସିଦ୍ଧ ବଚନ ସତ୍ୟଗିର ।

ଜାନକୀ ଆଜ୍ଞା ମନେ ଧର ।।୧୦୪।।

 

ପ୍ରାତଃ ମଧ୍ୟାନ୍ନ ସାୟଂକାଳ ।

ଚିତ୍ତ ଚୈତନ୍ୟ ଯା ନିଶ୍ଚଳ ।।୧୦୫।।

 

ତ୍ରୀବାର ପାଠ ଯେ କରିବ ।

ତୁଳସୀ କୁସୁମେ ପୂଜିବ ।।୧୦୬।।

 

ଶ୍ରୀରାମ ଜାନକୀ ଲକ୍ଷ୍ମଣ ।

ସାକାର୍ଣ୍ଣ ଭୋଗକୁ ଦେଇଣ ।।୧୦୭।।

 

ପ୍ରଭୁଙ୍କ ନଇବେଦ୍ୟ ଖାଇ ।

ପ୍ରେମିକା ମଧ୍ୟେ ମାନ୍ୟ ପାଇ ।।୧୦୮।।

 

ସିଦ୍ଧ ଭଜିବ ଇଚ୍ଛା ରୂପେ ।

ସିଦ୍ଧ ହୋଇ ଯିବ ସେ ଆପେ ।।୧୦୯।।

 

ଏହା ନିଶ୍ଚୟ କରି ମଣ ।

ତୁଳସୀ ଦାସଙ୍କ ବଚନ ।।୧୧୦।।

 

ନିୟମ ପ୍ରମାଣେ ଭାଷଣ ।

ନିୟମ ବ୍ରତ ଏହା ଘେନ ।।୧୧୧।।

 

ତ୍ରିବାର ପଠନ ମାନସ ।

ଧ୍ୟାନରେ ଶ୍ରୀରାମଙ୍କୁ ଘୋଷ ।।୧୧୨।।

 

ଭାବି କାଟିବ ରାତ୍ରଦିନ ।

ଦର୍ଶନେ ଶ୍ରୀରାମ ଲକ୍ଷ୍ମଣ ।।୧୧୩।।

 

ସିଦ୍ଧ ହେବ ଯେ ଏ ଜଗତେ ।

ସତ୍ୟ ବଚନ ଭାବ ଚିତ୍ତେ ।।୧୧୪।।

 

ଅନ୍ୟଥା କଦାଚ ନୋହିବ ।

ତୁଳସୀ ଦାସ ବାକ୍ୟଭାବ ।।୧୧୫।।

 

ରାମ ଚରଣ ସେବା ସ୍ମରି ।

କାଟ କଳୁଷ ଭବ ଅରି ।।୧୧୬।।

 

ସିଦ୍ଧ ବଚନ ମନେ ଘେନ ।

ଶ୍ରୀରାମ ତତ୍ୱ ହୃଦେ ଧ୍ୟାନ ।।୧୧୭।।

 

ମନର ଗତି ଏ ଚଞ୍ଚଳ ।

ଅତି ଅବୁଝ ସଦାକାଳ ।।୧୧୮।।

 

ନବୁଝି ଭ୍ରମେ ଅନ୍ତରାଳ ।

ଜ୍ଞାନ ଅଙ୍କୁଶେ ଏ ନିଶ୍ଚଳ ।।୧୧୯।।

 

ରାମ ଚରିତ୍ର ବର୍ଣ୍ଣିବାକୁ ।

ରାମ ଚରିତ୍ର ଶ୍ରବଣକୁ ।।୧୨୦।।

 

ସଦା ସନ୍ତୋଷ ମନ ଲଭେ ।

ତେଣୁ ଜଣାଇଲି ଏ ଭବେ ।।୧୨୧।।

 

କୋବିଦ ଜନେ ନମସ୍କାର ।

ଭକ୍ତ ବୃନ୍ଦକୁ ଯୋଡ଼ିକର ।।୧୨୨।।

 

ଗୁରୁଜନକୁ ଦଣ୍ଡବତ ।

ଆବର ଯେ ସନ୍ଥ ମହନ୍ତ ।।୧୨୩।।

 

ଯଦିଚ ଭ୍ରମ ମୋର ଥାଏ ।

କ୍ଷମା କରିବେ ସୁହୃଦୟେ ।।୧୨୪।।

ଅକ୍ଷର ଶବ୍ଦ ଭ୍ରମ ଥିଲେ ।

ସୁଦ୍ଧ କରିବେ ପାଠ କାଳେ ।।୧୨୫।।

 

ଗୁଣଜ୍ଞ ଦୟା ହୃଦେ କର ।

ଅନଭିଜ୍ଞ ଯେ ମୁଁ ନିକର ।।୧୨୬।।

 

ଅଜ୍ଞାନୀ ଭକ୍ତି ମୁଁ ନ ଜାଣେ ।

ପ୍ରଭୁଙ୍କ ଦାସତ୍ୱ ଭବନେ ।।୧୨୭।।

 

ଗୋ ଦ୍ୱିଜ ଦେବତା ଚାହିଁଣ ।

ପାଣି ଯୋଡ଼ି ମୋ ନିବେଦନ ।।୧୨୮।।

ରାମ ଚରିତ୍ର ଦେଖାଇଲି ।

ଇଚ୍ଛା ପୂର୍ଣ୍ଣରେ ମୁଁ ଚାହିଁଲି ।।୧୨୯।।

 

କଷ୍ଟ ହାରକ ଶ୍ୟାମବର୍ଣ୍ଣ ।

ନିରନ୍ତର କଳ୍ପନା ପୂର୍ଣ୍ଣ ।।୧୩୦।।

ନୃପତି ଦଶରଥ ସୁତ ।

ହୃଦୟେ ସଦା ମୋ ଭାବିତ ।।୧୩୧।।

 

ହେ ପ୍ରଭୁ କରୁଣା ଗୋସାଇଁ ।

ରାମ ଲକ୍ଷ୍ମଣ ବଇଦେହୀ ।।୧୩୨।।

ମୋ କଣ୍ଠେ ଆସି ସଦା ବସ ।

ଜଣାଏଁ ମୁଁ ବିହାରୀ ଦାସ ।।୧୩୩।।

 

ଜୀବନ ଗତି ।

( ରାଗ-ଚକ୍ରକେଳି )

 

କେଣେ ଯିବି କେତନ ଦିଶୁନାହିଁ ।

କେଳା କେଳି କୁଟ ନାବ ପୁରାଇ ।।୧।।

 

ଖଗବତୀ ମାୟାଦର ଚାହିଁଣ ।

ଖଳାସ ଭାବ ନାବେ ଧ୍ୟାଇ ମନ ।।୨।।

 

ଗୁଣ ପ୍ରବାହ ହୃଦୟେ ବିକାଶ ।

ଗୁଢ଼ ପୁରୁଷ କାମ ଲୋଭ ତ୍ରାସ ।।୩।।

 

ଘନ ୨ ଘାତ ପାଇ ହତାସ ।

ଘଟାଅ କେ ନିପାତ ପ୍ରଭୁଈଶ ।।୪।।

 

ଉଦ୍‌ଯୋଗ ସାହସ ମୋର ବୁଡ଼ିଲା ।

ଉଡ଼ାଇଲି ଏ କାୟା ନାବଗଲା ।।୫।।

 

ଚଣ୍ଡାଳ ଦୁଃଖ ଜଗି ରହେ କିନା ।

ଚକ୍ଷୁସ୍ମୃତା ବୁଡ଼ାଇତା ଯାତନା ।।୬।।

 

ଛେଚି ଉଠାଏ ବୁଡ଼ାଏ ତଳକୁ ।

ଛେଉଣ୍ଡ ଦୀନ ରଖ ଏ ନାବକୁ ।।୭।।

 

ଜଗତ୍‌ପିତା ରଖି ଘେନ ଏ କାଳ ।

ଯାଉଛି ନାବ ହୋଇ ଅସମ୍ଭାଳ ।।୮।।

 

ଝୁଣିବା ଚାହିଁ ଅସହ୍ୟ ଭାବରେ ।

ଝାଁସ ଦେଉଛିଁ ମୁଁ ମାୟା ସାଗରେ ।।୯।।

 

ନିୟମ ସାର କୈବର୍ତ୍ତ ହୋଇଣ ।

ନିୟମ ଲକ୍ଷ କହେ ନାରାୟଣ ।।୧୦।।

 

ଟଳ ଟଳ ନାବ ଗୋଟି ହେଉଛି ।

ଟପି ଯିବ କିନା ଟାକି ଚାହୁଁଛି ।।୧୧।।

 

ଠୌର ହେବା ଭବେ ଭିଡ଼ ଭାବନା ।

ଠିକ୍ ଦେଖାଅ ନ ଦିଅ ଯାତନା ।।୧୨।।

 

ଡକା ପକାଇ ହୁଏଁ ଠେଲା ଠେଲି ।

ଡାକରା ଡାକୁଆ ଭୁବନ ଭାଳି ।।୧୩।।

 

ଢଳଢଳ ନାବ କାଳକୁ ଆସି ।

ଢାଳେ ଚାହଁ ପ୍ରଭୁ ହେ ବ୍ରହ୍ମ ରାଶି ।।୧୪।।

 

ଅଣ ଆୟତ୍ତେ ପଡ଼ିଲି ଶ୍ରୀହରି  

ଅଣୁ ପ୍ରମାଣେ କୃପା ହେଲେ ପାରି ।।୧୫।।

 

ତତ୍ୱ ସ୍ଥାନ ତଟକୁ ମୁଁ ଚାହିଁବା ।

ତବାଶ୍ରୟୀ ରକ୍ଷିତ ଖ୍ୟାତି ହେବା ।।୧୬।।

 

ଥନ୍ତରା ନାବ ଭାସି ଯାଇଅଛି ।

ଥୟ ହୀନେ ଥର ୨ ହେଉଛି ।।୧୭।।

 

ଦର୍ଶକ ହୁଅ ପ୍ରଭୁ ବନମାଳୀ ।

ଦୟାନିଧି ଭାବି ଏହା କହିଲି ।।୧୮।।

 

ଧପକ ଧପ ଧପ ଦୃଷ୍ଟି କର ।

ଧର୍ତ୍ତବ୍ୟ ଧର୍ତ୍ତା ଧର୍ମ ଗୁଣ ଧର ।।୧୯।।

 

ନବରସ ପାନ କରି ଅଜ୍ଞାନ ।

ନାବ୍ୟ ଭବଲକ୍ଷକ ପ୍ରଭୁ ଘେନ ।।୨୦।।

 

ପିତା ମାତା ସ୍ୱଜନ ଥିଲେ ଯେତେ ।

ପର୍ଯ୍ୟାସ କି ଛନ୍ତି ପବନ ପଥେ ।।୨୧।।

 

ଫୋଫାଡ଼ି ଦେଇଣ ସେ ଭବ କୂପେ ।

ଫେରି ଚାହିଁବେ କି ଆସି ସମୀପେ ।।୨୨।।

 

ବନ୍ଧୁ ବାନ୍ଧବ ଆଦି ପରିଜନ ।

ବଳି ହୋଇ ଗଲେ ଏହି ଭୁବନ ।।୨୩।।

 

ଭଙ୍ଗା ନାବ ଗୋଟି ଥୟ ନ ପାଇ ।

ଭଗାରି ତ୍ରାସ ହୃଦୟରେ ବୋହି ।।୨୪।।

 

ମର୍ମ ଭେଦକ-ସଦା ହେଉଅଛି ।

ମର୍ମ ବିଦାର ହେବାକୁ ଚାହୁଁଛି ।।୨୫।।

 

ଜଗି ରହିଅଛି ମନ ଚୈତନ୍ୟ ।

ଜାଣି ଲଗାଅ କୂଳେ ଭଗବାନ ।।୨୬।।

 

ରଟୁଛି ରଖ ଆହେ ନାରାୟଣ 

ରଖାଅ ଭଙ୍ଗା ନାବ ଖଣ୍ଡି ଘେନ ।।୨୭।

 

ଲଗାଅ ତଟେ ଆହେ ଦୀନବନ୍ଧୁ ।

ଲକ୍ଷିତ ଭୀଷଣ ଏ ଭବସିନ୍ଧୁ ।।୨୮।।

 

ବାନ୍ଧନ ପାରୁ ଅଛି ମନେ ଦମ୍ଭ ।

ବସୁ ଦେଖୁ ଅଛି ଯେ ଏହି ତୁମ୍ଭ ।।୨୯।।

 

ସର୍ବାଙ୍ଗ କମ୍ପମାନ ମୋର ହୁଏ ।

ସର୍ବେଶ୍ୱର ପ୍ରଭୁଙ୍କୁ ଧ୍ୟାଇ ଚାହେଁ ।।୩୦।।

 

ଷଡ଼ଙ୍ଗ ରକ୍ଷାକର ନରହରି ।

ଷଡ଼ଭୁଜ ଦେଖାଇ ରଖ ଏ ତରି ।।୩୧।।

 

ସଙ୍କଟୁ ତାରି କାରଣ ଦେଖାଅ ।

ସଦା ଦାସ ମୁଁ ହେଉଛି ଅଥୟ ।।୩୨।।

 

ହରି ହେ ଅନାଥ ବନ୍ଧୁ ହୋଇଣ ।

ହର ସଙ୍କଟ ଦାସକୁ ଚାହିଁଣ ।।୩୩।।

 

କ୍ଷାତକଲି ଜୀବନ ଗତି ଗୁଣ ।

କ୍ଷମା ମାଗେ ବିହାରୀ ଦାସ ହୀନ ।।୩୪।।

 

ନୀତି କଳିକା ।

( ରାଗ-ପୂରବି )

 

ଖ୍ୟାତି ଭକ୍ତି ଚିତ୍ର ଦେଇ ତବାଗ୍ରତ ଥୟ ନ ପାଇଲା ମନ ।

କ୍ଷିତି କର୍ମ ସ୍ଥାନ ଦେଖାଇବା ଧ୍ୟାନ ଭାବନାକର୍ମ ଲକ୍ଷଣ । ଯେଜନ ।

ତୁମ୍ଭଙ୍କୁ ମୁଁ କରେ ନିରୀକ୍ଷଣ ଯେ ।

କହିବାକୁ ହେଲି ଠିଆ ପୁଣ ହେ ।

ଭବ ଭାବ ଯା ବିଧାନ ମାନ ଯେ ।

କର୍ଣ୍ଣ ମନ ଦେଇ ଏବେ ଶୁଣ ଯେ ।।୧।।

 

ହଉ ଭବ ଖ୍ୟାତି ଯାଉ ଏ ଦୂର୍ଗତି ଆନନ୍ଦାର୍ଣ୍ଣବ ଭୂବନ ।

ହେବ ଏ ସୁଖ୍ୟାତି ଯେଉଁ ରସେ ମାତି କରୁଛି ତାହା ଭାଷଣ ।

ୟାଶୁଣ । ବିଦ୍ୟାପରମ ଧନ ପ୍ରମାଣ ୟା ।

ବିଦ୍ୟା ଜ୍ୟୋତି ଅସୀମତା ଗୁଣ ୟା ।

ବିଦ୍ୟା ଅକ୍ଷୟ ଧନ ସମ୍ମାନ ୟା ।

ବିଦ୍ୟା ନାନାଭୋଗ ଦାତା ମଣ ୟା ।।୨।।

 

ସଂଳାପ ହାସ ପରିହାସ ଯା କର ବିଦ୍ୟା ରସ ଥିଲେ ଖ୍ୟାତି ।

ସଚରାଚରରେ ଭାବ ସ୍ୱ ସ୍ୱଉରେ ବିଦ୍ୟା ହୀନେ କି ଦୁର୍ଗତି ।

ବିଦ୍ୱାନ । ସବୁଠାରେ ହୁଏ ପୂଜ୍ୟ ବାନ ।

ଯଶ ସୁଖ ମଣ୍ଡିତ ସମ୍ପୁର୍ଣ୍ଣ ।

ବିଦ୍ୟା ଉତ୍ପନ୍ନ କରଇ ଧନ ।

ବିଦ୍ୱାନ୍ ନିର୍ଭୟ ଗୁଣଜ୍ଞ ଜନ ।।୩।।

 

ଷଢ଼ାଙ୍ଗ ପାଇଣ ହୁଅ ଭାଗ୍ୟବାନ ବିଦ୍ୟାରତ୍ନ ଟାଣି ଘେନ ।

ଷଢ଼ ଦର୍ଶନ ତତ୍ୱ ଶଢ଼୍‌ଦୁର୍ଗରେ ଚିତ୍ତ ଷଟକର୍ମେ ଲଗାଅ ଧ୍ୟାନ ।

ସୁଜନ । ଷଢ଼ଭିଜ୍ଞେ ଚାହଁ ଏ ଭୁବନ ।

ଷଟ୍ ପ୍ରଜ୍ଞାରେ ବଲାଇବ ମନ ।

ଷଢ଼ଭୁଜଙ୍କୁ ରକ୍ଷାକର୍ତ୍ତା ମଣ ଷଢ଼ଙ୍ଗ୍‌ ଜିତ କର ସ୍ମରଣ ।।୪।।

 

ଶଂସିତ ଯେ ଭାବ ବାଲ୍ୟକାଳ ଠାବ ବିଦ୍ୟାରତ୍ନ ଉପାର୍ଜନ ।

ଶାନ୍ତି ରସେ ଜହି ସତ୍‌ସଙ୍ଗରେ ଭିଡ଼ି ସଦା କୁହାଅ ସୁଜ୍ଞାନ ।

ହେ ବୁଦ୍ଧେ । ଶାସ୍ତ୍ରାଳପରେ ଯେ ମନ ରୁନ୍ଧେ ।

ଶାସ୍ତ୍ରୀୟ ଧର୍ମ ଚର୍ଚ୍ଚାକୁ ସାଧେ ।

ଶାସ୍ତ୍ରଜ୍ଞ ହୁଅ ଏ ଭବ ମଧ୍ୟେ ।

ସର୍ବସମ୍ପତ୍ତି ଏଥିର ମଧ୍ୟେ ।।୫।।

 

ବଳାଇବ ମନ ଯେଉଁ କର୍ମେ ଧ୍ୟାନ ସୁଖ୍ୟାତି ପାଇ ଭାବନା ।

ବସି ଘଷୁଥିବ ସେ ରତ୍ନ ପ୍ରଭାବ ଦୂରହେବ ଏ ଭବ ଯାତନା।

ବିଚାର । ବ୍ୟାହତ ହେବ ଦୂର ।

ବ୍ୟାସ ବାଲ୍ମୀକଙ୍କୁ ମନେ କର ।

ବ୍ୟବସାୟକୁ ଯେ ବୁଝସାର ।

ବହୁ ଧନକୁ ସଞ୍ଚୟ କର ।।୬।।

 

ଲୟ କରି ଘେନ ସ୍ୱଯତ ଯା ସ୍ଥାନ ବିଦ୍ୟା ଶିକ୍ଷାକୁ ନ ଦେଇ ।

ଲଲିତ ବିଷୟ ନୋହି ପରିଚୟ ଲମ୍ପଟ ଗୁଣେ ସେ ବାଇ ।

ସେ ଧୀର । ଲୁପ୍ତ ମୁର୍ଖ ପଣେ ଗର୍ବେଶ୍ୱର ।

ଲୟ ନାହିଁ ଜ୍ଞାନ ଧ୍ୟାନ ତାର ।

ଲବ୍ଧ ଧୀକାର ଜନ୍ମ ତାହାର ଲକ୍ଷ ପିତା ମାତା ଲଜ୍ୟାଘର ।।୭।।

 

ରଟନା ଅଖ୍ୟାତି ସନ୍ତାନ ଦୂର୍ଗତି ଲକ୍ଷ କର ଦିବାରାତି ।

ରସାରେ ଯେ ଦୀନ ଜନ ଧନବାନ ଦେଖି ଫାଟି ଯାଏ ଛାତି । ୟାଦେଖ ।

ରଙ୍କ ବିଦ୍ୟାବଳେ ବଡ଼ ଲୋକ ।

ରହି ତାଙ୍କ ପାଖେ ମାଗ ଭିଖ ।

ରକ୍ଷ ଅଣିମାଦି ତା ଅନେକ ।

ଭାବଲଭେ ପ୍ରସିଦ୍ଧ ଳାୟକ ।।୮।।

 

ଜନ୍ମିତ ବାଳକ ବାଳିକାମାନଙ୍କୁ ବିଦ୍ୟାରସ ଦିଅଭାଇ ।

ଯାହାର ମାନସ ଯେଉଁ ବିଦ୍ୟା ଘୋଷ ଭବେ ସ୍ନେହ ପାଇ ।

ତା ଭାବ । ଜାଣି ଖୋଜି ଚିନ୍ତାରସ ଠାବ ।

ଯାହା କଳ୍ପନା ତା ନିଶ୍ଚେ ହେବ ।

ଜାତ ବିଦ୍ୟାରୁ ହେବ ବିଭବ ।

ଜାତ ଦୁଃଖଦୂର ପରାଭବ ।।୯।।

 

ମର୍ମରେ ୟାରଖା ବୁଦ୍ଧିବଳେ ଦେଖ ବିଦ୍ୟାରୁ ଏକ ଅନେକ ।

ମନ ଚଇତନ୍ୟ ଶିକ୍ଷାରେ ଯା ଧ୍ୟାନ ଜ୍ଞାନ ବ୍ରହ୍ମାଣ୍ଡ ଭୁଲୋକ ।

ୟାବୁଝା । ମନ ଲଗାଇ ବିଦ୍ୟାକୁ ଖୋଜ ।

ମନସ୍ତାପେ ନୁହଁ ହତବୀର୍ଯ୍ୟ ।

ବିଦ୍ୟାବଳେ ଶୋଭା ଅଇଶ୍ୱର୍ଯ୍ୟ ।

ମନ ଶାନ୍ତି କୌଶଳ ତାତ୍ପର୍ଯ୍ୟ ।।୧୦।।

 

ଭବେ ଆଶା ତୃଷ୍ଣା ହୃଦେକରେ ବସା ମହା ଦୃଢ଼ ଭଜ ଭାଇ ।

ଭୃତି ଉପାର୍ଜନ ବ୍ୟବସାୟ ଯେନ ତାକୁ ଚାହଁ ମନ ଦେଇ ।

ସ୍ୱାଧୀନ । ସର୍ବାନନ୍ଦରେ ଧନ ସମ୍ପୁର୍ଣ୍ଣ ।

ଭଜି ଦିବା ନିଶି ଭାବ ମନ ।

ଭିଡ଼ାଇ ସ୍ନେହ ଶାନ୍ତି ବଚନ ।

ଭ୍ରମାଇ ଚିନ୍ତାକର୍ଷକ ଗୁଣ ।।୧୧।।

 

ବରାସନ ସାଜି ପ୍ରିୟବାକ୍ୟେ ରାଜି କରିଣ ସେ ଳନ ମନ ।

ବସିକରି ଧ୍ୟାନ ସଂସାର ବିଧାନ ସମ୍ବାଦ ପତ୍ରୀକା ଘେନ ।

ସୁଜନ । ବିଦେଶ ଚର୍ଚ୍ଚାକୁ ଆକର୍ଷଣ ।

ବୁଦ୍ଧିଶାଳୀ ହୁଅ ବିଚକ୍ଷଣ ।

ବଗି ପରିକର ସୁନିପୁଣ ।

ବଳାଇ ମନ ବ୍ୟବସ୍ଥା ଘେନ ।।୧୨।।

 

ଫଳ ଖାଇକରି ବ୍ୟବସାୟ ଧରି ଲକ୍ଷାଦି ପତି କୁହାଇ ।

ଫନ୍ଦା ବ୍ୟବସାୟ ବଳବତୀ ଚାହିଁ ବିଦ୍ୟାବୁଦ୍ଧି ଶ୍ରମେ ରହି।

ଚତୁର । ଫେରା ଫେରି କର୍ତ୍ତା ପଣ ସାର ।

ଫାକା ପଡ଼ିଲେ ସମୂଳ ଚୂର ।

ଫଜିୟତ ହେବା ଫଳ ସାର ।

ଫେଡ଼ି ଦେଲି ଏ କାର୍ଯ୍ୟ ବେଭାର ।।୧୩।।

 

ପ୍ରଧାନ ବିଦ୍ୟା ବୁଦ୍ଧି ବଳ କୌଶଳ ଜନ ପ୍ରିୟତା ବିଶ୍ୱାସ ।

ପ୍ରକାଶିତ ହେବ ଧନି କୁହାଇବ କର୍ମ ବୀରତ୍ୱ ମାନସ। ୟାଘୋଷ ।

ପ୍ରିୟ ବୁଝି ଜନମନ ତୋଷ ।

ପ୍ରଣାଳୀ ବୁଝି ସୁକର୍ମେ ପଶ ।

ପଣ ଧରି କାର୍ଯ୍ୟ କର୍ମେ ବସ ।

ପଶ୍ଚାତ୍ ତାପ ନ ପଡ଼ିବ ପାଶ ।।୧୪।।

 

ନର ଜନ୍ମ ପାଇ ହତାସ କିପାଇଁ ନରମେଳ ଭାବଚାହିଁ ।

ନର୍ମ ଭାବଧରି ରାଜଲକ୍ଷ୍ମୀ ସ୍ମରି ନିତ୍ୟ କର୍ମେ ରହ ଧ୍ୟାଇ ।

ନମୁନା । ନାୟକ ହେବାକର ଭାବନା ।

ନାସ୍ତି ନ ଚାହିଁ ଭଜ ସୁମନା ।

ନିଜର ଗିର କର ଭାବନା ।

ନିରୁପାୟ ଭଜିଲେ କୁମନା ।।୧୫।।

 

ଧଇର୍ଯ୍ୟକୁଧର ପୋଷକ ହେବାର ଖ୍ୟାତି ହେବା ଏ ସଂସାର ।

ଧୃତୁଧେୟ ଶୁଭ କଳ୍ପନାକୁ ଭାବ ରସାଧି ସଞ୍ଚୟ କର ।

ହେ ଧୀର । ଧର୍ମାର୍ଥ କାମ ମୋକ୍ଷାଦି ସାର ।

ଧ୍ୟାନେ ରହିବା ହୃଦୟ ଧର ।

ଧାରଣୀକ ଏ ଭବବିଚାର ।

ଧ୍ୟୟୀ କହିଲି ତୁମ୍ଭ ଆଗର ।।୧୬।।

 

ଦଳ ବଳ ସାଜି କ୍ଷେତ୍ର ରସେ ମଜ୍ଜି ଭୂମି କର୍ଷଣ ବିଚାରି ।

ଦଣ୍ଡ ନିତି ଭାବି ଦେଖାଅ ସ୍ୱଛବି ଦମନ ଗୁଣକୁ ଧରି ।

ଦର୍ଶକ । ଦର୍ଶନୀୟ ଭାବେ କୃଷିରଖ ।

ଦର୍ଶିତ ଫଳ ହେଉ ଅନେକ ।

ଦରଯାଇ ବଜାରକୁ ଦେଖ ।

ଦର୍ଗତଡ଼ି ବିକି ଧନ ରଖ ।।୧୭।।

 

ସ୍ଥାପିବା କର୍ମରେ କୃଷି କି ଚାହିଁବ ସ୍ଥଳ ଗୁଣ ଲକ୍ଷ କରି ।

ଥୁଇଥିବା ଧନ ନେଇ ହଳ ଜନ କ୍ଷେତ୍ରପାଳ ଭାବ ସ୍ମରି ।

ସେଥିବ । ଥକା ମରାଭାବ ନ ସ୍ମରିବ ।

ଥୟ କରି କୃଷି ଗୁଣଭାବ ।

ଥୋଇବାକୁ ମନେ ନ ପାଞ୍ଚିବ ।

ଥାଟଙ୍କ ସଙ୍ଗେ ମଜ୍ଜି ରହିବ ।।୧୮।।

 

ତତ୍ୱକୁ ନିହାରି କୃଷିଗୁଣ ସ୍ମରି ନିରନ୍ତର ମଜ୍ଜି ରହ ।

ତତ୍ୱର ଭାବରେ କୃଷିକର୍ମାଧାରେ କାର୍ଯ୍ୟ ଦକ୍ଷତା କୁହାଅ ।

ତାତୁଲ୍ୟ । ତତ୍ୱରତା ଭାବ ଚାହିଁ ରହ ।

ତତ୍ପରାୟଣ ଜନଙ୍କୁ ଚାହିଁ ।

ତତ୍ପନେଇ ସଦା ସୁଖ ପାଅ ।

ତାମସିକ ମୁଖକୁ ନ ଚାହିଁ ।।୧୯।।

 

ଅଣ ଆୟତ୍ତରେ କୃଷିକର୍ମ ଛାଡ଼ି ଅନ୍ୟ ଉପାୟ ଖୋଜିଲେ ।

ଅଣିମାଦି ପୂର୍ଣ୍ଣ ରାଜାଙ୍କର ସ୍ଥାନ ମତି ହରାଅ ସେ ସ୍ଥଳେ ।

ୟାଭାଳ । ଆଣିବାକ୍ ଚାରିଙ୍କର ମେଳ ଅଣ ଆୟତ୍ତ କରି ସକଳ ।

ଅନୁକ୍ଷଣେ ଭାବି କର୍ମ ସ୍ଥଳ । ଆଣି ନିୟମ ରଖିଣ ଚାଲ ।।୨୦।।

 

ଢାଳିଦିଅ ମନ ରାଜସିଂହାସନ ରାଜଧନ ଆକର୍ଷଣ ।

ଢପ ଦେଖାଇଣ ଉପାଧି ପାଇଣ ରାଜାଙ୍କ ତୋଷିବ ମନ ।

ସେ ସ୍ଥାନ । ଢଙ୍ଗରାଜ କାର୍ଯ୍ୟରେ ନିପୁଣ ।

ଢମାଳି ଗୁଣ ତହିଁ ପ୍ରଧାନ ।

ଢଙ୍ଗେ ପ୍ରଜାଙ୍କ ତୋଷିଣ ମନ ।

ଢପ ଦେଖାଇଲେ ବିଚକ୍ଷଣ ।।୨୧।।

 

ଡର ଲାଗୁଅଛି କାଳକୁ ଚାହୁଁଛି କିକରେଁ ଆୟତ୍ତ ନାହିଁ ।

ଡାକୁ ରାଜକୀର୍ତ୍ତି ଉପାଧିକୁ ପ୍ରାପ୍ତି ବିଦ୍ୟା କୌଶଳରେ ରହି ।

ହେ ଧୀର । ଡ଼ୁବି ବିଜ୍ଞାନ ଦାଣ୍ଡେ ବିଚାର ।

ଡେରା ପରିଥିବା ଘର ଦ୍ୱାର ।

ଡିଣ୍ଡିମରେ ଧନପୂର୍ଣ୍ଣ ଘର ।

ଡମା ଡୌଳ ଚାହିଁ ସ୍ୱନେତ୍ରର ।।୨୨।।

 

ଠାବମାନ ରଖି ଧନ ଟାଣି ରଖି ବିହାର କର ଏ ଭବ ।

ଠାଣି ବିଦ୍ୟା ବଳ କୌଶଳ ନ ଚାହିଁ ଚାହିଁବ କି ସୁଖଭାବ ।

ଏଥିକି । ଠିଆ ହୋଇ ଜଣାଏ କତିକି ।

ଠଠା ନ ବୁଝି ଭାବ ମତିକି ।

ଠିକ ଦେଖିଲେ କାଳ ଗତିକି ।

ଠୌର ଛାଡ଼ି ନ ଭଜ ଭ୍ରାନ୍ତିକି ।।୨୩।।

 

ଟପି ପ୍ରେମାଶୟ ସବନ୍ଧୁ ଆଶ୍ରୟ ଆଳୟକୁ ଶୂନ୍ୟ ରଖ ।

ଟେକି ହୋଇଥିବ ତଡ଼ି ଭବଭାବ ନିରଙ୍କୁଶରେ ପଥିକ ।

ଟହକ । ଟହଳରେ ହୁଅ ଯା ପୋଷକ ।

ଟାକି କୁଟୁମ୍ବ ଜନ ନିରେଖ ।

ଟହ ଟହ ଅଶାନ୍ତିକୁ ଯୋଖ ।

ଟଙ୍କା ଅତ୍ମଜ ଶଙ୍କାକୁ ରଖ ।।୨୪।।

 

ନିୟମ ଦେଖାଇ ନିଗମକୁ ଚାହିଁ ଦେଖାଇ ଦେଲି ଅଗ୍ରତେ ।

ନିୟମ ସୁଗୁଣ ଥିଲେ ବିଦ୍ୟାଧନ ଶୋଭନ ଲଭ ଜଗତେ ।

ହେ ବନ୍ଧୁ । ନୀତି ଶିକ୍ଷା ହେଜ ଭବ ମଧ୍ୟୁ ।

ନିଜ ହୃଦୟ ଦାସତ୍ୱେ ବାନ୍ଧୁ ।

ନିତ୍ୟ ପ୍ରିୟାଳାପ ଛାଡ଼ି ଦ୍ୱନ୍ଦୁ ।

ନୀତି ଶିକ୍ଷିତ ସ୍ଥଳକୁ ଛନ୍ଦୁ ।।୨୫।।

 

ଝୁଞ୍ଜାମରା ଭାବ ସେ ଏହା ଚାହିଁବ ହୃଦୟେ ବିଚାର ଧରି ।

ଝକମାରି କରି ଏ ଦିବା ସର୍ବରୀ ରହ ଦାସତ୍ୱ ସୁମରି ।

ହେ ଭାଇ । ଝଳିବା ସ୍ଥାନ ଖୋଜ ସେ ଯାଇ ।

ଝପ ଭାବରେ କାର୍ଯ୍ୟକୁ ଦେଇ ।

ଝଳି ହେବାକୁ କାର୍ଯ୍ୟ ଦେଖାଇ ।

ଝାଲ ପୁଛି ରହ ଶ୍ରମ ପାଇ ।।୨୬।।

 

ଜାନପଦ ବାର୍ତ୍ତା ଆଶା ପୋଷକତା ଜୀବଗତି ଭାବିବାର ।

ଯାହା ଜାଣିଥିଲି ଜଣାଇ ତା’ଦେଲି ଯୁକ୍ତିଯୁକ୍ତ ଭାବ ଧର ।

ଯାତକ । ଜାତ୍ୟ ଜାଜ୍ଜ୍ୱଲ୍ୟମାନଙ୍କୁ ଚିନ୍ତି ।

ଜାତି ପ୍ରଣାଳୀ ବୁଝ ବୃତ୍ତାନ୍ତ ।

ଜାଗ୍ରତରେ ଚାହଁ ଏ ଜଗତ ।

ଜାଗରୁକେ ରହିଛି ସିଦ୍ଧାନ୍ତ ।।୨୭।।

 

ଛାରଖାର ନୁହ ଛାୟାପଥ ହୁଅ ବୁଝାଇ କହୁଛି ବନ୍ଧୁ ।

ଛିଦ୍ରାନୁସରଣ ଭାବରେ ଗମନ ହିତ ନୁହେ ଏକ ବିନ୍ଦୁ ।

କହିଲି । ଛାଡ଼ି କର ବନ୍ଧୁ ସଙ୍ଗେ ମେଳି ।

ଛଦ୍ମବେଶୀକୁ ନ କର ଅଳି ।

ଛିଦ୍ରାନ୍ୱେଷୀଙ୍କୁ ଦିଅ ସେ ଦଳି ।

ଛାୟାପଥ ହୁଅ ପ୍ରେମ ଭାଲି ।।୨୮।।

 

ଚରିତାର୍ଥ ବୁଝ ସୁନିୟମ ଖୋଜ ଭାବିଣ ଆପଣା ମନ ।

ଚିତ୍ରକାଳୁ ପିତୃ ପିତାମହଗଣ ପନ୍ଥାକୁ କର ସ୍ମରଣ ।

ଚରଚା । ଚଳୁଅଛି ସନାନ୍ତନ ଚର୍ଚ୍ଚା ।

ଚାରିଯୁଗରେ ରହିଛି ସଞ୍ଚା ।

ଚତୁର ଚତ୍ୱାର ମନବାଞ୍ଚା ।

ଚଣକ ମନୁ ଆଦି ସ୍ମୃତିରକ୍ଷା ।।୨୯।।

 

ଉଆଁସଚନ୍ଦ୍ର ପ୍ରାୟେକ ହୋଇଯିବ ଚାହିଁ ରହିବ କି ମହି ।

ଉଇଁଥିବା ମନ ହେବ ଅନ୍ତର୍ଧ୍ୟାନ ନମୁନା ରଖିବ କାହିଁ ।

ୟା ହେଜ। ଉପଦ୍ରବ ସବୁ ତ୍ୟାଗୀ ମଜ୍ଜ ।

ଉତ୍ତମ ହେବା କର୍ମକୁ ଖୋଜ ।

ଉତ୍ତମର୍ଣ୍ଣ ହେବା ପାଇଁ ନ୍ୟାଜ ।

ଉତ୍କଣ୍ଠିତ ହେବା ମନୁ ତେଜ ।।୩୦।।

 

ଘଉଡ଼ିବ ବୁଦ୍ଧି ନ ପାଇଣ ସିଦ୍ଧି ସିଧା ବାଟ ତା ଯାଚକ ।

ଘର ୨ ଯାଇ ପୋଡ଼ା ପେଟ ପାଇଁ ଭ୍ରମିମର ଦିନଯାକ ।

ଷଠତା ଘର୍ମଭାନୁ କାନ୍ତି ପ୍ରୀତି ଦାତା ।

ଘାତ ପାଇ ଅସହ୍ୟ ଅଚିନ୍ତା ।

ଘୂରିବାର ମଣ ସୁଖ ସେ ତା ।

ଘୃଣୀତ ଭବେ ତା ଅଯୋଗ୍ୟତା ।।୩୧।।

 

ଗର୍ହିତ ଯେ ହିତ ବିଚାର କରଇ ଉପାୟ ହୀନତା ପାଖ ।

ଗଣ୍ଠି କଟା ଚୋର ଗଳ୍ପ ଛବି ତାର ଗାଳି ନିରନ୍ତର ଭେଖ । କୁକର୍ମ ।

ଗ୍ରାହକମାନେ ଯେ ହତୋଦ୍ୟମ ।

ଗୃହ ଖେଳରେ ଦୃଢ଼ତା ମର୍ମ ।

ଗ୍ଲାନି ସଦା ଥାଏ ଚିତ୍ତଧାମ ।

ଗ୍ରାସ ଛଦନେ ସେ ପ୍ରିୟତ୍ତମ ।। ୩୨ ।।

 

ଖଣ୍ଡ ଖଣ୍ଡ କରି କାର୍ଯ୍ୟ ଦେଖାଇଲି ଖପା ନୋହିବ ହେ ଭାଇ ।

ଖଟଣି ମୋ କାର୍ଯ୍ୟ ଖଟିବାରେ ନ୍ୟାଜ ଖଳିନାଥ ମୁଁ ସ୍ମରଇଁ । ଏକାଳ ।

ଖଣ୍ଡନୀୟରେ ଯେ ବୁଝ ଭଲ ।

ଖବର କହିଲି ଏହା ଶଲ ।

ଖୁସି ଭଜି ସ୍ୱ ଇଚ୍ଛାରେ ଚାଲ ।

ଖୋଜ ଯାହାକୁ ଯେ ଦିଶେ ଭଲ ।। ୩୩ ।

 

କର୍ମସ୍ଥାନ ମୋର ଦେବ ପୂଜାଧାର କାଳ ନିୟମ ସୁମରି ।

କର୍ତ୍ତବ୍ୟତା ବୁଝି ରହ ପ୍ରେମେମଜ୍ଜି ଯାଉଛ ପ୍ରଭୁଙ୍କ ସରି । ମୋଈଶ ।

କାର୍ଯ୍ୟ ଆଳତି ଧୁପପ୍ରକାଶ ।

କୃଷ୍ଣ ସେ ପ୍ରଭୁ ରାଧା ବିଳାସ ।

କରେଁ ଧ୍ୟାନ ମୁକ୍ତିଦ ମାନସ ।

କର ଯୋଡ଼ୁଛି ବିହାରୀ ଦାସ ।। ୩୪ ।

 

ନଶ୍ୱରତା ।

(ରାଗ-କଳସା)

 

ଶିଖା ପ୍ରଜ୍ୱଳିତ ସ୍ଥାନ ଯମ ଆମନ୍ତ୍ରଣ ।

ଧିଆନ କର ତୁ ମନ ସେ ସ୍ଥଳ ଭୀଷଣ ।। ୧ ।।

 

ରଖୁଅଛୁ ନିରନ୍ତର ଯାକୁ ଚିନ୍ତା ସ୍ଥଳେ ।

ସ୍ତୁତିକର୍ତ୍ତା କିଏ ଅଛି ଭାବତା ନିରୋଳେ ।। ୨ ।।

 

ଅକାରଣ ହୋଇଯିବ ଏଭବ ବାସନା ।

ଆମନ୍ତ୍ରଣ କୃତାନ୍ତର ଓ୍ୟାରଣ୍ଟ ତା ଅନା ।। ୩ ।।

 

ଇଚ୍ଛାଧୀନ କରି ନିଏ ନାହିଁ ବୁଦ୍ଧି ବଳ ।

ଇଚ୍ଛାକଳ୍ପ ତରୁକୁସେ କରିଣ ନିର୍ମଳ ।। ୪ ।।

 

ଉଡ଼ାଇ ନେଉଛି କାହିଁ ନ ଜାଣନ୍ତି କେହି ।

ଉପସ୍ଥିତ ବନ୍ଧୁ ଜାଣି ଥିଲେ ଦିଅ କହି ।। ୫ ।।

 

ରୂପଗୁଣ ଜାତିଶୀଳ ଧନ ଓ ସୁଖ୍ୟାତି ।

ରୁଷି ବସିବାକୁ କାଳ କେହି ନ ଥାଆନ୍ତି ।। ୬ ।।

 

ଲୁଚିଲେ ଜଳ ଅନଳେ ପର୍ବତ ଗହ୍ୱରେ ।

ଲୁକାଇତ ସ୍ଥାନ ନାହିଁ ଚାହେଁ ସେ ତ୍ରୀପୁରେ ।। ୭ ।।

 

ଏ ବିଷୟ ନିରନ୍ତର ଦେଖା ହେଉ ଅଛି ।

ଐଶ୍ୱର୍ଯ୍ୟ ହରାଇ ଗଲେ ଯିବାକୁ ରହିଛି ।। ୮ ।।

 

ଓଜସ୍ୱଳ ଓଜସ୍ୱୀ ଏସ୍ଥଳେ କାନ୍ତି ଓଜ ।

ଔଜଳ୍ୟ କୃତାନ୍ତ ନେଲେ ହୁଏ ପାଦରଜ ।। ୯ ।।

 

ଅନ୍ତଃ କୃତାନ୍ତର ଜଣାଥିବା ସୁପଣ୍ଡିତ ।

ଅନ୍ତଃକରଣ ଦେଖାଅ ଥିଲେ ହୃଦେ ଜ୍ଞାତ ।। ୧୦ ।।

 

କହୁଅଛି ଆରେମନ ଦେଖ ଭାବ ଚିନ୍ତା ।

ଖଚିତ ସ୍ୱ ଦାରସୁତ ଐଶ୍ଚର୍ଯ୍ୟ ବିଭୁତା ।। ୧୧ ।।

 

ଗନ୍ତବ୍ୟ ହେଉଛୁ ଭାବି ଦେଖାଇ ସ୍ୱକାନ୍ତି ।

ଘଟାଇ ନ ପାରୁଅଛୁ ଯମଗୁଣ ଗତି ।। ୧୨ ।।

 

ଉଦୟ ଗୃହ ଜଞ୍ଜାଳ ନିରନ୍ତର ଧ୍ୟାନ ।

ଚମତ୍କାର ଚାହୁଁ ଅଛୁ ଏହି ଯେ ଭୁବନ ।। ୧୩ ।।

 

ଛଡ଼ା ହେଲେ ଆଉ କି ଦେଖିବୁ ଏହିପୁର ।

ଜାଗ୍ରତ ନୋହିଣ ଯେ ଭ୍ରମୁଛୁ ନିରନ୍ତର ।। ୧୪ ।।

 

ଝିମିଟ ମାତ୍ରକ ଚାହୁଁଛୁ ଏ ଖେଳଘର ।

ନିୟମ ସିଦ୍ଧ କଳ୍ପନା ରହିବକି ଚିର ।। ୧୫ ।।

 

ଟାଳି ଦେଉଅଛୁ କାଳ ଅନ୍ତିମ ନ ଚାହିଁ ।

ଠଉର ହେବାକୁ ମନ ଭାବିବାକୁ ନାହିଁ ।। ୧୬ ।।

 

ଡିହବାଡ଼ି ଘର କେତେ ଦିନ ପାଇଁ ତୋର ।

ଢଳିଗଲେ ଏ ଜୀବନ କେ ବୋଲିବ ମୋର ।। ୧୭ ।।

 

ଆଣୁ ପ୍ରମାଣେ ତୋ ଗୁଣ ସ୍ମରନ୍ତା କେନାହିଁ ।

ତକାଇ ରହତୁ ମନ ଭାବ ରସ ଧ୍ୟାଇ ।। ୧୮ ।।

 

ଥାତି ରଖିଥିବା ଧନ ଯା’ବଳୁଛୁ ମୋର ।

ଥୁଇବୁକି ସଙ୍ଗେ ନେବୁ ତାକୁ ହେତୁକର ।। ୧୯ ।।

 

ଦର୍ଶକ ଦର୍ଶନ ଦର୍ଶନୀୟରେ ଦର୍ଶିତ ।

ଧ୍ୱଂସ ହୋଇ ଚାଲିଯିବ ଦେହ ମାଟି ଯୁକ୍ତ ।। ୨୦ ।।

 

ନ ରହିବ ବର୍ଣ୍ଣକାନ୍ତି ଖ୍ୟାତି ତବ ଛଟା ।

ପ୍ରକାଶ ରହିବ ତୋର କୃତ କର୍ମ ନିଷ୍ଠା ।। ୨୧ ।।

 

ଫଳଭୋଗୀ ତୋ ଆତ୍ମଜ ହେବ ବଳବାନ ।

ବରାସନ ପାଇ ଦେବ ମୁଖେ ଅଗ୍ନି ଦାନ ।। ୨୨ ।।

 

ଭୁତ ପ୍ରେତ ପିଶାଚ ମାନଙ୍କେ ଲକ୍ଷ ଦେଇ ।

ମର୍ମ ନିଦ୍ରାଲସେ ସ୍ୱପ୍ନେ ରୂପ ଯେ ଦେଖଇ ।। ୨୩ ।।

 

ଜନ୍ତୁପତି ଜିବାକାଶେ କିପା କେଉଁ ସ୍ଥାନ ।

ରକ୍ଷକ ଜୀବନ ରୂପ ହେବ ଅନ୍ତର୍ଦ୍ଧାନ ।। ୨୪ ।।

 

ଲକ୍ଷ କରାଇ ଯା’ଛନ୍ତି ଶାସ୍ତ୍ରୀୟ ପ୍ରମାଣେ ।

ବସି କେହି ଦେଖିନାହିଁ ନିଜ ଆତ୍ମଜ୍ଞାନେ ।। ୨୫ ।।

 

ଶବ ମାଟି ପିଣ୍ଡ ନେଇ ଦେଖାନ୍ତି ଶ୍ମଶାନ ।

ସମସ୍ୟା ଶୋକକୁ ଧର କୁଟୁମ୍ବେ କ୍ରନ୍ଦନ ।। ୨୬ ।।

 

ସର୍ବାଙ୍ଗ ଅଗ୍ନିରେ କିବା ଭୂମିରେ ମିଶ୍ରିତ ।

ହେଲେ ସୁଦ୍ଧ ମିଷ୍ଟାନ୍ନ ଖାଇଣ ହେଲେ କ୍ଷାନ୍ତ ।। ୨୭ ।।

 

କ୍ଷାତହେବେ ଏ ସଂସାରେ ପ୍ରେମାନନ୍ଦ ବହି ।

ବିହାରୀ ଦାସ କହିଲା ଭୟାବହେ ଚାହିଁ ।। ୨୮ ।।

 

ମାନବ ଜୀବନ ।

(ରାଗ କଳସା)

 

କାୟାକୁ ମାୟା ଗ୍ରାସିଛି ମନ ତହିଁ ରଜା ।

କର୍ତ୍ତା ମାୟାରସେ ମଜ୍ଜି ବୁଡ଼ାଇଲା ହେଜା ।। ୧ ।।

 

ଖଚିତ ଲବଣ ପୂର୍ଣ୍ଣ ଗୃହର ବିଷୟ ।

ଖଞ୍ଜମାୟା ପୂର୍ଣ୍ଣକାୟା ଅଶୋଭାକୁ ଚାହିଁ ।। ୨ ।।

 

ଗମିଲେ ପର୍ଯ୍ୟନ୍ତ ନାହିଁ ଅସୀମ ମାୟା ବୃକ୍ଷ ।

ଗମି ସେ ବୃକ୍ଷରେ ମନ ଉଡ଼େ ଅନ୍ତରୀକ୍ଷ ।। ୩ ।।

 

ଘୋଟିଛି ଦେହକୁ ମାୟା ଲତା ଗୁଣ ଛବି ।

ଘାଣ୍ଟି ହେଉଅଛି ମନ ମାୟାରସେ ଦ୍ରବି ।। ୪ ।।

 

ଉଦୟ ଜନ୍ମ କାଳରେ ମାୟା କି ଚାହିଁ ବନ୍ଧୁ ।

ଉଇଁଥିବା କାୟା ଶୋଭା ଲକ୍ଷିତ ପୂର୍ଣ୍ଣ ଇନ୍ଦୁ ।। ୫ ।।

 

ଚାହିଁ ଦେଖ ବାଲ୍ୟକାଳେ ମାୟାଗୁଣ ଚିହ୍ନ ।

ଚାକ୍ଷୁଷରେ ଥିଲେ କହ ଆହେ ବିଜ୍ଞ ଜନ ।। ୬ ।।

 

ଛବିରହି ମାତା କୋଳେ କେତେକାଳ ଗଲା ।

ଛଇମାତା ପିତା ତୃପ୍ତି ବାଲ୍ୟ କ୍ରୀଡ଼ା ଲୀଳା ।। ୭ ।।

 

ଜାଗ୍ରତ ହୋଇ ଭୁବନେ ଦଣ୍ଡାୟମାନ ଶିକ୍ଷା ।

ଜଣାଇଲେ ମାତା ପିତା ସ୍ୱର ଚିହ୍ନ ଦୀକ୍ଷା ।। ୮ ।।

 

ଝାତିକାରେ ଦୁଇବର୍ଷ ବ୍ୟତିକ୍ରମ ଭାଇ ।

ଝୁଲିଚାଲି କ୍ରୀଡ଼ା କୁତୁହଳ ରୁପବହି ।। ୯ ।।

 

ନିୟମରେ ପାଞ୍ଚବର୍ଷ ହେବାରୁ ପ୍ରବେଶ ।

ନିୟମ ଧ୍ୱଂସକ ଲୋଭ ଦେହ କଲା ସ୍ପର୍ଶ ।। ୧୦ ।।

 

ଟଣାଟଣି ହୋଇ ବିଦ୍ୟା ଉପାର୍ଜନ ଭାବ ।

ଟଳାଇଲ କେତେଦିନ ହୃଦେଦିଅ ଠାବ ।। ୧୧ ।।

 

ଠୁଳହେଲା ନବବର୍ଷ ମାୟାର ଅଙ୍କୁର ।

ଠିକ ଦଶବର୍ଷ ମାୟା ଶାଖା ତା ବିସ୍ତାର ।। ୧୨ ।।

 

ଡୋଳା ଲୀଳା ସଙ୍ଗଭାବ ଶିକ୍ଷାରେ ପ୍ରସନ୍ନ ।

ଡେଇଁ ବାଳକ ଖେଳାରେ ଗଲା କେତେଦିନ ।। ୧୩ ।।

 

ଢାଳେ ଆସି ଷୋଳବର୍ଷେ ମାୟାଛବି ଚିହ୍ନ ।

ଢାଙ୍କି ଅଳ୍ପ ଭାବେ କାୟା କଲା ଆଲିଙ୍ଗନ ।। ୧୪ ।।

 

ଅଣିମାରେ ଆଣିଲକ୍ଷ କରାଇଲା ଦେଖ ।

ଅଣୁ ପ୍ରମାଣକୁ ଚାହିଁ ଅହଂ ଜ୍ଞାନ ଲକ୍ଷ ।। ୧୫ ।।

 

ଢକାଅ ବଂଶତି ବର୍ଷେ ବିହ୍ୱଳ ତା ଚିତ୍ତ ।

ତହୁଁ ଅଦ୍ଭୁତ ଘଟଣା ମାୟା ପଲ୍ଲବିତ ।। ୧୬ ।।

 

ଥୟ ନ ପାଇଣ ମନ ମାୟା ଲତା ଭଜି ।

ଥଳ କୁଳ ନ ଚିହ୍ନିଣ ଲୋଭ ଶୋକେ ମଜ୍ଜି ।। ୧୭ ।।

 

ଦମ୍ଭଧରି ଦେଖିବା କାଳକୁ ସେ ନ ପାଇ ।

ଦ୍ରବ୍ୟଶ୍ରୟୀ ମାର୍ଗେମନ ମାୟାରସେ ବାଇ ।। ୧୮ ।।

 

ଧ୍ୟାନରେ ନିଅ ହେ ବନ୍ଧୁ ତ୍ରୀବର୍ଣ୍ଣ ପତ୍ର କାନ୍ତି ।

ଧଳା କଳା ହରିତ ବର୍ଣ୍ଣରେ ଶୋଭା ଜ୍ୟୋତି ।। ୧୯ ।।

 

ନରପୁର ମହର୍ଷି ଏ ବହ୍ମର୍ଷି ସିଦ୍ଧାନ୍ତି ।

ନ କରି ପରି ବର୍ଣ୍ଣନା ମୁଁ କି କରେ ଖ୍ୟାତି ।। ୨୦ ।।

 

ପ୍ରକାଶ ଯା ହେଲା ହୃଦେ କଲି ମୁଁ ଚିତ୍ରଣ ।

ପ୍ରମାଣ ହେଉ ବା ନହୁ ଭାବ ଆତ୍ମ ଜ୍ଞାନ ।। ୨୧ ।।

 

ଫଳ ଧର୍ମ ତତ୍ୱଛବି ଧର୍ମଜ୍ଞଙ୍କ ସ୍ଥାନେ ।

ଫନ୍ଦାବୁଝି ଦେଖାଇଲି ଭାବ ସଭ୍ୟଜନେ ।। ୨୨ ।।

 

ବଡ଼ ବିଷମ ଏ ମାୟା କାନ୍ତି ଲଖ ଧ୍ୟାନେ ।

ବିଂଶବର୍ଷେ ଘୋଟି ଦେଲା କାୟା ଗୋପ୍ୟ ସ୍ଥାନେ ।। ୨୩ ।।

 

ଭୟାନକ ରୂପତାର ଅଲେଖ ତା ଗୁଣ ।

ଭୟଙ୍କର ପୁଷ୍ପ ସତ ରଜ ତମ ଚିହ୍ନ ।। ୨୪ ।।

 

ମର୍ମ ପଞ୍ଚତତ୍ୱ ପଞ୍ଚ ପ୍ରାଣ ମାୟା ଭିଡ଼ି ।

ମନଭ୍ରମେ ମାୟାରଣ୍ୟେ ଶୋକ ମୋହେ ଜଡ଼ି ।। ୨୫ ।।

 

ଯାତ କାଳ ରୂପ ତାର ସବୁ ଗଲା କାହିଁ ।

ଯାତନାରେ ମାୟାଲତା ସୁଖ ମଣୁ ଥାଇ ।। ୨୬ ।।

 

ରହି ମାୟା ଭାବ ପ୍ରେମ ପଥରେ ପଥିକ ।

ରସାର୍ଣ୍ଣବ ମାୟାପୁର ବୁଦ୍ଧଜନେ ଦେଖ ।। ୨୭ ।।

 

ଲକ୍ଷ ଲୀଳାବତୀ ରହେ ମାୟା ଆଶ୍ରେ ଧରି ।

ଲକ୍ଷ୍ମୀ ସିଂହାସନ ଚାହେ କୁଟୁମ୍ବ ନିହାରି ।। ୨୮ ।।

 

ବସିଛ ହେ ସଭ୍ୟବୃନ୍ଦ ଚାହିଁ ହୁଅ ଭେଟ ।

ବଜାଅ ପଞ୍ଚମ ସ୍ୱରେ ପଞ୍ଚଭୁତ ଘଟ ।। ୨୯ ।।

 

ଶରୀରରେ ପୂର୍ଣ୍ଣଅଛି ବସୁଗୁଣ ରୀତି ।

ଶାନ୍ତିରସେ ବ୍ୟବହାର ବ୍ୟବହର୍ତ୍ତ କାନ୍ତି ।। ୩୦ ।।

 

ସମସ୍ୟା ବ୍ୟସନ ଅବା ବ୍ୟବହୃତ ଜ୍ୟୋତି ।

ଷଢ଼ବର୍ଗ ରଖ ଅବା ଷୋଢ଼ଶଙ୍କ କତି ।। ୩୧ ।।

 

ସଂକ୍ରମିତ ବିଷୟକୁ ଦେଖାଇ ମୁଁ ଦେଲି ।

ସଂଳାପ ଭଜିଣ ରୂପ ଚାହିଁ ମୁଁ ରହିଲି ।। ୩୨ ।।

 

ହେବ ସଦୟ ହୃଦୟ ଭାବେ ଲେଖ ଏହା ।

ହଉଅଛ ମାୟାତଳେ କାୟା ତଳେ ତାହା ।। ୩୩ ।।

 

କ୍ଷାତ କରାଇବ ବନ୍ଧୁ ଭାବି ହୃଦେ ବାସ ।

କ୍ଷିତି ଚାହୁଁ ଅଛି ମୁଁ ଯେ ଶ୍ରୀ ବିହାରୀ ଦାସ ।। ୩୪ ।।

 

ସମାପ୍ତ